ଆସନ୍ତାକାଲି ସରିବ ପ୍ରଚାର : ତିର୍ତ୍ତୋଲ୍ ଓ ବାଲେଶ୍ବରରେ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ସବୁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

ଜଗତସିଂହପୁର/ ବାଲେଶ୍ବର: ଆସନ୍ତାକାଲି ସରିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ସେଥିପାଇଁ ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଉଦ୍ୟମ ଜାରି ରଖିଛନ୍ତି । ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା ।

ଜଗତସିଂହପୁରର ତିର୍ତ୍ତୋଲରେ ଜମୁଛି ଉପନିର୍ବାଚନ ପ୍ରଚାର । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ତୁଙ୍ଗ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଶାଳ ରାଲି କରି ଭୋଟ୍ ଭିକ୍ଷା କରୁଛନ୍ତି ଦଳୀୟ ନେତା ଓ କର୍ମୀ । ବିଜେଡି ପକ୍ଷରୁ ତିର୍ତ୍ତୋଲର ବିଭିନ୍ନ ଅଞ୍ଚଳରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଚନ୍ଦ୍ରସାରଧୀ ବେହେରା, ରାଜଶ୍ରୀ ମଲ୍ଲିକ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥିବା ବେଳ ଅଭିନେତା କୁନା ତ୍ରିପାଠୀ ବି ନିଜ ଢ଼ଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ସମର୍ଥନ ଭିକ୍ଷା କରିଛନ୍ତି। ସେହିପରି ବିଜେପି ପକ୍ଷରୁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଲାଗି ପ୍ରଚାର କରିଥିବା ବେଳେ ଆଜି ମଇଦାନକୁ ଆସିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀ। ତାଙ୍କ ସହ ବିଜେପିର ଅନ୍ୟ ଛାମୁଆ ନେତା ମଧ୍ୟ ପ୍ରଚାରରେ ଲାଗିଛନ୍ତି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକଙ୍କ ଲାଗି ଜଟଣୀ ବିଧାୟକ ସୁର ରାଉତରାୟ, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ଏବଂ ସତ୍ୟପ୍ରକାଶ ନାୟକ ପ୍ରମୁଖ ତିର୍ତ୍ତୋଲର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ପୂରା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି।

ବାଲେଶ୍ୱରରେ ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀ ସୌରଭ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ଶହଶହ ବିଜେଡି କର୍ମୀଙ୍କ ସହ ରାଲି କରିଛନ୍ତି ବିଜେଡିର ତୁଙ୍ଗ ନେତା । ଶାସକ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ,  ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ସୁଦାମ ର୍ମାଣ୍ଡି  ପ୍ରମୁଖ ବାଲେଶ୍ବରରେ କ୍ୟାମ୍ପ କରି ରହିବା ସହ ଜୋରଦାର ପ୍ରଚାର ଚଳାଇଛନ୍ତି।  ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଆଜି କଂଗ୍ରେସ ପକ୍ଷରୁ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଚାରର ମଙ୍ଗ ଧରିଛନ୍ତି।  ସେପଟେ ଭୋଟ ହାତେଇବା ପାଇଁ ବିଜେପି ମଧ୍ୟ ରାଲି ଓ ଜନସଭାର ଆୟୋଜନ କରୁଛି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ଶନିବାର ପ୍ରଚାରର ମଙ୍ଗ ଧରି ଦଳୀୟପ୍ରାର୍ଥୀ ମାନସ ଦତ୍ତଙ୍କୁ ଜିତାଇବା ପାଇଁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର