ତେଲ ବର୍ଜିତ ପରିବା ସାଲାଡ୍ ଖାଉଥିବା ଲୋକମାନଙ୍କ ପାଇଁ ଏକ ବିଶେଷ ଖବର। ନିକଟ ଅତୀତରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପରିବା ସାଲାଡ୍ରେ ଟିକେ ତେଲ ପକାଇ ଖାଇଲେ ଶରୀର କେତେକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ବିଶୋଷଣ କରିପାରେ। ଅଧ୍ୟନନରୁ ଜଣା ପଡ଼ିଛି କିଛି ନ ହେଲେ ମଧ୍ୟ ଲୋକେ ଯଦି ସାଲାଡ୍ରେ ଟିପେ ସୋୟାବିନ୍ ତେଲ ଗୋଳାଇ ଖାଇବେ ଶରୀର ପାଇଁ ତାହା ଉପକାରୀ ହେବ। ସାଲାଡ୍ ପରିବାରେ ଥିବା ଆଠ ପ୍ରକାର ଭିନ୍ନ ଭିନ୍ନ ସୂକ୍ଷ୍ମ ପୋଷକତତ୍ତ୍ୱଗୁଡ଼ିକୁ ଶୋଷଣ କରାଇବାରେ ତେଲ ମାନବ ଶରୀରକୁ ସହାୟତା କରେ।
ତେଲ ପଡ଼ି ନ ପକାଇ ସାଲାଡ୍ ଖାଇଲେ ଉକ୍ତ ପୋଷକତତ୍ତ୍ୱ ସବୁକୁ ଶରୀର ଅତି କମ୍ ମାତ୍ରାରେ ଏବଂ କେତେକ କ୍ଷେତ୍ରରେ ଆଦୌ ବିଶୋଷଣ କରିପାରେ ନାହିଁ। ଗବେଷଣାରୁ ଜଣା ପଡ଼ିଛି ଯେ ମିଶ୍ରିତ ସାଲାଡ୍ ପନିପରିବାରେ ଥିବା ଆଠ ପ୍ରକାର ପୋଷକତତ୍ତ୍ୱକୁ ବିଶୋଷଣ କରିବାରେ ତୈଳର ଭୂମିକା ଅନସ୍ୱୀକାର୍ଯ୍ୟ। ଏହି ପୋଷକତତ୍ତ୍ୱରେ ରହିଛି ଆଲ୍ଫା ଏବଂ ବିଟା କେରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଭଳି ଚାରିଟି କେରୋଟିନଏଡ୍ସ୍। ଭିଟାମିନ୍ ଏ’କୁ ବିଶୋଷଣ କରିବା ପାଇଁ ତୈଳ ମଧ୍ୟ କାମ କରିଥାଏ। ଉକ୍ତ ଗବେଷଣା ଅନୁସାରେ ଅଷ୍ଟମ ସୂକ୍ଷ୍ମ ପୋଷକତତ୍ତ୍ୱ ଆଲ୍ଫା ଏବଂ ବିଟା କେରୋଟିନ୍ରୁ ଅନ୍ତଃନଳୀରେ ସୃଷ୍ଟି ହୋଇଥାଏ।
ପୋଷକତତ୍ତ୍ୱ ଉତ୍ତମ ରୂପେ ବିଶୋଷର ହେଲେ ଶରୀରକୁ ଅନେକ ସ୍ୱାସ୍ଥ୍ୟଗତ ଉପକାର ମିଳିଥାଏ। ଦୃଷ୍ଟିଶକ୍ତି ଦୀର୍ଘସ୍ଥାୟୀ ହେବା ଏବଂ କର୍କଟ ରୋଗ ପ୍ରତିରୋଧ କରିବା ଆଦି ଉପକାର ଅର୍ନ୍ତଭୁକ୍ତ। ପରିବାପତ୍ରରେ ଗୋଳା ଯାଉଥିବା ତୈଳର ପରିମାଣ ସହ ପୋଷକତତ୍ତ୍ୱ ବିଶୋଷଣ ପରିମାଣର ଆନୁପାତିକ ସମ୍ପର୍କ ରହିଛି। ଅର୍ଥାତ୍ ତୈଳର ପରିମାଣ ଯେତେ ଅଧିକ ହେବ ପୋଷକତତ୍ତ୍ୱ ବିଶୋଷଣ ପରିମାଣ ସେତେ ଅଧିକ ହେବ ବୋଲି ଅଧ୍ୟୟନ କହୁଛି। ଗବେଷିକା ହ୍ଵାଇଟ୍ କହନ୍ତି: ଏହାକୁ ବୁଝାଇବାର ସର୍ବୋତ୍ତମ ଉପାୟ ହେଉଛି ସାଲାଡ୍ ଡ୍ରେସିଙ୍ଗ୍ ପାଇଁ ଦୁଇ ଗୁଣ ତେଲ ବ୍ୟବହାର କଲେ ପୋଷକତତ୍ତ୍ୱ ବିଶୋଷଣ ମଧ୍ୟ ଦୁଇ ଗୁଣ ହେବ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ଲୋକେ ସେମାନଙ୍କ ସାଲାଡ୍କୁ ତେଲରେ ତିନ୍ତାଇ ଦେବେ।
ବ୍ୟାବସାୟିକ ସାଲାଡ୍ ଡ୍ରେସିଙ୍ଗ୍ ନିମନ୍ତେ ସାଧାରଣ ବୋଲି ବିଚାର କରାଯାଉଥିବା ସୋୟାବିନ୍ ତୈଳକୁ ସାଲାଡ୍ରେ ଭିନ୍ନ ଭିନ୍ନ ପରିମାଣରେ ଖାଉଥିବା ୧୨ ଜଣ କଲେଜ ପଢୁଆ ଯୁବତୀଙ୍କୁ ଏହି ଅଧ୍ୟୟନ ଅନ୍ତର୍ଭୁକ୍ତ କରାଯାଇଥିଲା। ପୋଷକତତ୍ତ୍ୱ ବିଶୋଷଣ ମାପ କରିବା ଲାଗି ଗବେଷକଗଣ ସେମାନଙ୍କର ରକ୍ତ ପରୀକ୍ଷା କରାଇ ଥିଲେ। ପୁରୁଷ ଓ ମହିଳାଙ୍କ ଶରୀରରେ ପୋଷକତତ୍ତ୍ୱଗୁଡ଼ିକର ଦହନ ବେଗରେ ତାରତମ୍ୟ ଥିବା କଥା କୁହାଯିବାରୁ ପରୀକ୍ଷଣ ପାଇଁ ମହିଳାମାନଙ୍କୁ ଚୟନ କରା ଯାଇଥିଲା।
୩୨ ଗ୍ରାମ୍ ବା ଦୁଇ ଟେବଲ୍ ଚାମଚରୁ କିଛି ଅଧିକ ପରିମାର ତେଲ ଗୋଳାଯାଇଥିବା ସାଲାଡ୍ ଖାଇବାଦ୍ୱାରା ସର୍ବାଧିକ ପୋଷକତତ୍ତ୍ୱ ବିଶୋଷିତ ହୋଇଥିବା କଥା ଅଧ୍ୟୟନରୁ ଜଣା ପଡ଼ିଥିଲା। ସେ ଯାହାହେଉ ଗବେଷିକା ହ୍ଵାଇଟ୍ କହନ୍ତି ଯେ, ଅବଶ୍ୟ ପରୀକ୍ଷଣ ପାଇଁ ଚୟନ କରାଯାଇଥିବା ଯୁବତୀଙ୍କଠାରେ ପୋଷକତତ୍ତ୍ୱ ବିଶୋଷଣର ପରିମାଣରେ କିଛି ତାରତମ୍ୟ ଦେଖା ଯାଇଥିଲା।
ଉପସଂହାରରେ ହ୍ଵାଇଟ୍ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କ ନିମନ୍ତେ ପୋଷକତତ୍ତ୍ୱ ବିଶୋଷଣ ନିମନ୍ତେ ତୈଳର ବ୍ୟବହାର ଫଳପ୍ରଦ ହେଉଛି। ଅର୍ଥାତ୍ ସାଲାଡ୍ରେ ତୈଳର ବ୍ୟବହାର ପୋଷକତତ୍ତ୍ୱ ବିଶୋଷଣ ଧାରକୁ ବଢ଼ାଇବାରେ ସମର୍ଥ ହେଉଛି।
‘ଦି ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି।