କୋରାପୁଟ ମେଡିକାଲ କଲେଜର ପ୍ରତିଷ୍ଠା ହେବ ନ୍ୟୁକ୍ଲିକ ଏସିଡ ଆମ୍ପଲିଫିକେସନ ପିସିଆର ମେସିନ 

ବ୍ଳଡ଼ ବ୍ୟାଙ୍କ ପରିଦର୍ଶନ କଲେ ଡିଏମଟି ନିର୍ଦ୍ଦେଶିକା

କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଥିବା ବ୍ଲଡ଼ ବ୍ୟାଙ୍କ ପରିଦର୍ଶନରେ ଆସିଥିଲେ ରକ୍ତ ସଂଚାରଣ ପରିଷଦର ନିର୍ଦ୍ଦେଶିକା ଡ. ଅନ୍ନପୂର୍ଣ୍ଣା ମିଶ୍ର । ଦୀର୍ଘ ଅଢେଇ ଘଣ୍ଟା ଧରି ରକ୍ତ ଭଣ୍ଡାର ଅନେକ ସମସ୍ୟା ନେଇ ସେ ଆଲୋଚନା କରିଥିଲେ । କୋରାପୁଟ ରକ୍ତ ଭଣ୍ଡାରରେ ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଯାଉଛି ନ୍ୟୁକ୍ଲିକଏସିଡ ଆମ୍ପଲିଫିକେସନ ପିସିଆର ମେସିନ, ଯାହା  ରକ୍ତରେ ଏଚଆଇଭି ଭୂତାଣୁ ପରୀକ୍ଷଣ ପାଇଁ ଉଦ୍ଦିଷ୍ଠ ।
ଏହି ଅତ୍ୟାଧୁନିକ ମେସିନ ରକ୍ତ ଭଣ୍ଡାରରେ କେଉଁ ସ୍ଥାନରେ ବସିବ ସେ ନେଇ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।ତାଙ୍କ ସହିତ ଅତିରିକ୍ତ ନିର୍ଦ୍ଦେଶକ ଡ. ୱାଇବିଏନ ରାଓ ଓ ସହକାରୀ ନିର୍ଦ୍ଦେଶକ ସ୍ୱରୂପ କୁମାର ଦାଶ ମଧ୍ୟ ଉପସ୍ଥିତ ଥିଲେ ।  ଅନ୍ୟପଟେ ରକ୍ତ ଭଣ୍ଡାରର ଅନିୟମିତତା ଓ ବିଶୃଙ୍ଖଳା କୁ ନେଇ ନିର୍ଦ୍ଦେଶିକାଙ୍କ ପାଖରେ  ଜିଲ୍ଲା ରକ୍ତଦାତା ଫୋରମର କର୍ମକର୍ତା ଫେରାଦ ହୋଇଛନ୍ତ । ଜିଲ୍ଲାରେ ରକ୍ତର ଅଭାବ ଥିବା ବେଳେ ଜିଲ୍ଲା ରକ୍ତ ଦାତା ଫୋରମ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରିବା ନେଇ ଆବେଦନ କରାଯାଉଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ବ୍ଲଡ ବ୍ୟାଙ୍କ ଅଧିକାରୀ ସହଯୋଗ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଯେଉଁଠି ଜିଲ୍ଲାରେ ବର୍ଷକୁ ୧୧ହଜାର ୟୁନିଟ ରକ୍ତ ସଂଗ୍ରହ ହେଉଥିଲା ବର୍ତମାନ କେବଳ ୩ହଜାର ୟୁନିଟ ରକ୍ତ ସଂଗ୍ରହ ହେଉଥିବା ସେମାନେ ଜଣାଇଛନ୍ତି । ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ଥିବା ସତ୍ୱେ ରୋଗୀଙ୍କୁ ରକ୍ତ ନାହିଁ ବୋଲି କହି ବିନିମୟ ରକ୍ତ ଯୋଗାଡ କରିବା ପାଇଁ ସଂପକୀୟଙ୍କୁ ବ୍ଲଡବ୍ୟାଙ୍କ ଅଧିକାରୀ କହୁଥିବା ସେମାନେ ଦାବିପତ୍ରରେ ଲେଖିଛନ୍ତି । ଫୋରମ କାର୍ଯ୍ୟକର୍ତାଙ୍କ ବିଭିନ୍ନ ଦାବି ଗୁଡିକୁ ଶୁଣି ନିର୍ଦ୍ଦେଶିକା ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାସହ ସମସ୍ୟାର ସମାଧାନ କରାଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଭିଯାନ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ସମ୍ବନ୍ଧିତ ଖବର