ଧୋନିଙ୍କ ନୂଆ ପାଳି ପୂର୍ବରୁ ଗୋଡ଼ଟଣା ଆରମ୍ଭ

ମାର୍ଗଦର୍ଶକ ନିଯୁକ୍ତ ହେବା ପରଦିନ ଆସିଲା ଦ୍ବୈତ ସ୍ବାର୍ଥ ଅଭିଯୋଗ

ନୂଆଦିଲ୍ଲୀ : ଦୁଇ ଥର ବିଶ୍ବବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୟୁଏଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଘୋଷିତ ଭାରତୀୟ ଦଳର ମାର୍ଗଦର୍ଶକ ନିଯୁକ୍ତ ହେବାର ପରଦିନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବହୁ ଭାରତୀୟ କିଂବଦନ୍ତି କ୍ରିକେଟର୍‌ଙ୍କ ବିରୋଧରେ ‌ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଆସିଥିବା ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ପୂର୍ବତନ ଆଜୀବନ ସଦସ୍ୟ ସଂଜୀବ ଗୁପ୍ତା ତାଙ୍କ ‌ଗୋଡ଼ ଟାଣିବା ଆରମ୍ଭ କରି ଦେଇଛନ୍ତି। ବିସିସିଆଇ ଆପେକ୍ସ କାଉନସିଲ୍‌କୁ ପତ୍ରଲେଖି ଧୋନିଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି ଗୁପ୍ତା। ଏହି ପତ୍ର ମିଳିଥିବା ବିସିସିଆଇ ମଧ୍ୟ ସ୍ବୀକାର କରିଛି। ‘‘ହଁ, ଅନ୍ୟମାନଙ୍କ ସହ କାଉନସିଲ୍‌ର ସଦସ୍ୟ ଥିବା ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହଙ୍କ ପାଖକୁ ଗୁପ୍ତା ଏଭଳି ଏକ ପତ୍ର ଲେଖିଛନ୍ତି। ବିସିସିଆଇ ନୂଆ ସମ୍ବିଧାନର ଧାରା ୩୮ (୪)ର ଦ୍ବାହି ଦେଇ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳର ଧୋନି ମାର୍ଗଦର୍ଶକ ହେବାକୁ ବିରୋଧ କରିଛନ୍ତି ସେ। ସମ୍ବିଧାନର ଏହି ଧାରା ଅନୁସାରେ ଜଣେ ଲୋକ ଦୁଇଟି ପୃଥକ ପୃଥକ ପଦ ଗ୍ରହଣ କରି ପାରିବେନାହିଁ। ସେହି ଦୃଷ୍ଟିରୁ ଧୋନିଙ୍କ ନିଯୁକ୍ତି ଅସାମ୍ବିଧାନିକ। କାରଣ ଧୋନି ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଖେଳାଳି ଓ ଅଧିନାୟକ ଥିଲା ବେଳେ ଭାରତୀୟ ଦଳର ମାର୍ଗଦର୍ଶକ ହୋଇ ପାରିବେନାହିଁ ବୋଲି ଗୁପ୍ତା ଯୁକ୍ତି ବାଢ଼ିଛନ୍ତି। ଆପେକ୍ସ କାଉନସିଲ୍ ଏଥିନେଇ ଆଇନ ବିଭାଗର ପରାମର୍ଶ ନେଉଛି। ତଦନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଭାରତକୁ ୨୦୦୭ ମସିହାରେ ପ୍ରଥମ ‌ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ଉପହାର ଦେଇଥିବା ଧୋନିଙ୍କୁ ବୁଧବାର ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳର ମାର୍ଗଦର୍ଶକ ନିଯୁକ୍ତ କରାଯାଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କୁ ଆ‌ନନ୍ଦିତ କରିଥିଲା। ତେବେ ଗୁରୁବାର ତାଙ୍କ ନିଯୁକ୍ତିକୁ ନେଇ ବିବାଦ ହେବା ବିସିସିଆଇକୁ ଅଡ଼ୁଆରେ ପକାଇଛି। ସମ୍ମାନଜନକ ନିଯୁକ୍ତି ଓ ବିବାଦ ସତ୍ତ୍ବେ ଧୋନି ଚିରାଚରିତ ଭାବେ ଚୁପ୍ ରହିବାକୁ ଅଧିକ ପସନ୍ଦ କରିଛନ୍ତି।

ପୂର୍ବତନ ଖେଳାଳିଙ୍କ ସ୍ବାଗତ, ମାହିଙ୍କୁ ଧନ୍ୟବାଦ ଦେଲେ ଗାଙ୍ଗୁଲି
ଭାରତୀୟ ଦଳ ଧୋନିଙ୍କ ଭଳି ଜଣେ ମହାନ ଖେଳାଳିଙ୍କୁ ମାର୍ଗଦର୍ଶକ ଭାବେ ପାଇବାକୁ ବହୁ ପୂର୍ବତନ ଭାରତୀୟ କ୍ରିକେଟର ପ୍ରଶଂସା କରିଛନ୍ତି। ଏଥିଲାଗି ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ମାର୍ଗଦର୍ଶକ ପଦ ଗ୍ରହଣ କରିଥିବାରୁ ଧୋନିଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଏବେକାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ‘‘ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଧୋନିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଲାଗି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବିସିସିଆଇ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି’’ ବୋଲି ଗାଙ୍ଗୁଲି ଟ୍ବିଟ୍ କରିଛନ୍ତି। ଧୋନିଙ୍କ ନିଯୁକ୍ତିକୁ କୋହଲି ମଧ୍ୟ ଦୃଢ଼ ସମର୍ଥନ କରିଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଅଧିନାୟକ, ଉପଅଧିନାୟକ ଓ ପ୍ରଶିକ୍ଷକ ଶାସ୍ତ୍ରୀଙ୍କ ସହ ଆଲୋଚନା କରିଥିଲି ବୋଲି ବିସିସିଆଇ ସଂପାଦକ ଜୟ ଶାହ କହିଛନ୍ତି।

ଠାକୁରଙ୍କୁ ମୁଣ୍ଡିଆ ମାରୁଛି, ଶାସ୍ତ୍ରୀ-ଧୋନି ଖେଞ୍ଚାଖେଞ୍ଚି ନହୁଅନ୍ତୁ: ଗାଭାସ୍କର
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳ ମାର୍ଗଦର୍ଶକ ଭାବେ ପାଇବାକୁ କିଂବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର ସ୍ବାଗତ କରିଛନ୍ତି। ତେବେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଧୋନିଙ୍କ ରଣନୀତିରେ ଯଦି ତାଳମେଳ ନରୁହେ ଏବଂ ପରସ୍ପର ପରସ୍ପରକୁ ବିରୋଧ କରିବା ଆରମ୍ଭ କରି ଦିଅନ୍ତି ତାହାଲେ ଜଟିଳ ପରିସ୍ଥିତି ‌ସୃଷ୍ଟି ହେବ ବୋଲି ଚେତାଇ ଦେଇଛନ୍ତି ସେ। ‘‘ଧୋନି ମାର୍ଗଦର୍ଶକ ଭାବେ ନିଯୁକ୍ତି ପାଇବା ଭାରତୀୟ ଦଳର ଦୃଷ୍ଟିକୋଣରୁ ଏକ ବହୁତ ଭଲ କଥା। ତାଙ୍କ ନେତୃତ୍ବରେ ଭାରତ ୨୦୧୧ ଏକଦିବସୀୟ ଏବଂ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଛି। ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି, ସେ ସବୁକିଛି ଜାଣିଛନ୍ତି। ଖେଳାଳି ଥିଲାବେଳେ ତାଙ୍କଠାରୁ ବିଧ୍ବଂସକାରୀ ବ୍ୟାଟ୍ସମ୍ୟାନ୍ ଆଉ କେହି ନଥିଲେ। ହେଲେ ମୁଁ ଠାକୁରଙ୍କୁ ମୁଣ୍ଡିଆ ମାରୁଛି ରଣନୀତି ପ୍ରସ୍ତୁତି ଓ ଚୂଡ଼ାନ୍ତ ଦଳ ଗଠନ ‌ବେଳେ ଏହି ଦୁଇ ଜଣଙ୍କ ଭିତରେ ଯେମିତି ମତପାର୍ଥକ୍ୟ ନହେଉ। ଏହା ହେଲେ ଦଳ ଉପରେ ନିଶ୍ଚିତ ନକାରାତ୍ମକ ପ୍ରଭାବ ପକାଇବ। ସେମାନେ ଏକମତ ହେଲେ କିନ୍ତୁ ଭାରତକୁ ବହୁତ ଫାଇଦା ମିଳିବ’’ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଗାଭାସ୍କର। ଏହିକ୍ରମରେ ସେ ନିଜ ଉଦାହରଣ ଦେଇଛନ୍ତି। ‘‘୨୦୦୪ ମସିହାରେ ମୋତେ ଭାରତୀୟ ଦଳର ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ହେଲେ ଭାରତୀୟ ଦଳର ତତ୍‌କାଳୀନ ପ୍ରଶିକ୍ଷକ ଜନ୍ ରାଇଟ୍‌ଙ୍କ ମନରେ ଏଥିନେଇ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥିଲା। ମୁଁ ତାଙ୍କ ସ୍ଥାନ ନେଇଯିବି ବୋଲି ରାଇଟ୍ ଭାବିଥିଲେ। ଅବଶ୍ୟ ଏହି କ୍ଷେତ୍ରରେ ଶାସ୍ତ୍ରୀ ଜାଣିଛନ୍ତି ଯେ ଧୋନିଙ୍କର ପ୍ରଶିକ୍ଷଣରେ କୌଣସି ରୁଚି ନାହିଁ’’ ବୋଲି ଗାଭାସ୍କର ଏହି ଅବସରରେ ଆହୁରି ମତ ଦେଇଥିଲେ। ଅବଶ୍ୟ ଧୋନି ଦୁଇ ତିନି ବର୍ଷ ପରେ ଭାରତୀୟ ଦଳର ପ୍ରଶିକ୍ଷକ ପଦ ଗ୍ରହଣ କଲେ ଅସୁବିଧା ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଥିଲେ।

ସମ୍ବନ୍ଧିତ ଖବର