ବ୍ରହ୍ମପୁର: କରୋନା ହଟ୍ସ୍ପଟ୍ ଗଞ୍ଜାମରେ ଜୁଲାଇରେ ସଂକ୍ରମଣ ଓ ମୃତ୍ୟୁହାର ଭୟାନକ ଥିଲା। ଚଳିତ ମାସ(ଅଗଷ୍ଟ) ପ୍ରଥମରୁ ହିଁ ସଂକ୍ରମଣ ହାର ହ୍ରାସ ପାଇଛି। ହେଲେ ମୃତ୍ୟୁହାର ଅତ୍ୟନ୍ତ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି। ଗତ ୩ ମାସରେ ଜିଲ୍ଲାରେ ୧୩୭ ଜଣଙ୍କ ଜୀବନ ଗଲାଣି। ମେ ୨ତାରିଖ ଠାରୁ ଜୁନ ୩୦ ସୁଦ୍ଧା ଜିଲ୍ଲାରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା, ୧୪୭୨ ଜଣ ସ˚କ୍ରମିତ ଥିଲେ। ଜୁଲାଇ ମାସକରେ ଆଉ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୮,୮୯୨ଜଣ ସ˚କ୍ରମିତ ଚିହ୍ନଟ ହୋଇଥିଲେ। ଚଳିତ ମାସର ଏହି ୧୦ ଦିନରେ ଜିଲ୍ଲାରେ ୪୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏଣେ ୨୬୯୨ ଜଣ ସଂକ୍ରମିତ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲା ପାଇଁ ଗଠିତ ବିଶେଷଜ୍ଞମଣ୍ଡଳୀ ସଦସ୍ୟ ତଥା ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଅଗ୍ରୱାଲ କହିଛନ୍ତି, ବହୁତ ଲୋକଙ୍କ ନିକଟରେ କରୋନା ଭୂତାଣୁ ରହିଛି, କିନ୍ତୁ ସେମାନେ ଲୋକଲୋଚନକୁ ଆସୁନାହାନ୍ତି। ଜ୍ବର, ଥଣ୍ଡା ଓ କାଶରେ ଯିଏ ବି ମରୁଛି ସେମାନେ କୋଭିଡ଼୍ ଟେଷ୍ଟ କରୁ ନ ଥିବାରୁ ଗଣତିରେ ଆସୁନାହାନ୍ତି। ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କୁ ଯଦି ଜ୍ବର, କାଶ ଓ ଥଣ୍ଡା ହେଉଛି ସେ ଟେଷ୍ଟ ନ କରି ବିଭିନ୍ନ ଔଷଧ ଖାଇ ସୁସ୍ଥ ହୋଇ ଯାଉଛନ୍ତି। ସେ ଭାବୁଛନ୍ତି ଆମ ପରିବାର ସମେସ୍ତ ସୁସ୍ଥ ହୋଇଗଲୁ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଘରର ବୟସ୍କ ବ୍ୟକ୍ତି ସଂକ୍ରମିତ ହେଉଥିବା ନଜରକୁ ଆସୁଛି, ଯାହାକି ମରାତ୍ମକ ସାବ୍ୟସ୍ତ ହେଉଛି। ଅନ୍ୟପକ୍ଷରେ ଲୋକଙ୍କ ମନରୁ ଏ ଯାବତ୍ ଭୟ ଦୂର ହୋଇନି। ସ୍ବତଃପ୍ରବୃତ୍ତ ଭାବେ ଆସି କରୋନା ଟେଷ୍ଟ୍ କରୁନାହାନ୍ତି। ଗୁରୁତର ଅବସ୍ଥାକୁ ଆସିବା ପରେ ମେଡିକାଲ ଆସୁଛନ୍ତି। ସେତେବେଳେ ଅକ୍ସିଜେନ ସ୍ତର କମିଯାଉଛି। ସେହି ସମୟରେ ବି ପ୍ଲାଜ୍ମା ଦେବା ସମ୍ଭବ ନୁହଁ। ଶେଷରେ ରୋଗୀର ମୃତ୍ୟୁ ଘଟୁଛି। କିନ୍ତୁ ଡାକ୍ତର ଚିକିତ୍ସା କଲେନି ଓ ଅକ୍ସିଜେନ୍ ଦେଲେନି ଭଳି ଅଭିଯୋଗ ବି ଆସୁଛି।
ଖୋର୍ଦ୍ଧାରେ ବର୍ତ୍ତମାନ ପଜିଟିଭ୍ ବଢ଼ିବା ପଛରେ ମୁଖ୍ୟ କାରଣ ହେଉଛି, ଶିକ୍ଷିତ ଓ ସଚେତନ ବର୍ଗ ସ୍ବତଃ ଟେଷ୍ଟ୍ ପାଇଁ ଆଗେଇ ଆସୁଛନ୍ତି ଓ ଅଧିକ ଟେଷ୍ଟ୍ ମଧ୍ୟ ହେଉଛି। ଜ୍ବର, ଥଣ୍ଡା ହେବା କ୍ଷଣି ସେମାନେ ଯାଇ ଟେଷ୍ଟ୍ କରୁଛନ୍ତି, ଦିନକ ମଧ୍ୟରେ ଟେଷ୍ଟ ରିପୋର୍ଟ ପାଉଛନ୍ତି। ତେଣୁ ପଜିଟିଭ୍ ସଂଖ୍ୟା ବଢୁଛି। ରାଜ୍ୟରେ ପ୍ରତ୍ୟହ ୧୫ହଜାର ଟେଷ୍ଟ ହେଉଛି। ଦୈନିକ ଟେଷ୍ଟ୍କୁ ୨୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସରକାରଙ୍କ ଯୋଜନା ରହିଛି। ତେଣୁ ଗଞ୍ଜାମ ଲୋକମାନେ ଲକ୍ଷଣ ନ ଲୁଚାଇ ଟେଷ୍ଟ୍ କରିବାକୁ ଆଗେଇ ଆସିବା ଦରକାର।
ଦ୍ବିତୀୟରେ ଗଞ୍ଜାମରେ କରୋନା ରୋଗୀଙ୍କ ଠାରେ ୨୦-ସି ନାମକ ଭୂତାଣୁ ଚିହ୍ନଟ ହୋଇଛି। ଏହା ଅତ୍ୟନ୍ତ ମରାତ୍ମକ ଭୂତାଣୁ, ଯାହାକି ଇନ୍ଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି। ଏହି ଭୂତାଣୁ ଗଞ୍ଜାମରେ କେବଳ ଚିହ୍ନଟ ହୋଇଛି। ଏହା କବଳରୁ ବଞ୍ଚିବା କଷ୍ଟ। କୋ-ମୋର୍ବିଡ ରୋଗୀ ଯଦି କରୋନାରେ ଆକ୍ରାନ୍ତ ହେଉଛନ୍ତି ବଞ୍ଚିବା କଷ୍ଟ ହେଉଛି। ଗଞ୍ଜାମରେ ମୃତ୍ୟୁହାର ବଢ଼ିବା ପଛରେ ଏହି ସବୁ କାରଣ ରହିଛି। ମୃତ୍ୟୁ ହାରକୁ ରୋକିବା ପାଇଁ ଜନସାଧାରଣଙ୍କ ୯୦ ପ୍ରତିଶତ ଦାୟିତ୍ବ ରହିଛି। ଜିଲ୍ଲା ପ୍ରଶାସନ ଓ ଡାକ୍ତରଙ୍କ ପାଖରେ ୧୦ ପ୍ରତିଶତ ରହୁଛି। ଜିଲ୍ଲା ପ୍ରଶାସନ ଭିତ୍ତିଭୂମି ଯୋଗାଇବେ, ଡାକ୍ତର ଚିକିତ୍ସା କରିବେ। କିନ୍ତୁ ଲୋକମାନେ ଯଦି ବିଳମ୍ବରେ ଗୁରୁତର ହେବା ପରେ ଚିକିତ୍ସା ଲାଗି ଆସିବେ କେହି କିଛି କରିପାରିବେ ନାହିଁ।