ଫୁଲନଖରା: ଅବସର ନେବାର ଆଜକୁ ୯ବର୍ଷ ବିତିଲାଣି। କିନ୍ତୁ ବିଦ୍ୟାଳୟ ମୋହ ତାଙ୍କୁ ଛାଡ଼ୁନି। ପୂର୍ବରୁ ବିଦ୍ୟାଳୟର ପାଠପଢା ଓ ଉନ୍ନତିକରଣ କାର୍ଯ୍ୟ ଯେମିତି ତୁଲାଉଥିଲେ ଆଜି ବି ଠିକ ସେମିତି କରୁଛନ୍ତି। ଏହି ଆଦର୍ଶ ପ୍ରଧାନ ଶିକ୍ଷକ ଜଣକ ହେଲେ ସଦର ବ୍ଳକ ଉରାଳୀ ପଞ୍ଚାୟତ ଅନ୍ତର୍ଗତ ସଇନ୍ଧା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ.ଶରତକୁମାର ରଥ ଓରଫ ଟୁକୁନ ସାର। ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲାବେଳେ ଆବଶ୍ୟକ ପଡ଼ିଲେ ସେ ଝାଡ଼ୁ ମାରିବାକୁ ସୁଦ୍ଧା ପଛାଉ ନଥିଲେ। ଏବେ ମଧ୍ୟ କୌଣସି ମାନ ସମ୍ମାନକୁ ଖାତିର ନକରି ସ୍କୁଲ ନିର୍ମାଣ କାର୍ଯ୍ୟରେ ଇଟା, ବାଲି ଓ ସିମେଣ୍ଟ ମସଲା ଆଦି ନିଜେ ବୋହି ରାଜମିସ୍ତ୍ରି ହାତକୁ ବଢାଇଦେବା ଦୃଶ୍ୟ ଅନେକଙ୍କୁ ଚକିତ କରିଛି। ହାଇସ୍କୁଲର ପ୍ରତିଷ୍ଠାରେ ଟୁକୁନ ସାରଙ୍କ ପ୍ରମୁଖ ଭୂମିକା ଥିଲାବେଳେ ତାଙ୍କ ଚାକିରି ଜୀବନ ସେଇଠାରୁ ଆରମ୍ଭ ଓ ସେହିଠାରେ ହିଁ ଶେଷ ହୋଇଥିଲା। ଅବସର ପରେ ଦୁଇ ବର୍ଷ ସେ ଉକ୍ତ ସ୍କୁଲରେ ଅତିଥି ଶିକ୍ଷକଭାବେ କାର୍ଯ୍ୟ କରିଥିଲେ ଓ ସେ ବାବଦ ପ୍ରାପ୍ୟ ସମସ୍ତ ଅର୍ଥକୁ ସେହି ସ୍କୁଲର ଉନ୍ନତିରେ ହିଁ ଖର୍ଚ୍ଚ କରି ଦେଇଥିଲେ।
କେବଳ ସେତିକି ନୁହେଁ ମୋ ସ୍କୁଲ ଅଭିଯାନରେ ନିଜେ ସାଇକେଲରେ ବୁଲି ବୁଲି ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ୫ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲେ। ସେହି ଅର୍ଥରେ ଏବେ ଏକ ସୁଦୃଶ୍ୟ ଶ୍ରେଣୀ କକ୍ଷ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବିଦ୍ୟାଳୟଟି ଆଜି ଯେଉଁ ସ୍ତରରେ ପହଞ୍ଚିଛି ସେଥିପାଇଁ ଟୁକୁନ ସାରଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ଏକ ମହାବିଦ୍ୟାଳୟର ଭ୍ରମ ସୃଷ୍ଟି କରିଥିବା ଏହି ସ୍କୁଲକୁ ଏକଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଖି ଗ୍ରାମାଞ୍ଚଳରେ ଏପରି ସ୍କୁଲ ହେବା ନିଶ୍ଚିତଭାବେ ପ୍ରଶଂସନୀୟ ଓ ଏହାର ମୁଖ୍ୟ ବିନ୍ଧାଣି ଶରତ ସାରଙ୍କ ବିଷୟରେ ଜାଣିବା ପରେ ଶ୍ରୀ ପ୍ରଧାନ ଟୁକୁନ ସାରଙ୍କ ଘରେ ପହଞ୍ଚି ତାଙ୍କୁ ପ୍ରଣିପାତ ପୂର୍ବକ ଆଶୀର୍ବାଦ କାମନା କରିଥିଲେ। ଜଣେ ସୁଲେଖକ, ସୁବକ୍ତା ଓ ଶିକ୍ଷାବିତଭାବେ ସଦର ଅଞ୍ଚଳରେ ବେଶ ସୁଖ୍ୟାତି ଅର୍ଜନ କରିଥିବା ଏହି ସାଧାସିଧା ତଥା ନିରଳସ ସ୍ବଭାବର ବ୍ୟକ୍ତିତ୍ବ ଟୁକୁନ ସାରଙ୍କ ମତରେ ସ୍କୁଲ ହିଁ ସମସ୍ତ ସଫଳତାର ସୂତ୍ରଧର। ସ୍କୁଲ ପ୍ରତି ସମସ୍ତଙ୍କ ସ୍ନେହ, ସଦିଚ୍ଛା ରହିବା ଉଚିତ।