ଗୁଳି ବାଜି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହେଲା

ସମ୍ବଲପୁର: ଗତରାତିରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ୍‌ ଅନ୍ତର୍ଗତ ଇଚ୍ଛାପାଳ ଗାଁ ପାଖ ଜଙ୍ଗଲରେ ମରି ପଡ଼ିଥିବା ଦନ୍ତାହାତୀର ମୃତ୍ୟୁ ଗୁଳି ବାଜି ହୋଇଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ହାତୀର ଗୋଡ଼ରେ ଓ ଦାନ୍ତମୂଳରେ ଗୁଳି ବାଜିଥିଲା। ଏହା ପରେ ଗୁଳିମାଡ଼ରେ ସୃଷ୍ଟି ହୋଇଥିବା କ୍ଷତ ପଚି ଯିବାରୁ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ସମ୍ବଲପୁର ସଦର ରେଞ୍ଜ୍‌ ଅଧୀନ ବସିଆପଡ଼ା ଫରେଷ୍ଟ୍‍ ସେକ୍‌ସନ୍‌ରେ ଏହି ଘଟଣା ଘଟିଛି।

ଦନ୍ତାହାତୀର ମୃତଦେହ ପଡ଼ିଥିବା ଖବର ପାଇବା ପରେ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ହାତୀର ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମ ସମୟରେ ହାତୀର ଗୋଡରେ ଘା’ହୋଇ ପଚି ଯାଇଥିବା ବେଳେ ତା’ର ଦାନ୍ତମୂଳରେ ମଧ୍ୟ ଘା’ହୋଇଥିବା ଦେଖିବାକୁ ମିଳିଥିଲା। ହାତୀର ଶରୀରରୁ ପୋର୍ଟମର୍ଟମ ସମୟରେ ଦେଶୀ ବନ୍ଧୁକରୁ ମରା ଯାଇଥିବା ଗୁଳି ବାହାର କରାଯାଇଛି। ସ୍ଥାନୀୟ ବନ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ସପ୍ତାହକ ତଳେ ଦନ୍ତାକୁ ଗୁଳି ଦ୍ବାରା ଆକ୍ରମଣ କରାଯାଇଥିଲା। ଏହାପରେ ଆହତ ହାତୀଟି ଘୁରି ବୁଲୁଥିଲା। ଯେହେତୁ ହାତୀର ଦାନ୍ତ ଦୁଇଟି ଅକ୍ଷତ ରହିଛି ତେଣୁ ଶିକାରୀଙ୍କ ହାବୁଡ଼ରେ ହାତୀ ପଡ଼ି ନ ଥିବା ସ୍ପଷ୍ଟ ହୋଇଛି। ଏହି ଅଞ୍ଚଳରେ ଗୋଟିଏ ଦଳ ଶିକାରୀ ସକ୍ରିୟ ହୋଇ ଉଠିଥିବା ବନ ବିଭାଗ ଆଶଙ୍କା କରୁଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ଏହି ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର