ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟସ୍ଥ ଇବ ନଦୀ ପଠାରୁ ତଳସରାର ଯୁବକ ଦୁର୍ଗା ମାଝୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ  ଉଦ୍ଧାର ମାମଲାର ପର୍ଦ୍ଦାଫାସ କରିଛି ପୁଲିସ।  ମାମଲାରେ ସମ୍ପୃକ୍ତ ୬ ଜଣ ଗିରଫ ହୋଇଛନ୍ତି। ହତ୍ୟା ଅଭିଯୁକ୍ତମାନେ ନିହତଙ୍କ ପରିବାର ଲୋକେ ବୋଲି ଜଣାଯାଇଛି। ଘରୋଇ କଳହକୁ ନେଇ ଏ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।

Advertisment

ମାର୍ଚ୍ଚ ୩ ତାରିଖ ରାତିରେ ଇବନଦୀ ପଠାରୁ ସଂପୃକ୍ତ ଯୁବକଙ୍କ କଟାମୁଣ୍ଡ ଓ ଗୋଟିଏ ଗୋଡ଼ ଉଦ୍ଧାର କରାଯାଇଥିଲା। ୪ ତାରିଖ  ସକାଳେ ପାଣି ଭିତରୁ  ଏକ ହାତ ଓ ଏକ ଗୋଡକୁ ଉଦ୍ଧାର କରାଯାଇଥିଲା। ନିହତ ଦୁର୍ଗା ସଦର ଥାନା ଖତବଡେଗା ମଝାପଡ଼ା ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଏସପି ସାଗରିକା ନାଥଙ୍କ ତତ୍ତ୍ବାବଧାନରେ ସଦର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲେ।

ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଥିଲା। କିରେଇ ଗ୍ରାମପଞ୍ଚାୟତର ଗାଁ ସାଥୀ ରମେଶ ସିଂହଙ୍କୁ ମଧ୍ୟ ଏହି ଭଳି ହତ୍ୟା କରାଯାଇଥିଲା। ପରକୀୟା ପ୍ରୀତି ପାଇଁ ରମେଶଙ୍କୁ ହତ୍ୟା କରାଯାଇଥିଲା ଓ ସେହି ଘଟଣାରେ ପୁଲିସ ଶାଶୁ ଓ ଜ୍ଵାଇଁଙ୍କୁ ଗିରଫ କରିଥିଲା। ଘଟଣାରେ ୨ ମାସ ନ ପୂରୁଣୁ ଅନୁରୁପ ଭାବେ ପୁଣି ସମାନ ଢଙ୍ଗରେ ହୋଇଛି ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।