ନୂଆପଡ଼ା: ବିଲରେ ସାର ବୁଣୁଥିବା ବେଳେ ବିଦ୍ୟୁତ୍ କରେଣ୍ଟର ସଂସ୍ପର୍ଶରେ ଆସି ଦଂପତିଙ୍କର ମୃତ୍ୟୁ ହୋଇଛି। ନୂଆପଡ଼ା ଜିଲ୍ଲା ଖରିଆରରୋଡ ଜୋଙ୍କ ଥାନା ପରକୋଡ ଗ୍ରାମରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଦଂପତି ହେଲେ ରାମେଶ୍ୱର ରାଉତ ଓ ତାଙ୍କ ସ୍ତ୍ରୀ ବିମଳା ରାଉତ।
ସୂଚନା ଅନୁସାରେ ରାମେଶ୍ବର ରାଉତ ଓ ତାଙ୍କ ସ୍ତ୍ରୀ ବିମଳା ରାଉତ ଆଜି ପୂର୍ବାହ୍ଣରେ ନିଜ ଧାନ ଖେତକୁ ସାର ବୁଣିବା ପାଇଁ ଯାଇଥିଲେ। ଜମିରେ ସାର ବୁଣୁଥିଲା ବେଳେ ସେମାନେ ଅଘଟଣର ଶିକାର ହୋଇଥିଲେ। ଜାତୀୟ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦଂପତିଙ୍କ ଚାଷଜମି ନିକଟରେ ଏକ ଚେକ ଡ୍ୟାମ୍ ନିର୍ମାଣ କରାଯାଇଥିଲା। ସେଠାରେ ବିଦ୍ୟୁତ ତାର ଛିଣ୍ଡିଥିଲା। ଏହି ସ୍ଥାନରୁ ବିଦ୍ୟୁତ କରେଣ୍ଟ ଚାଷଜମିକୁ ପ୍ରବାହିତ ହୋଇଥିଲା। ଧାନଖେତରେ ପାଣି ଥିବାରୁ ବିଦ୍ୟୁତ୍ ସରବରାହ ଚାରିଆଡେ ବ୍ୟାପିଯାଇଥିଲା। ଫଳରେ ରାମେଶ୍ବର ଓ ବିମଳା ଏହାର ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମୃତ୍ୟୁ ପରେ ସେମାନେ ଦୀର୍ଘ ସମୟ ଧରି ପାଣିରେ ଭାସିକି ରହିଥିଲେ। ସ୍ଥାନୀୟ ଲୋକେ ଦଂପତିଙ୍କ ମୃତଦେହ ଦେଖି ବିଦ୍ୟୁତ ବିଭାଗକୁ ସୂଚନା ଦେଇଥିଲେ। ବିଦ୍ୟୁତ ସଂଯୋଗ କଟାଯିବା ବିଚ୍ଛିନ୍ନ କରାଯିବା ପରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଉଭୟ ପତି ଓ ପତ୍ନୀଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ରାମେଶ୍ବର ଓ ବିମଳାଙ୍କ ଦୁଇଟି ପୁଅ ଝିଅ ଅଛନ୍ତି। ପୁଅ ରାହୁଲ ବରଗଡ଼ ଜିଲ୍ଲା ପଦ୍ବପୁରସ୍ଥିତ ଏକ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଥିବା ବେଳେ ଝିଅ ମୀନା ରାଉତ ସ୍ଥାନୀୟ ନେଗିପାଲି ଆଦର୍ଶ ବିଦ୍ୟାଳୟର ଛାତ୍ରୀ। ଦଂପତିଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।