ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ସଂକଟ, ‌୨୫ ହଜାର ଟଙ୍କାରୁ ଅଧିକ ଉଠାଇ ହେବନି

ନୂଆଦିଲ୍ଲୀ: ଚେନ୍ନାଇ ଭିତ୍ତିକ ଘରୋଇ ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଆର୍ଥିକ ସଂକଟ ଗୁରୁତର ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରିଜର୍ଭ ବ୍ୟାଙ୍କର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆଜି ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଫଳରେ ରିଜର୍ଭ ବ୍ୟାଙ୍କର ପ୍ରାକ୍ ଅନୁମତି ବିନା ବ୍ୟାଙ୍କ ପକ୍ଷରୁ କୌଣସି ଜମାକାରୀଙ୍କୁ ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ପଇଠ କରାଯାଇପାରିବ ନାହିଁ। ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ଡାକ୍ତରୀ ଚିକିତ୍ସା, ଉଚ୍ଚ ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଆଦି ବାବଦରେ ଉଠାଇହେବ।

କେବଳ ସେତିକି ନୁହେଁ, ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀଠାରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ୩୦ ଦିନ ପାଇଁ ଦାୟିତ୍ବ ଛଡ଼ାଇ ନେଇଛି। କାନାରା ବ୍ୟାଙ୍କର ପୂର୍ବତନ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଟି ଏନ ମୋହନନ୍‌ଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଜମାକାରୀଙ୍କ ସ୍ବାର୍ଥ ରକ୍ଷା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‌ଘରୋଇ ‌ୟେସ ବ୍ୟାଙ୍କ ବିରୋଧରେ ସମାନ ଧରଣର କାର୍ଯ୍ୟାନୁ‌ଷ୍ଠାନ ନିଆଯାଇଥିଲା। ପରେ ୟେସ୍‌ ବ୍ୟାଙ୍କକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଉ‌ଦ୍ଧାର କରାଯାଇଥିଲା। ୨୦୧୯ ଜୁନ ୩୦ ସୁଦ୍ଧା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୫୬୯ଟି ଶାଖା ରହିଥିଲା। ଏଥିରୁ ଅଧିକାଂଶ ତାମିଲନାଡ଼ୁରେ ଥିବାବେଳେ ଅନ୍ୟଗୁଡ଼ିକ ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛି। ଏଥିସହିତ ୧୦୪୭ଟି ଏଟିଏମ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବା ପରେ ରିଜର୍ଭ ବ୍ୟାଙ୍କ ଏହାକୁ ୨୦୧୯ ସେପ୍ଟେମ୍ବରରୁ ପିସିଏ ବର୍ଗରେ ରଖିଥିଲା। ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ସହିତ ମିଶ୍ରଣ ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଅନୁମତି ‌ନଦେବା ପରଠାରୁ ଏହି ବ୍ୟାଙ୍କର ସମସ୍ୟା ଆଗକୁ ଆସିବାରେ ଲାଗିଛି।

ନିର୍ଦ୍ଦେଶକ ମଣ୍ଡଳୀ ଦାୟିତ୍ବ ଛଡ଼ାଇ ନେଲା ରିଜର୍ଭ ବ୍ୟାଙ୍କ
କାନାରା ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ପ୍ରଶାସକ ନିଯୁକ୍ତ
ଡିସେମ୍ବର ୧୬ ପର୍ଯ୍ୟନ୍ତ ଲାଗିଛି କଟକଣା

ଓଡ଼ିଶାରେ ୫ ଶାଖା
ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଓଡ଼ିଶାରେ ୫ଟି ଶାଖା ରହିଛି। ଏଥିରୁ ୨ଟି ଶାଖା ଗ୍ରାମାଞ୍ଚଳରେ ଅଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟ‌ରୁ ଜଣାଯାଇଛି। ତେବେ ରାଜ୍ୟରେ ବ୍ୟାଙ୍କର ଏଟିଏମ୍‌ ନଥିବା ବିଷୟ ଏସଏଲ୍‌ବିସି ରିପୋର୍ଟରୁ ସୂଚନା ମିଳିଛି।

ଡିବିଏସ୍‌ ସହ ମିଶ୍ରଣ ପ୍ରସ୍ତାବ
ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ୍‌) ସହ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ରଖିଛି। ଏଥିପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ବ୍ୟାଙ୍କର ଋଣ ଚାହିଦା ପୂରଣ ପାଇଁ ଡିବିଆଇଏଲ ଏବେ ୨୫୦୦ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଯୋଗାଇ ଦେ‌ବ। ଡିବିଆଇଏଲ୍‌ ହେଉଛି ଡିବିଏସ ବ୍ୟାଙ୍କ ଲିମିଟେଡ, ସିଙ୍ଗାପୁରର ଏକ ଶତ ପ୍ରତିଶତ ସହାୟକ କମ୍ପାନି।

ସମ୍ବନ୍ଧିତ ଖବର