ୟୁରୋପୀୟ ସଂଘର ସଦସ୍ୟ ହେବ ୟୁକ୍ରେନ, ପ୍ରସ୍ତାବକୁ ଗୃହୀତ କଲା ୟୁରୋପୀୟ ସଂସଦ

ବ୍ରସେଲ୍ସ : ୟୁରୋପୀୟ ସଂଘ ସଦସ୍ୟ ହେବା ନେଇ ଆହୁରି ନିକଟତର ହୋଇଛି ୟୁକ୍ରେନ । ଏହି ସଦସ୍ୟତା ପ୍ରସ୍ତାବ ସପକ୍ଷରେ ଆଦି ୟୁରୋପୀୟ ସଂସଦ ଭୋଟ ଦେଇଛି । ଆଜି ଅନୁଷ୍ଠିତ ଭୋଟ ଗ୍ରହଣରେ ଏହି ପ୍ରସ୍ତାବ ସପକ୍ଷରେ ୫୨୯ଟି ଭୋଟ ମିଳିଥିବାବେଳେ ବିପକ୍ଷରେ ୪୫ଟି  ଭୋଟ ପଡ଼ିଥିଲା । ସେହିପରି ୧୪ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ । ଫଳରେ ଏହି ପ୍ରସ୍ତାବଟି ୟୁରୋପୀୟ ସଂସଦରେ ଗୃହୀତ ହୋଇଯାଇଛି । ଏହା ସହିତ ମୋଲଡୋଭାର ସଦସ୍ୟତା ପ୍ରସ୍ତାବକୁ ମଧ୍ୟ ସମର୍ଥନ ମିଳିଛି । ଅନ୍ୟପକ୍ଷରେ ଆଉ କେତେକ ମାନଦଣ୍ଡ ପୂରଣ କଲେ ଜର୍ଜିଆର ସଦସ୍ୟତା ସଂପର୍କରେ ବିଚାର କରାଯିବ ।

ଏହା ପୂର୍ବରୁ ଗତ ସପ୍ତାହରେ ୟୁରୋପୀୟ ସଂଘର ସଦସ୍ୟତା ପାଇଁ ୟୁକ୍ରେନକୁ ୟୁରୋପୀୟ କମିସନ ସମର୍ଥନ କରିଥିଲା । ଏସମ୍ପର୍କରେ ୟୁରୋପୀୟ କମିସନର କାର୍ଯ୍ୟନିର୍ବାହୀ କମିସନର ମୁଖ୍ୟ ଉର୍ସୁଲା ଭାନ ଡର ଲେୟେନ ଘୋଷଣା କରିଥିଲେ । ଏହି ଘୋଷଣା କରିବା ବେଳେ ସେ ୟୁକ୍ରେନ ଜାତୀୟ ପତାକାର ରଙ୍ଗ- ହଳଦିଆ ଓ ନୀଳ ରଙ୍ଗର ଏକ ପୋଷାକ ପିନ୍ଧିଥିଲେ । ଅନ୍ୟପକ୍ଷରେ ୟୁକ୍ରେନ ୟୁରୋପୀୟ ସଂଘର ସଦସ୍ୟତାକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ହିଁ କହିସାରିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବାର ୪ ଦିନ ପରେ ୟୁକ୍ରେନ ସରକାର .ୟୁରୋପୀୟ ସଂଘରେ ସାମିଲ ହେବାକୁ ଆବେଦନ କରିଥିଲେ । ସେବେଠାରୁ ଏହି ଆବେଦନ ବିଚାରାଧୀନ ଥିଲା ।

 

 

 

ସମ୍ବନ୍ଧିତ ଖବର