ଥୁଆପଦର ପଞ୍ଚାୟତକୁ  ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ ଦାବି ନେଇ ଚାଷୀଙ୍କ  ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତକୁ ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ କରିବା ଦାବିରେ ଚାଷୀଙ୍କ ତରଫରୁ ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଚଳିତଖରିଫ ଋତୁରେ ଅଦିନିଆ ବର୍ଷା ଯୋଗୁଁ ଗ୍ରାମପଞ୍ଚାୟତ ଅଧିନ ଥୁଆପଦର, ତେନ୍ତୁଳିଖୁଣ୍ଟି,ଡଙ୍ଗୁରୀପଦର, କୁସୁମଖୁଣ୍ଟି, ଭିମଡଙ୍ଗା ଓ ଗୋଇପିଟା ଗ୍ରାମର ଧାନଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି । ଧାର ଓ କରଜ କରି ଚାଷ କରିଥିବା ଚାଷୀମାନେ ଏବେ କେମିତି ଋଣ ସୁଝିବେ ଏ ନେଇ ଚିନ୍ତାରେ ଦିନ କାଟୁଛନ୍ତି ।

ରାଜ୍ୟ ସରକାର ସରଜମିନ ତଦନ୍ତ କରି ଥୁଆପଦର ପଞ୍ଚାୟତକୁ  ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବୀରେ ଚାଷୀ ରାଜରାସ୍ତାକୁ ଓହ୍ଲାଇଛି । ଏଥିସହ ଥୁଆପଦର ପ୍ରାଥମିକ ସେବା ସମବାୟ ସମିତି ଲିଃ ଠାରେ ଆଗାମୀ ୨୫ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଧାନମଣ୍ଡି ବନ୍ଦ କରିବାକୁ ମଧ୍ୟ ଚାଷୀ ଦାବୀ କରିଛନ୍ତି । ଧାନମଣ୍ଡି ଖୋଳିଲେ ମିଲର୍ସ, ଅସାଧୁ ବ୍ୟବସାୟୀ ଓ ପ୍ୟାକ୍ସର କର୍ମଚାରୀଙ୍କ ସଳାସୁତୁରାରେ ଧାନବିକ୍ରି ପାଇଁ ପଞ୍ଜିକୃତ ଚାଷୀମାନଙ୍କୁ ହାତ କରି ଚୋରାରେ ଧାନ ବିକ୍ରି ହେବାର ସମ୍ଭାବନା ରହିଛି ।

ପୂର୍ବବର୍ଷ ମାନଙ୍କରେ ଏହିପରି ସଳାସୁତୁରାରେ ଧାନବିକ୍ରି ହୋଇଥିବା ଅନେକ ଉଦାହରଣ ରହିଛି । ଏହାଦ୍ୱାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାନ ଉତ୍ପାଦନ କରିଥିବା ପ୍ରକୃତ ଚାଷୀ କ୍ଷତି ସହୁଛନ୍ତି । ଏଣୁ ଚଳିତ ଋତୁରେ ଧାନମଣ୍ଡି ସଂପୂର୍ଣ୍ଣ ବନ୍ଦକରି ମରୁଡି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ତଥା ସରକାରୀ ଋଣ କରିଥିବା ଚାଷୀଙ୍କୁ ଋଣଛାଡ କରିବା ନେଇ ଦାବୀ କରାଯାଇଛି । ଚାଷୀଙ୍କ ଗଣଧାରଣା ଖବର ପାଇ କଳାହାଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କ୍ଷୀରୋଦ ବିହାରୀ ଭରତ ନାଗ ଘଟଣା ସ୍ଥଳକୁ ଯାଇ ଚାଷୀମାନଙ୍କୁ ବୁଝାସୁଝା କରିବା ସହ ଗଣଧାରଣାରୁ ଓହରି ଯିବା ପାଇଁ ଅନୁରୋଧ କରିଥିଲେ ।

ଏହା ପୂର୍ବରୁ ସହକାରୀ ନିବନ୍ଧକ ସେବା ସମବାୟ ଭବାନୀପାଟଣା ମମତାରାଣୀ କୁଜୁର, ଉପସହକାରୀ ନିବନ୍ଧକ ସୁରେନ୍ଦ୍ର ମାଝୀ, ପ୍ରବୀର ଘୋଷ ପ୍ରମୁଖ ଚାଷୀଙ୍କ ଗଣଧାରଣା ସ୍ଥଳରେ ପହଞ୍ôଚ ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ । ତେବେ ଚାଷୀମାନେ ଏଥିପ୍ରତି କର୍ଣ୍ଣପାତ ନ କରି ତହସିଲଦାର ଶ୍ରୀ ନାଗଙ୍କୁ ଗୁଡେଇ ତୁଡେଇ ଚାଷୀଙ୍କ ସମସ୍ୟା ନେଇ ଅନେକ ପ୍ରଶ୍ନମାନ ପଚାରିଥିଲେ । ଦୀର୍ଘ ସମୟ ଧରି ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ହୋଇଥିଲା ।

ଖବର ପାଇ ସଦରଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଘଟଣା ସ୍ଥଳରେ ସଦଳବଳ ସହ ପହଂଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଏଥିପୂର୍ବରୁ ଘଟଣା ସ୍ଥଳରେ ଏକ ପ୍ଳାଟୁନ ପୋଲିସ୍ ମୃତୟନ ରହିଥିବା ଦେଖାଯାଇଥିଲା । ଥୁଆପଦର  ପଞ୍ଚାୟତ ଚାଷୀ ସଂଘ ତରଫରୁ ଅନୁଷ୍ଠିତ ଏହି ଗଣଧାରଣାରେ ଆଇନଜୀବି କୀର୍ତ୍ତନ ନାଏକ, ଚାଷୀ ପ୍ରତିନିଧ ପରମେଶ୍ୱର ଜାନୀ, ଦିଗାମ୍ବର ଲୁହା, ରଘୁମଣୀ ଭାଟି, ଲକ୍ଷ୍ମଣ ସାହୁ, ଧନୁର୍ଯ୍ୟ ଭୋଇ, ରୋମାଞ୍ଚଳ ଭୋଇ, କୈଳାସ ସାହୁ, ଦୟାନିଧି ନାଏକ, ବିଦ୍ୟାଧର ଜୁଆଡ, ନିଳାମ୍ବର ରଣା, ରାମଦାସ ଜାନୀ, ପୁରୁଷୋତ୍ତମ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଚାଷୀଙ୍କ ଦାବି ପ୍ରଶାସନ ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ଚାଷୀ ସଂଘ ତରଫରୁ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର