ଭୁବନେଶ୍ୱର : ଓଲିଉଡ଼୍ର ଲୋକପ୍ରିୟ ଅଭିନେତା ଦେବୁ ବୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସମ୍ବାଦ ଡଟ୍ ଇନ୍ ପକ୍ଷରୁ ସଦ୍ୟ ତଥ୍ୟ ହାସଲ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଦେବୁ ବୋଷଙ୍କ ଡାଇବେଟିସ୍ ଏବେ ନିୟନ୍ତ୍ରଣରେ ରହିଛି। ତେବେ ତାଙ୍କର ନିମ୍ନ ରକ୍ତଚାପ ରହିଛି । ତାଙ୍କର ରକ୍ତରେ ସଂକ୍ରମଣ ଥିବାର ମଧ୍ୟ ସୂଚନା ମିଳିଛି। ଅବସ୍ଥା ସଂକଟାପନ୍ନ ନୁହେଁ ବୋଲି କୁହାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷ ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଥିଲା। ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଥିଲେ।
ତେବେ ଦେବୁଙ୍କର ଗୁରୁତର ହେବା କଥା ହଠାତ୍ ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ଦେବୁଙ୍କ ଶରୀରବସ୍ଥା କିପରି ଅଛି ଜାଣିବାକୁ ଚେଷ୍ଟା କରିଛନ୍ତି। ଦେବୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି। ଦେବୁ ବୋଷ ହାଇଦ୍ରାବାଦରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିଲେ। ତେବେ ଗତକାଲି ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଦେବୁ ବୋଷ୍ ଶତାଧିକ ଓଡ଼ିଆ ସିନେମା ଏବଂ ଟେଲି ଧାରାବାହିକରେ ଅଭିନୟ କରିଛନ୍ତି।