ତିହିଡ଼ି: ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ଗାଁ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀରୁ ଆଜି ୭ ଫୁଟ୍ ଲମ୍ବର ଏକ ବଉଳା କୁମ୍ଭୀର ଧରାପଡ଼ିଛି। ତେବେ କୁମ୍ଭୀରଟିକୁ ମାଛ ଭାବି ଧରିବା ସମୟରେ ଜଣେ ମାଛଧରାଳିଙ୍କ ଗୋଡ଼କୁ କୁମ୍ଭୀର କାମୁଡ଼ି ଦେଇଛି। ଶୁକ୍ରବାର ସକାଳେ ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ (୬୨) ଓ ଅନ୍ୟ କେତେ ଜଣ ମାଛଧରାଳି ଗେଙ୍ଗୁଟି ଶାଖାନଦୀକୁ ମାଛ ଧରିବାକୁ ଯାଇଥିଲେ।
ସେମାନେ ମାଛ ଧରୁଥିବା ବେଳେ ଗଗନଙ୍କ ଜାଲରେ କୁମ୍ଭୀରଟି ପଡ଼ିଯାଇଥିଲା। ଗଗନ ଜାଣି ନପାରି ଜାଲରୁ ମାଛ ଧରୁଥିବା ବେଳେ କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା। କଣ କାମୁଡ଼ିଲା ଭାବି ଗଗନ ଜାଲ ଟାଣିବା ସମୟରେ ସେଥିରେ କୁମ୍ଭୀର ପଡ଼ିଥିବା ଦେଖି ହାଉଳି ଛାଡ଼ିଥିଲେ। ଅନ୍ୟ ମାଛଧରାଳି ଆସି କୁମ୍ଭୀରଟିକୁ କାବୁ କରିବା ସହିତ ଗଗନଙ୍କୁ ଡାକ୍ତରଖାନା ପଠାଇଥିଲେ। ଧାମନଗର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରାଙ୍କଠାରୁ ଖବର ପାଇ ବନାଞ୍ଚଳ ଅଧିକାରୀ କୁଶଚରଣ ସିଂ, ଫରେଷ୍ଟର ରାଜକିଶୋର ନାୟକ ଓ କର୍ମଚାରୀମାନେ ଘଟଣାସ୍ଥଳରୁ କୁମ୍ଭୀରଟିକୁ ଜାଲରୁ ଉଦ୍ଧାର କରି ବୈତରଣୀ ନଦୀରେ ଛାଡ଼ି ଦେଇଛନ୍ତି। କୁମ୍ଭୀରଟିର ଲମ୍ବ ୭ ଫୁଟ୍ ୯ ଇଞ୍ଚ ହୋଇଥିବା ବେଳେ ଓଜନ ୪୦ କେଜି ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଜଣାପଡ଼ିଛି।