ବକୁ : ଚେକ୍ରିପବ୍ଲିକ୍ ବିପକ୍ଷ କ୍ବାର୍ଟର ଫାଇନାଲ୍କୁ ୨-୧ ଗୋଲ୍ରେ ଜିତି ସ୍ପେନ୍, ଇଟାଲି ପରେ ଡେନମାର୍କ ତୃତୀୟ ଦଳ ଭାବେ ୟୁରୋକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଫଳରେ ଏହି ଦଳର ପାଖାପାଖି ତିନି ଦଶନ୍ଧି ଅପେକ୍ଷାର ସୁଖଦ ଅନ୍ତ ହୋଇଛି। ଶନିବାର ରାତିରେ ଖେଳା ଯାଇଥିବା ଏହି ଉତ୍ଥାନ ପତନ ଭରା ମୁକାବିଲାରେ ଡେନମାର୍କ ଅଗ୍ରଭାଗ ଆରମ୍ଭରୁ ଚେକ୍ରିପବ୍ଲିକ୍ ରକ୍ଷଣଭାଗ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଯାହାର ଫଳ ୫ ମିନିଟ୍ ଭିତରେ ହିଁ ଦଳକୁ ମିଳିଥିଲା। ପଞ୍ଚମ ମିନିଟ୍ରେ ଯୁବ ତାରକା ଥୋମାସ ଡେନାଲି ଅତି ଚତୁରତାର ସହ ବଲ୍କୁ ଚେକ୍ରିପବ୍ଲିକ୍ ଗୋଲ୍ ପୋଷ୍ଟ୍ ଭିତରକୁ ପଠାଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ୪୨ତମ ମିନିଟ୍ରେ ଯାହାକୁ କାସ୍ପର ଡୋଲବର୍ଗ ୨-୦ କରି ଦେଇଥିଲେ। ଚେକରିପବ୍ଲିକ୍ କିନ୍ତୁ ପୂରା ପ୍ରଥମାର୍ଦ୍ଧରେ ଡେନମାର୍କ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲା। ଫଳରେ ଡେନମାର୍କ ସେହି ୨-୦ରେ ଆଗୁଆ ରହିବାର ସ୍ଥିତି ଅପରିବର୍ତ୍ତିତ ରହିଥିଲା।
ଦ୍ବିତୀୟାର୍ଦ୍ଧରେ ପ୍ରଶିକ୍ଷକଙ୍କୁଠାରୁ ଗୁରୁମନ୍ତ୍ର ନେଇ ପଡ଼ିଆକୁ ଓହ୍ଲାଇଥିବା ଚେକରିପବ୍ଲିକ୍ ନିଜ କୌଶଳ ବଦଳାଇ ଡେନମାର୍କ ରକ୍ଷଣଭାଗ ଉପରେ ଆକ୍ରମଣର ମାତ୍ରା ବଢ଼ାଇଥିଲା। ଯାହାର ଲାଭ ୪୯ ତମ ମିନିଟ୍ରେ ମିଳି ଯାଇଥିଲା। ପ୍ୟାଟ୍ରିକ୍ ସ୍କିକ୍ ମ୍ୟାଚ୍ର ତୃତୀୟ ଏବଂ ଚେକରିପବ୍ଲିକ୍ର ପ୍ରଥମ ଗୋଲ୍ ଦେଇ ସ୍ଥିତି ୨-୧ କରି ନେଇଥିଲେ। ହେଲେ ବହୁ ଚେଷ୍ଟା କରେ ଚେକ୍ରିପବ୍ଲିକ୍ ବଳକା ୪୧ ମିନିଟ୍ ସହ ଷ୍ଟପେଜ୍ ଟାଇମ୍ରେ ଅନ୍ୟ ଗୋଲ୍ଟିକୁ ଶୁଝି ପାରି ନଥିଲା। ସେଥିପାଇଁ ଶେଷ ପର୍ଯ୍ୟନ୍ତ ୨-୧ ସ୍କୋର ଲାଇନ୍ ବଦଳି ନଥିଲା। ଆଉ ଗୋଟିଏ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ନେଇ ଡେନମାର୍କ ଦୀର୍ଘ ୨୯ ବର୍ଷ ପରେ ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ଚେକରିପବ୍ଲିକ୍ ୫୬ ପ୍ରତିଶତ ସମୟ ବଲ୍କୁ ନିୟନ୍ତ୍ରଣରେ ରଖିବା ସତ୍ତ୍ବେ ସୁଯୋଗକୁ ଗୋଲ୍ରେ ରୂପାନ୍ତର କରି ନପାରି କ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଥିଲା। ଶେଷ ଥର ପାଇଁ ଡେନମାର୍କ ୧୯୯୨ରେ ୟୁରୋକପ୍ର ସେମିଫାଇନାଲ୍ ଯାଇ ବିଜେତା ହୋଇଥିଲା।