ଡ୍ରୋନ୍‌ ରାସ୍ତା ଉପରେ ନିର୍ମାଣ ହୁଏ ନାହିଁ; ଏହାର ନିର୍ମାଣ ଏକ ରାଷ୍ଟ୍ର ସମର୍ଥିତ ବ୍ୟାପାର: ମୁଖ୍ୟ ଆର୍ମି ଅଫିସର

ନୂଆଦିଲ୍ଲୀ: ଜମ୍ମୁ ବିମାନବନ୍ଦରର ବାୟୁସେନା ବେସ ଉପରେ ରବିବାର ହୋଇଥିବା ଡ୍ରୋନ୍ ଷ୍ଟ୍ରାଇକରେ ବ୍ୟବହୃତ ଟେକ୍ନୋଲୋଜି, ଦେଶ ସମର୍ଥିତ ଥିବା ନେଇ ଦର୍ଶାଇବା ସହ ପାକିସ୍ତାନର ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ହାତ ଥିବା ଦର୍ଶାଇଛି | ଆଜି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି.ପି ପାଣ୍ଡେ |

“ଆମେ ଭଲଭାବେ ଜାଣୁ ଯେ ଏହି ଡ୍ରୋନ୍ ଏବଂ ଏଥିରେ ବ୍ୟବହୃତ ବୈଷୟିକ ଜ୍ଞାନ କୌଶଳ ଦେଶ ସମର୍ଥିତ ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟାକୁ ସୂଚାଉଛି | ଡ୍ରୋନ୍ ରାସ୍ତା କଡ଼ରେ ତିଆରି ହୋଇପାରିବ ନାହିଁ। ଆକ୍ରମଣ କରାଯାଇଥିବା ଡ୍ରୋନରେ ଦେଶ ସମର୍ଥିତ ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ହୋଇଥିବା ସହ ପାକିସ୍ତାନର ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତଇବାର ହାତ ରହିଛି ବୋଲି କହିଛନ୍ତି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି.ପି ପାଣ୍ଡେ |ତେବେ ଡ୍ରୋନ୍ ଆକ୍ରମଣ ନେଇ ଚାଲିଥିବା ତଦନ୍ତ ବିଷୟରେ ବିଶେଷ କିଛି ସୂଚନା ଦେବାକୁ ସେ ମନା କରିଦେଇଛନ୍ତି |

ତେବେ ଆଜି ମଧ୍ୟ କ୍ରମାଗତ ଚତୁର୍ଥ ଦିନରେ ଜମ୍ମୁର ତିନୋଟି ପୃଥକ୍‌ ସ୍ଥାନରେ ନିରାପତ୍ତା କର୍ମଚାରୀମାନେ ଡ୍ରୋନ୍‌ ଦେଖିଛନ୍ତି। ଗତ ରାତିର ଦ୍ବିତୀୟାର୍ଦ୍ଧର ଶେଷ ଆଡ଼କୁ ଏହି ଡ୍ରୋନ୍‌ଗୁଡ଼ିକ ଜମ୍ମୁ ଅଞ୍ଚଳର ମିରନ୍‌ ସାହିବ, କାଲୁଚକ ଏବଂ କୁଞ୍ଜୱାନି ଅଞ୍ଚଳ ଆକାଶରେ ଉଡୁଥିଲେ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାହାନ୍ତା ପ୍ରାୟ ୪.୪୦ ମିନିଟ୍‌ରେ କାଲୁଚକରେ ଗୋଟାଏ ଅଜ୍ଞାତ ଡ୍ରୋନ୍‌ ଉଡୁଥିଲା। ପାହାନ୍ତ ୪.୫୨ ମିନିଟ୍‌ରେ ଜମ୍ମୁର କୁଞ୍ଜୱାନି ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନ୍‌ ସିଗ୍‌ନାଲ୍‌ ପାଖରେ ଅନ୍ୟ ଏକ ଉଡ଼ନ୍ତା ଡ୍ରୋନ୍‌ ଦେଖାଯାଇଥିଲା। ପ୍ରତିରକ୍ଷା ଛାଉଣି ଅଞ୍ଚଳ ନିକଟରେ ଏହି ଡ୍ରୋନ୍‌ ସବୁ ଉଡୁଥିବା ଲକ୍ଷ୍ୟ କରାଯାଉଛି।

ସୂଚନାଯୋଗ୍ୟ, ଗତ ଚାରିଦିନ ହେବ ଜମ୍ମୁ ଅନ୍ତର୍ଗତ ସାମରିକ ଛାଉଣିଗୁଡ଼ିକ ନିକଟରେ ଅନ୍ୟୂନ ୭ଟି ଡ୍ରୋନ୍‌ ଉଡୁଥିବା ଦେଖାଗଲାଣି। ଜୁନ୍‌ ୨୭ ତାରିଖ ଦିନ ଦୁଇଟି ଡ୍ରୋନ୍‌ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ‌ଷ୍ଟେସନ୍‌ରେ ଦୁଇଟି ବୋମା ଫିଙ୍ଗିଥିଲେ। ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ସାମରିକ ଆଡ୍ଡା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ପ୍ରଥମ ଡ୍ରୋନ୍‌ ଆକ୍ରମଣ।

ଏହାର ଦିନକ ପରେ ମଧ୍ୟ ଭାରତୀୟ ବାୟୁସେନା କାଲୁଚକ ସାମରିକ ଛାଉଣି ପାଖରେ ଉଡୁଥିବା ଦୁଇଟି ଡ୍ରୋନ୍‌ ଉପରକୁ ଗୁଳି ଚଳାଇଥିଲା। ମଙ୍ଗଳବାର ରାତି ୨.୩୦ରେ ମଧ୍ୟ ଜମ୍ମୁସ୍ଥିତ ସୁଞ୍ଜ୍‌ୱାନ୍‌ ସାମରିକ ଛାଉଣି ସମେତ ତିନୋଟି ସ୍ଥାନରେ ଗୋଟିଏ ଡ୍ରୋନ୍‌ ଉଡୁଥିଲା।

ସମ୍ବନ୍ଧିତ ଖବର