ବାରିପଦା: ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସତର୍କ ରୁହ। କରୋନା ମହାମାରୀ ସମୟରେ ଯେପରି ଉଦ୍ଧାର ଏବଂ ସହାୟତାରେ କୌଣସି ଅବହେଳା ନହୁଏ‌, ସେପ୍ରତି ଯତ୍ନବାନ ହେବା ଉଚିତ୍‌। ଗୁରୁବାର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ସମସ୍ତ ଅଧିକାରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍‌। ଅନ୍‌ଲାଇନରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଭାସ୍କରଚନ୍ଦ୍ର ମଢେଇ, ବିଧାୟକ ପ୍ରକାଶ ସୋରେନ, ବିଧାୟକ ରାଜକିଶୋର ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ବାରିପଦା ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ପି.ଅନ୍ୱେଷା ରେଡ୍ଡି, ପିଡି ଡିଆରଡିଏ ଭବେଶ କୁମାର ନାୟକ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ଲାଇନ ଅଧିକାରୀ ଯୋଗଦେଇଥିଲେ। ବର୍ଷାଋତୁରେ ସମ୍ଭାବ୍ୟ ବାତ୍ୟା, ବନ୍ୟା, ତଥା ଅନ୍ୟାନ୍ୟ ଆକସ୍ମିକ ଦୈବୀଦୁର୍ଘଟଣା ଆଦି ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଅନୁସାଙ୍ଗିକ ପ୍ରାକ୍ ପ୍ରସ୍ତୁତି, ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ତଥା ସୁପରିଚାଳନା କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

Advertisment

ଏନେଇ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ) କାର୍ଯ୍ୟକ୍ଷମ କରାଯିବା ସହିତ ପାଣିପାଗ ସମ୍ପର୍କରେ ସତର୍କ ସୂଚନା ପାଇଁ ସମସ୍ତ ଭିଏଚ୍‌‌ଫ ସେଟ୍  ଆଦିର ସୁବନ୍ଦୋବସ୍ତ କରିବାକୁ ନିଷ୍ପତି ହୋଇଥିଲା। ବାରିପଦା ଓ ରାଇରଙ୍ଗପୁର ଡିଭିଜନ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନରେ ବନ୍ୟା ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ନଳକୂପ କାର୍ଯ୍ୟକ୍ଷମ କରାଯିବା ଓ ଆବଶ୍ୟକୀୟ ବ୍ଲିଚିଙ୍ଗ୍ ପାଉଡର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଓଡ୍ରାଫ୍ଟ/ ଏନଡିଆରଏଫ/ ଅନ୍ୟାନ୍‌ଯ କର୍ମଚାରୀ ନିୟୋଜିତ କରାଯିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଆନୁସଙ୍ଗିକ ଯନ୍ତ୍ରପାତି ବ୍ୟବସ୍ଥା କରାଯିବା ପ୍ରସ୍ତୁତ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି।