‘କେନ୍ଦ୍ର-ରାଜ୍ୟ ଜନମାରଣ ନୀତିକୁ ସମାଲୋଚନା କର’

ଭୁବନେଶ୍ବର : ଗଣମାଧ୍ୟମ ପ୍ରବକ୍ତା ହେଉଛନ୍ତି କଂଗ୍ରେସର ଦଳର ଆଖି, କାନ ଓ ପାଟି। କଂଗ୍ରେସ ଦଳର ଯୋଜନା, ନୀତି, ଆଦର୍ଶ ଓ ପ୍ରତ୍ୟେକ ଗୁରୁତ୍ବପର୍ଣ୍ଣ ପ୍ରସଙ୍ଗକୁ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପ୍ରବକ୍ତମାନଙ୍କୁ ରଖିବାକୁ ହେବ। ତେଣୁ କେନ୍ଦ୍ର-ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ କଠୋର ସମାଲୋଚନା କରିବା ଲାଗି ପ୍ରବକ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସର୍ବଭାରତୀୟ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତି ପାଇଥିବା ରାଜ୍ୟ କଂଗ୍ରେସର ଗଣମାଧ୍ୟମର ପ୍ରବକ୍ତା, ସଂଯୋଜକ, ସାମାଜିକ ଗଣମାଧ୍ୟମର ମୁଖ୍ୟ ଓ ଯୁବ/ଛାତ୍ର ପ୍ରବକ୍ତାମାନଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ, ଏଣିକି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ହେବ। ପ୍ରବକ୍ତ‌ା ନିଯୁକ୍ତ ‌ହୋଇଥିବା ବ୍ୟକ୍ତିମାନେ ହିଁ ଗଣମାଧ୍ୟମ ଆଗରେ ଦଳୀୟ କଥା ରଖିପାରିବେ। ଗଣମାଧ୍ୟମ ବିଭାଗର କର୍ମକର୍ତାମାନେ ପ୍ରତ୍ୟେକ ଜିଲ୍ଲାର ଗଣମାଧ୍ୟମ କର୍ମକର୍ତା ତଥା ରାଜ୍ୟ ଯୁବ/ଛାତ୍ର ପ୍ରତିନିଧିମାନଙ୍କୁ ନେଇ ବୈଠକ ସହିତ ତାଲିମ ଦିଆଯାଉ। ଏହାସହ ପେଗାସସ୍‌ ସଫ୍ଟୱେର ଦ୍ବାରା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଫୋନ୍‌କୁ ଟ୍ୟାପିଂ କରିବାକୁ ଶ୍ରୀ ପଟ୍ଟନାୟକ ନିନ୍ଦା କରିଥିଲେ। ରାଜ୍ୟ କଂଗ୍ରେସର ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଲେ, ଫୋନ୍ ଟ୍ୟାପିଂ ଦେଶଦ୍ରୋହ ଅପରାଧ ସହ ସମାନ। ଏଭଳି ବେଆଇନ ଓ ଜଘନ୍ୟ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଅଜ୍ଞାତରେ ହେବା ଅସମ୍ଭବ। ତେଣୁ କେନ୍ଦ୍ର ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ‌ବେହେରା କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଆବାହକ ସତ୍ୟପ୍ରକାଶ ନାୟକ, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ୍ତ୍ର ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମନୋରଂଜନ ଦାଶ, ଜ୍ଞାନଦେବ ବେଉରା, ମନୋଜ ମହାପାତ୍ର, ସସ୍ମିତା ବେହେରା, ଗୋବିନ୍ଦ ଚନ୍ଦ୍ର ଭୂୟାଁ, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର ଓ ନଳିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର