ଜଂକିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ହଜ ପଂଚାୟତ ତଥା ସିକୋ ଫାଣ୍ଡି ଅନ୍ତର୍ଗତ ନିଧିପୁର ଗ୍ରାମର ଜଣେ ନବବଧୂଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ବାପଘରଲୋକେ
ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବାବେଳେ ଶାଶୁଘରଲୋକ ଏହାକୁ ଆତ୍ମହତ୍ୟା ରୂପ ଦେଉଥିବା ଅଭିଯୋଗ ହେଉଛି।
ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ହିରାପୁର ପଂଚାୟତ ସିକୋ ଫାଣ୍ଡି ଅନ୍ତର୍ଗତ ରାୟମୂଳଗ୍ରାମର ନବକିଶୋର ମଗଂରାଜଙ୍କ ଝିଅ ଶିଳ୍ପଲତା (୨୩) ସ୍ଥାନୀୟ ନିଧିପୁରଗ୍ରାମର
ମହେଶ୍ବର ଛୁଆଳସିଂହଙ୍କ ବଡ଼ପୁଅ ଜଗଦୀଶ ଛୁଆଳସିଂହ(୨୮)ଙ୍କୁ ଗତ ବର୍ଷ ବୈଦିକରୀତିରେ ବିବାହ କରିଥିଲେ। ବିବାହର କିଛିମାସ ଭଲରେ ଚଳିବାପରେ ଶିଳ୍ପଲତାକୁ
ତାର ସ୍ବାମୀ ଜଗଦୀଶ, ଶାଶୁ ସୁକାନ୍ତି ଛୁଆଳସିଂହ(୫୪), ଶ୍ବଶୁର ମହେଶ୍ବର ଛୁଆଳସିଂହ(୬୦)ଓ ଦିଅର ଜୀବନ ଛୁଆଳସିଂହ(୨୦)ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ ବୋଲି ଶିଳ୍ପଲତାଙ୍କ ପିତା
ନବକିଶୋର ଜେନା ଜଂକିଆ ଥାନାରେ ଏତଲା ଦେଇଥିବାବେଳେ ଗତ ୨୫ତାରିଖ ସଂଧ୍ୟାରେ ଝିଅ ଶିଳ୍ପଲତା ମରିଯାଇଥିବା ଶଶ୍ବରଘର ବାଦବାରବାଟୀ ଗ୍ରାମରୁ ଫୋନ ମାଧ୍ୟମରେ ଖବର ପାଇଥିବା ଏତଲାରେ ଦର୍ଶାଇଛନ୍ତି।
ଶିଳ୍ପଲତା ଦଉଡ଼ି ଦେଇ ନିଜ ବେଡରୁମରେ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ ଦର୍ଶାଇଥିଲେ। ଏଣେ ଖବର ପାଇ ଘଟଣାସ୍ଥଳକୁ ସିକୋ ଫାଣ୍ଡି ଅଧିକାରୀ, ଜଂକିଆ ଥାନା ଭାରପ୍ରାପ୍ତ ଅଧିକାରିଣୀ ଓ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ପହଞ୍ଚି ଦେଖିଲାବେଳକୁ ମୃତା ଶିଳ୍ପଲତାକୁ ତାର ବେଡ ତଳେ ଶୁଆଇଦିଆଯାଇଛି। ପୁଲିସ ଶବ ଜବତକରି ତଦନ୍ତ ଜାରି ରଖିଥିବାବେଳେ ଶିଳ୍ପଲତାଙ୍କ ସ୍ବାମୀ
କର୍ମଭୂମି ମୁମ୍ବାଇରେ ଥିଲେ। ପୁଲିସ ଶାଶୁ ଓ ଦିଅରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତା ଶିଳ୍ପଲତାଙ୍କର ୮ମାସର ଏକ ଶିଶୁକନ୍ୟା ରହିଛି। ପୁଲିସର ନିରପେକ୍ଷ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।