ଅଗ୍ନିଶମ, ଓଡ୍ରାଫ୍‌କୁ ଅଧିକ ସଶକ୍ତ କରାଯିବ

ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

ଅଗ୍ନିଶମ ସେବାର ପରିସର ବୃଦ୍ଧି ପାଇବ
ଓଡ୍ରାଫ୍‌ ଟିମ୍‌କୁ ସଶକ୍ତ କରିବାକୁ ୬୫ କୋଟି
ଲୁଣା ଘେରି ବନ୍ଧ ଉଚ୍ଚତା ୬ ମିଟର୍‌ ବଢ଼ିବ

ଭୁବନେଶ୍ବର : ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ଆନ୍ତର୍ଜାତିକ ମାନଦଣ୍ଡ ହାସଲ କରିଛି। କିନ୍ତୁ ପରିବର୍ତ୍ତିତ ପାଣିପାଗ ସ୍ଥିତି, ଧ୍ବଂସକାରୀ ପ୍ରାକୃତିକ ବିପର୍ଯ୍ୟୟ, କ୍ରମବର୍ଦ୍ଧିଷ୍ଣୁ ସହର, ଅଜଣା ଭୂତାଣୁ ସଂକ୍ରମଣ ଓ ରସାୟନିକ ବିପର୍ଯ୍ୟୟ ଆଦିର ମୁକାବିଲା ନୂଆ ଆହ୍ବାନ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ଦକ୍ଷତାକୁ ଅଧିକ ବୃଦ୍ଧି କରାଯିବ। ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ ଅଗ୍ନିଶମ ସେବା ସଂସ୍ଥା ଓ ଓଡ୍ରାଫ୍‌କୁ ଅଧିକ ଦକ୍ଷ ଓ ସଶକ୍ତ କରିବାକୁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଦକ୍ଷତା ଅଭିବୃଦ୍ଧି ଓ ହାଇଟେକ୍‌ ସରଞ୍ଜାମ ସଂଗ୍ରହ ଉପରେ ଗୁରୁତ୍ବାରୋପ କରିଥିଲେ। ବହୁତଳ ବିଶିଷ୍ଟ କୋଠାବାଡ଼ି ଓ ଉଚ୍ଚ ସ୍ଥାନ ଆଦିରେ ଘଟୁଥିବା ବିପଦରେ ସହାୟତା, ଜଙ୍ଗଲ ନିଆଁର ନିୟନ୍ତ୍ରଣ, କୋଠାବାଡ଼ିକୁ ଭୂତ‌ାଣୁମୁକ୍ତ କରିବା ନିମନ୍ତେ ଅଗ୍ନିଶମ ସେବା ସଂସ୍ଥାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏଥି ପାଇଁ ୩୯.୫୮ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଥିଲା।

ସେହିପରି ଓଡ୍ରାଫ୍‌ ଟିମ୍‌ଗୁଡ଼ିକୁ ଅଧିକ ସଶକ୍ତ କରିବା ପାଇଁ ୬୫.୩୫ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ମଞ୍ଜୁର କରାଯାଇଥିଲା। ଓଡ଼ିଶାରେ କାର୍ଯ୍ୟ କରୁଥିବା ୨୦ଟି ଓଡ୍ରାଫ୍‌ ୟୁନିଟ୍‌ ମଧ୍ୟରୁ ୧୦ଟି ୟୁନିଟ୍‌ର ନିଜସ୍ବ କାର୍ଯ୍ୟାଳୟ ଅଛି। ଅନ୍ୟ ୧୦ଟି ୟୁନିଟ୍‌ ପାଇଁ ନିଜସ୍ବ କାର୍ଯ୍ୟାଳୟ ପୁଲିସ୍‌ ହାଉସିଂ କର୍ପୋରେସନ୍ ମାଧ୍ୟମରେ ନିର୍ମାଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥି ପାଇଁ ପ୍ରାୟ ୩୪ କୋଟି ଟଙ୍କାର ବ୍ୟୟ ଅଟକଳକୁ ନୀତିଗତ ଅନୁମୋଦନ ମିଳିଥିଲା।

କ୍ରମବର୍ଦ୍ଧିଷ୍ଣୁ ସହରରେ ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ବର୍ଷା ଦିନରେ ପାଣି ଜମିବା ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରତିକାର ନିମନ୍ତେ ହାଇଟେକ୍ ମେସିନ୍‌ର ସଂଗ୍ରହ ଓ ଅଗ୍ନିଶମ ସେବା ସଂସ୍ଥା ମାଧ୍ୟମରେ ସେଗୁଡ଼ିକର ବ୍ୟବହାର ପ୍ରସ୍ତାବକୁ ବୈଠକରେ ନୀତିଗତ ଅନୁମୋଦନ ମିଳିଥିଲା।

ସମୁଦ୍ର ଓ ନଦୀକୂଳ ଆଦିରେ ହେଉଥିବା ମୂର୍ତ୍ତିକା ଅବକ୍ଷୟର ପ୍ରତିକାର ନିମନ୍ତେ ୩ଟି ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ରମେୟାପାଟଣାରେ ଉପକୂଳ ଅବକ୍ଷୟର ପ୍ରତିକାର, ପ୍ରହରାଜପୁର ଓ କୋଇଲିପୁର ପାଖରେ ହଂସୁଆ ନଦୀ କୂଳର ସୁରକ୍ଷା, କେନ୍ଦ୍ରାପଡ଼ା ଜିଲ୍ଲାର ଅଲତାଙ୍ଗ ଲୁଣା ବନ୍ଧର ସୁରକ୍ଷା, ରାଜନଗର ବ୍ଲକ୍‌ର ପେଣ୍ଠରେ ଉପକୂଳ ଅବକ୍ଷୟ ସୁରକ୍ଷା ଆଦି ପ୍ରକଳ୍ପ ଏହାର ଅନ୍ତର୍ଭୁକ୍ତ। ସମ୍ଭାବ୍ୟ ସାମୁଦ୍ରିକ ଉଚ୍ଚ ପ୍ରବାହର ପ୍ରତିକାର ପାଇଁ ଲୁଣାଘେରି ବନ୍ଧଗୁଡ଼ିକର ଉଚ୍ଚତା ୬ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।

ରାଜ୍ୟରେ ଏବେ ୨୫ଟି ଜିଲ୍ଲାରେ ୮୧୪ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ଅଛି। ତାହା ମଧ୍ୟରୁ ୨୩ଟି ଜିଲ୍ଲା ଅନ୍ତର୍ଗତ ୭୯୫ଟି ଆଶ୍ରୟସ୍ଥଳୀର ମରାମତି ଓ ରକ୍ଷଣ‌ାବେକ୍ଷଣ ପାଇଁ ସଂପୃକ୍ତ ବ୍ଲକ୍‌ ଓ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ଗୁଡ଼ିକୁ ୪୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଥିଲା।

ବୈଠକରେ ପୁଲିସ୍‌ ଡିଜି ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ କୁମାର ଜେନା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ସେବା ଡିଜି ସୁନିଲ ରାୟ ଓ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର