ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନଖଣ୍ତରେ ହାତୀ ଆକ୍ରମଣରେ ଇତି ମଧ୍ୟରେ ବହୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗକୁ ସେତେଟା ସଫଳତା ମିଳିପାରୁ ନାହିଁ। ଶୁକ୍ରବାର ଦିନ ଦ୍ବିପ୍ରହରରେ ହିତସରା ଜଙ୍ଗଲ ନିକଟରେ ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ହିତସରା ଗ୍ରାମର ଦୟାନିଧି ସାହୁ (୬୫) ରାଇଲ ଗ୍ରାମକୁ ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିଲେ।

Advertisment

ଆଜି ସେଠାରୁ ଫେରୁଥିବା ବେଳେ ହିତସରା ଜଙ୍ଗଲରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦୟାନିଧିଙ୍କ ସହିତ ତାଙ୍କ ପୁତୁରା ସୁଦାମ ସାହୁ ମଧ୍ୟ ଥିଲେ। ତେବେ ସୁଦାମ କୌଣସି ମତେ ସେଠାରୁ ଖସି ଆସି ଗାଁ’ରେ ଓ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଏପରିକି ହାତୀ ଆକ୍ରମଣରେ ଇତି ମଧ୍ୟରେ ଦୟାନିଧିଙ୍କ ମୃତ୍ୟୁ ହୋଇ ସାରିଥିବା ସେ ଆଶଙ୍କା ପ୍ରକାଶ କରିଥିଲେ। ଖବର ପାଇ ଗ୍ରାମବାସୀ ଓ ଫରେଷ୍ଟରଙ୍କ ସମେତ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ଦୟାନିଧିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାକୁ ପଠାଇଥିଲେ। ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା ମଧ୍ୟ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପ୍ରକାଶଥାଉ କି ଉକ୍ତ ଜଙ୍ଗଲରେ ହାତୀ ଗତିବିଧି ଜାରିଥିବା ନେଇ ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ସତ୍ତ୍ବେ ଅମାନିଆ ଗ୍ରାମବାସୀ ସେଠାକୁ ଯାଇ ବିପଦରେ ପଡୁଥିବା ବନ ବିଭାଗ କହିଛି।