ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ ବଣ୍ଟାଯାଇଥିବା ଲିଫଲେଟରେ ଗାନ୍ଧିଜୀଙ୍କୁ ନେଇ ଭୁଲ ତଥ୍ୟ : କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କୁ ନେଇ ଗଣଶିକ୍ଷା ବିଭାଗ ଦେଇଛି ଭୁଲ ତଥ୍ୟ, ଯାହାକୁ ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲରେ ବଣ୍ଟାଯାଇଥିବା ଲିଫଲେଟରେ ଭୁଲ ତଥ୍ୟ ଥିଲା, ଯାହାକୁ ନେଇ ପ୍ରବଳ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବିଭାଗ ପକ୍ଷରୁ ବଣ୍ଟା ଯାଇଥିବା ଲିଫଲେଟରେ ଲେଖାଯାଇଛି, ଜାନୁଆରି ୩୦, ୧୯୪୮ ମସିହାରେ ଏକ ଆକସ୍ମିକ ଘଟଣାରେ ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ଘଟିଥିଲା । ଏହା ସଂପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ ତଥ୍ୟ ବୋଲି ସାମ୍ବାଦିକ ସମ୍ମିଳନୀ କରି ମତ ରଖିଛନ୍ତି ଅନେକ ସାମାଜିକ କର୍ମୀ । ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ଏଥିରେ ଉଲ୍ଲେଖ କରାଯାଇ ନାହିଁ । ଏପରିକି ନାଥୁରାମ ଗଡସେ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇ ନାହିଁ ।

ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରିବା ସହ ଯେଉଁ ବ୍ୟକ୍ତିବିଶେଷ ଏହାକୁ ଲେଖିଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଭାଗ ପକ୍ଷରୁ ‘ଆମ ବାପୁଜୀ : ଏକ ଝଲକ’ ସଂକ୍ରାନ୍ତୀୟ ଲିଫଲେଟ ସମସ୍ତ ସ୍କୁଲରେ ବଣ୍ଟନ କରାଯାଇଥିଲା । ଆଉ ଏଥିରେ ଥିବା ଗୁରୁତର ତ୍ରୁଟି ସାମ୍ନାକୁ ଆସିବା ପରେ ବିବାଦ ଘେରକୁ ଆସିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀଙ୍କୁ ପାଳନ କରିବାକୁ ନିଷ୍ପତ୍ତି ନେଇ ଆଗକୁ ବଢୁଥିବା ବେଳେ ଏହି ତ୍ରୁଟି ଏକ ଭିନ୍ନ ବାର୍ତ୍ତା ଦେଉଥିବା ଗାନ୍ଧିବାଦୀମାନେ ମତ ରଖିଛନ୍ତି। ଏଭଳି ଅକ୍ଷମଣୀୟ ଅପରାଧକୁ କେବେ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ସମ୍ବନ୍ଧିତ ଖବର