ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କାର୍ଯ୍ୟାଳୟରେ ହାଜର ହେଲେ ଲୋକପ୍ରିୟ ଟଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା। ବୁଧବାର ଇଡି ତାଙ୍କୁ ପଚରାଉଚରା ପାଇଁ ଡକାଇଥିଲା ବୋଲି ଜଣାପଡ଼ିଛି। ହଠାତ୍ ବିଜୟଙ୍କୁ ଇଡି ଡାକିବାର କାରଣକୁ ନେଇ ପ୍ରଶଂସକ ଚିନ୍ତିତ ଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି। କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ 'ଲାଇଗର' ପାଇଁ ପାଣ୍ଠି ଯୋଗାଣକୁ ନେଇ ଇଡି ତଦନ୍ତ କରୁଛି। ଏନେଇ ପଚରାଉଚରା ପାଇଁ ବିଜୟଙ୍କୁ ଡକାଯାଇଥିବା ଜଣାପଡ଼ିଛି।

Advertisment

ଅଭିନେତା ହାଇଦ୍ରାବାଦରେ ଥିବା ଏଜେନ୍ସିର ଆଞ୍ଚଳିକ କାର୍ଯ୍ୟାଳୟରେ ଇଡି ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ଫିଲ୍ମ ପାଇଁ ହୋଇଥିବା ପାଣ୍ଠି ଯୋଗାଣରେ ବିଦେଶୀ ମୁଦ୍ରା ପରିଚାଳନା ଆଇନ(ଫେମା)ର ଉଲ୍ଲଂଘନ ଅଭିଯୋଗର କେନ୍ଦ୍ରୀୟ ଏଜେନ୍ସି ଅନୁସନ୍ଧାନ କରୁଛି। ଏନେଇ ଅଭିନେତାଙ୍କୁ ଡକାଯାଇଥିବାରୁ ସକାଳ ୮ଟାରେ ଇଡି କାର୍ଯ୍ୟାଳୟରେ ବିଜୟ ପହଞ୍ଚିଥିଲେ‌ ବୋଲି ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ପାଇଁ ହୋଇଥିବା ପାଣ୍ଠି ଯୋଗାଣ ବିଷୟରେ ଇଡି କେବଳ ବିଜୟଙ୍କୁ ନୁହେଁ ଫିଲ୍ମର ନିର୍ମାତା ଚାର୍ମି କୌରଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ନଭେମ୍ବର ୧୭ରେ ଚାର୍ମି କୌରଙ୍କୁ ଇଡି ପଚରାଉଚରା କରିଥିଲା।

ସୂଚନାନୁସାରେ, ବିଜୟ ଦେଭେରକୋଣ୍ଡାଙ୍କୁ ଫିଲ୍ମରେ ଲାଗିଥିବା ଅର୍ଥର ଉତ୍ସ ଓ ଆମେରିକୀୟ ବକ୍ସର ମାଇକ ଟାଇସନଙ୍କ ସମେତ ଅନ୍ୟ କଳାକାରଙ୍କୁ ଦିଆଯାଇଥିବା ପାରିଶ୍ରମିକର ଉତ୍ସ ବିଷୟରେ ପଚରାଯାଇଥିଲା। କଂଗ୍ରେସ ନେତା ବକ୍କା ଜଡସନ ସନ୍ଦେହଜନକ ଉତ୍ସରୁ ଆସିଥିବା ଟଙ୍କାକୁ ଫିଲ୍ମ 'ଲାଇଗର'ରେ ବିନିଯୋଗ କରାଯାଇଥିବା ନେଇ ଅଭିଯୋଗ କରିବା ପରେ ଇଡି ଏହାର ତଦନ୍ତ ଆରମ୍ଭ କରିଥିଲା।