କୋଚି: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଶୁକ୍ରବାର କୋଚିର ଜବାହାରଲାଲ୍ ନେହରୁ ଷ୍ଟାଡ଼ିୟମରେ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ତାରକା କାଟ୍ରିନା କୈଫ୍ ଏବଂ ସଲମାନ ଖାନ୍ ରଙ୍ଗାରାଙ୍ଗ କାର୍ଯ୍ୟକ୍ରମକୁ ମନମତାଣିଆ କରିଥିଲେ। କାଟ୍ରିନା ଧଳା ରଙ୍ଗର ପ୍ୟାଣ୍ଟ୍ ସାଙ୍ଗକୁ ନୀଳ ରଙ୍ଗର ଟପ୍ସ ପିନ୍ଧି ‘ଧୁମ୍ ମଚାଲେ’, ‘ଶିଲାକି ଜଓ୍ଵାନି’ ଓ ‘ମୁଖ୍ଡେ ପେ’ ଗୀତର ତାଳେ ତାଳେ ନାଚିଥିଲେ। ଏହାପରେ ସଲମାନ ସାଇକେଲ୍ରେ ଆସି କାଟ୍ରିନାଙ୍କ ସହ ‘ଟାଇଗର ଜିନ୍ଦା ହୈ’ ଚଳଚ୍ଚିତ୍ରର ଗୀତରେ ନାଚି ଦର୍ଶକଙ୍କୁ ବିଭୋର କରି ଦେଇଥିଲେ। ଏହି ସାସ୍କୃତିକ କାର୍ଯ୍ୟକ୍ରମ ପରେ ସଲାମାନ ଉଭୟ ଦଳର ଅଧିନାୟକ ଏବଂ କିମ୍ବଦନ୍ତୀ ଭାରତୀୟ କ୍ରିକେଟର୍ ତଥା କେରଳ ବ୍ଲାଷ୍ଟର୍ସର ମାଲିକ ସଚିନ ତେନ୍ଦୁଲକରଙ୍କ ସହ ଭାବ ବିନିମୟ କରିଥିଲେ।
ଶୁକ୍ରବାରର ଉଦ୍ଘାଟନୀ ମୁକାବିଲାରେ ଦୁଇ ମହାନ୍ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ ଦଳ ଏଟିକେ ଏବଂ ସଚିନ୍ଙ୍କ ଦଳ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଉଭୟ ଦଳ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ। ଫଳରେ ମ୍ୟାଚ୍ ଅମୀମାାସିତ ଭାବେ ଶେଷ ହୋଇଥିଲା। ୨୦୧୪ ଏବଂ ୨୦୧୬ ସଂସ୍କରଣରେ ଉଭୟ ଦଳ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଉଭୟ ଥର ଏଟିକେ ଦଳ ବିଜେତା ହୋଇଥିଲା। ଗତ ଫାଇନାଲ୍ର ପ୍ରତିଶୋଧ ନେବାର ଲକ୍ଷ୍ୟରେ ଥିବା ସଚିନ୍ଙ୍କ ଦଳ ଏହା କରିବାରେ ବିଫଳ ହୋଇଛି।