ନୂଆଦିଲ୍ଳୀ: ମହାମାରୀ କରୋନା ଭାଇରସ୍ ପାଇଁ ଟିକା ବାହାର କରିବା ଦୌଡ଼ରେ ସାମିଲ୍ ହୋଇଛନ୍ତି ସାରା ବିଶ୍ବର ଗବେଷକ। ଏହି ଟିକା ଉପରେ ଏବେ ସଭିଙ୍କ ନଜର ରହିଥିବା ବେଳେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ହୁ ପକ୍ଷରୁ କୁହାଯାଇଛି କି ସୁସ୍ଥ ଯୁବମାନଙ୍କ ସକାଶେ ଏହି ଟିକା ୨୦୨୨ ସୁଦ୍ଧା ଉପଲବ୍ଧ ନହୋଇପାରେ।
ବୁଧବାର ଆୟୋଜିତ ଏକ ସୋସିଆଲ୍ ମିଡିଆ କାର୍ଯ୍ୟକ୍ରମରେ ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି, ‘କରୋନା ଭାଇରସ୍ ଟିକା ପାଇବା ପାଇଁ ସୁସ୍ଥ ଯୁବକଙ୍କୁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରଥମେ ବୃଦ୍ଧ ଏବଂ ଅନ୍ୟ ଅସୁରକ୍ଷିତ ଗୋଷ୍ଠୀଙ୍କ ଉପରେ ଧ୍ୟାନ ଦେବେ।’
ସୌମ୍ୟା ସ୍ବାମୀନାଥନ୍ ଆହୁରି ବି କହିଛନ୍ତି ଯେ ହୁ’ର ଏହି ନିଷ୍ପତ୍ତିରେ ଅଧିକାଂଶ ଲୋକ ଏକମତ। କରୋନା ଟିକା ପାଇଁ ବିଶ୍ବର ଅନେକ ବୈଜ୍ଞାନିକ ଓ ଗବେଷଣା ସଂସ୍ଥା ଆଗେଇ ଆସିଥିବା ବେଳେ ୧୦ ଊର୍ଧ୍ବ ଗବେଷଣାକାରୀ କ୍ଲିନିକାଲ୍ ପରୀକ୍ଷଣରେ ପହଞ୍ଚିଛନ୍ତି। ଚଳିତବର୍ଷ ସୁଦ୍ଧା ହିଁ ଟିକା ଆସିପାରେ ବୋଲି ଆଶା କରାଯାଉଛି।
ଉଲ୍ଳେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍ରେ ପୂରା ବିଶ୍ବରେ ଏବେ ସୁଦ୍ଧା ୩୮ ମିଲିୟନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧.୦୯ ମିଲିୟନ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଲାଣି। ଆମ ଦେଶ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ପାର୍ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଛି।