ଭୁବନେଶ୍ବର: ବାତ୍ୟା ଫନି ଓଡିଶାରେ ତାଣ୍ଡବ ରଚିବା ପରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ଅଧା ଓଡିଶା । ଖାସକରି ପୁରୀ ଓ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି । ରଙ୍ଗ ବେରଙ୍ଗର ଲାଇଟରେ ଝଲସି ଉଠୁଥିବା ଏହି ଦୁଇ ସହର ଉପରେ ଏବେ ଅନ୍ଧକାର ରାଜୁତି କରୁଛି । ତେବେ ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛି ପୂରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ପୂର୍ବରୁୂ ୩୪୧ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର ।

Advertisment

ଓଡ଼ିଶା ପାଇଁ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଫନିକୁ ସାହସିକତାର ସହ ମୁକାବିଲା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ଫନି ଆସିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ନବୀନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ତେବେ ବାତ୍ୟା ଯୋଗୁଁ ଯେଉଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତର ଆହତ ହୋଇଥିବା ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାରେ ଖୁବଶୀଘ୍ର ସୁଧାର ଆସୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଦଲାଇଲାମା।

ଏହାଛଡା ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟର ଏପରିକି ଟିଭି ପରଦାର କଳାକାର ମାନେ ମଧ୍ୟ ଏବେ ଓଡିଶାକୁ ପୁଣିଥରେ ଗଢି ତୋଳିବା ପାଇଁ ଆଗେଇ ଆସିଛନ୍ତି । କେବଳ ସେଲିବ୍ରିଟି କିମ୍ବା କ୍ରିକେଟର ନୁହଁନ୍ତି ବରଂ ସାଧାରଣ ଲୋକ ମଧ୍ୟ ଓଡିଶା ପାଇଁ ସହାୟତାର ହାତ ବଢାଇଛନ୍ତି ।