ଭୁବନେଶ୍ବର ସହରରେ ଅପରାଧ ଦିନକୁ ଦିନ ବଢ଼ି ଚାଲିଛି। ଛିନତାଇଠାରୁ ଆରମ୍ଭ କରି ବନ୍ଧୁକ ଦେଖାଇ ଲୁଟ ଭଳି ଘଟଣା ଘଟାଇବାକୁ ଅପରାଧୀମାନଙ୍କ ପଛଘୁଞ୍ଚା ନାହିଁ। ଗତ କିଛି ଦିନ ତଳେ ଭୁବନେଶ୍ବର ସହରରେ ସକାଳ ୬ରୁ ୬.୩୦ ଭିତରେ ୬ଟି ଲୁଟ ହୋଇଥିଲା। ପ୍ରାତଭ୍ରମଣ ବେଳେ ଏହି ଘଟଣା ଘଟିଥିଲା। ୟେତ ଗଲା ଭୋରର କଥା। ସେହିପରି ୨୪ ଘଣ୍ଟା ମୋବାଇଲ ଲୁଟେରାମାନେ ଦଳ ଦଳ ହୋଇ ବୁଲୁଛନ୍ତି। ଏକୁଟିଆ ହେଉ କିମ୍ବା ଜନଗହଳି ସଜ ଦେଖି ଲୁଟିବାରେ ଲାଗିଛନ୍ତି। ସେହିପରି ରାତିର କଥା ନକହିବା ଭଲ। ରାତିରେ ଅପରାଧୀମାନେ ମାରଣାସ୍ତ୍ର ଧରି ବୁଲୁଛନ୍ତି। ଯେଉଁଠି ପାରିଲେ ସେଠି ହାଣି ଲୁଟୁଛନ୍ତି। ସେହିଭଳି ଦୁଷ୍କର୍ମ ଘଟଣା ବି ବଢ଼ିଚାଲିଛି। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଏସବୁ ଚାଲିଥିବାବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି। ଦିନକୁ ଦିନ ରାଜଧାନୀ ଅସୁରକ୍ଷିତ ହୋଇପଡିଲାଣି। ଧୀରେ ଧୀରେ କମିଶନରେଟ ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି।

ମହିଳାଙ୍କୁ ଆକ୍ରମଣ ମାମଲାରେ ଜଣେ ଗିରଫ

Advertisment

ଭୁବନେଶ୍ବର: ଜଣେ ମହିଳାଙ୍କୁ ଦୋକାନ ଭିତରୁ ଟାଣି ନେଇ ମାଡ଼ ମାରିବା ଓ ଦୁଷ୍କର୍ମ କରିବାକୁ ଧମକ ଦେବା ଅଭିଯୋଗରେ ଆଜି ଇନ୍‌ଫୋଭ୍ୟାଲି ଥାନା ପୁଲିସ ଜଣକୁ ଗିରଫ କରିଛି। ଘଟଣାର ୨୪ ଦିନ ପରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ନୟାଗଡ଼ ଜିଲ୍ଲା ଓଡ଼ଗାଁର ନୀଳକଣ୍ଠ ବାରିକ। ସେ ପିତାପଲ୍ଲୀ ପୁରୁଣା ଟୋଲ୍‌ଗେଟ୍ ନିକଟସ୍ଥ ବସ୍ତିରେ ରୁହେ। ଅଭିଯୋଗ ଅନୁସାରେ ଉକ୍ତ ମହିଳାଙ୍କର ପିତାପଲ୍ଲୀ ଟୋଲ୍‌ଗେଟ୍ ନିକଟରେ ଏକ ଦୋକାନ ରହିଛି। ଗତ ମାର୍ଚ୍ଚ ୧୨ ତାରିଖରେ ନୀଳକଣ୍ଠ ଓ ତା’ର କିଛି ସହଯୋଗୀ ମହିଳାଙ୍କୁ ଦୋକାନ ଭିତରୁ ଟାଣି ଆଣି ଶାବଳରେ ପିଟିଥିଲେ। ଏହି ସମୟରେ ମହିଳାଙ୍କ ପୁଅ ଭିଡିଓ ରେକର୍ଡିଂ କରିବାରୁ ଅଭିଯୁକ୍ତମାନେ ତାକୁ ମାଡ଼ ମାରିବା ସହ ମୋବାଇଲ ଫୋନ୍ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

୨ ଲୁଟେରାଙ୍କଠାରୁ ୩ ବାଇକ୍ ଜବତ

ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଅଞ୍ଚଳରୁ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ଚୋରା ବାଇକ୍ ଜବତ କରିଛି। ଦୁଇ ଅଭିଯୁକ୍ତ ହେଲେ, ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ସନ୍ତୋଷ କୁମାର ସାହୁ ଓରଫ୍ ଜିତୁନ୍ ଓ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଲହଙ୍ଗା ଅଞ୍ଚଳର ଚିତ୍ତରଞ୍ଜନ ପାଲଟାସିଂ ଓରଫ୍ ସିତୁନ୍। ପୁଲିସ ସୂଚନାନୁସାରେ, ଚୋରା ବାଇକ୍ କିଣାବିକା କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ଟିମ୍ ଚଢ଼ଉ କରି ସେମାନଙ୍କୁ ଗିରଫ କରିବା ସହ ତିନିଟି ବାଇକ୍ ଜବତ କରିଥିଲା। ସେମାନେ ମାର୍କେଟ୍‌ ବିଲ୍ଡିଂ ଓ ଆଳୁ ଗଦି ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ସ୍ବୀକାର କରିଛନ୍ତି।

ମହିଳାଙ୍କୁ ନିର୍ଯାତନା, ସ୍ବାମୀ ଓ ପ୍ରେମିକା ଗିରଫ

ନୂଆପଲ୍ଲୀ ଥାନା ପୁଲିସ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ତିନିଟି ଚୋରା ମୋବାଇଲ ଜବତ କରିଛି। ଅଭିଯୁକ୍ତମାନେ ହେଲେ, ଯାଁଳା ଅଞ୍ଚଳର ଟୁଲୁ ଓରଫ୍ ଅଭୟ ନାୟକ ଓ ସନିଆ ଓରଫ୍ ବିଷ୍ଣୁପ୍ରସାଦ ସ୍ବାଇଁ। ସୂଚନାନୁସାରେ ଗତ ୧୯ ତାରିଖରେ ପାସ୍‌ପୋର୍ଟ ଅଫିସ ନିକଟରେ ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ୍ ଓ ୪ ହଜାର ଟଙ୍କା ଥିବା ମନିପର୍ସକୁ ଛଡ଼ାଇ ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ୨୦୧୧ରୁ ୨୦୧୯ ଭିତରେ ସନିଆ ନାଁରେ ଜଟଣୀ ଥାନାରେ ୪ଟି ମାମଲା ରହିଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ଟୁଲୁ ନାଁରେ ନୂଆପଲ୍ଲୀରେ ୨ଟି, ଜଟଣୀ ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ଲେଖାଁଏ ମାମଲା ରହିଛି।

ଭୁଜାଲିରେ ହାଣିଲେ ୪୦ ହଜାର ଲୁଟିଲେ

ରବିବାର ବିଳମ୍ବିତ ରାତିରେ ଘାଟିକିଆ ନାକାଗେଟ୍‌ ନିକଟରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ତାଙ୍କଠାରୁ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେ‌ଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଗିରିଜା ଭୂଷଣ ରାୟ। ଅଭିଯୋଗ ପରେ ଭରତପୁର ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ସୂଚନା ମୁତାବକ, ଗିରିଜା ରବିବାର ରାତି ପାଖାପାଖି ୨ଟା ବେଳେ ବାଇକ୍‌ ଯୋଗେ ଡେଲାଙ୍ଗସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଭରତପୁରରୁ ଖଣ୍ଡଗିରି ଦିଗରେ ଯାଉଥିବା ସମୟରେ ଦୁଇଟି ବାଇକ୍‌ରେ ୬ଜଣ ଦୁର୍ବୃତ୍ତ ତାଙ୍କୁ ଘାଟିକିଆ ନାକାଗେଟ ନିକଟରେ ଅଟକାଇଥିଲେ। ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡ଼ାଇ ଫେରାର୍‌ ହୋଇଯାଇଥିଲେ।

ମହିଳାଙ୍କ ଚେନ୍ ଝାମ୍ପିନେଲେ

ରାଜଧାନୀରେ ସୁନାଚେନ୍‌ ଲୁଟେରାଙ୍କ ଆତଙ୍କ ଜାରି ରହିଛି। ଆଜି ସକାଳେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଭଳି ଏକ ଲୁଟ୍‌ର ଶିକାର ହୋଇଛନ୍ତି ସୂର୍ଯ୍ୟବିହାର ଅଞ୍ଚଳର ଧରିତ୍ରୀ ରାଉତରାୟ। ସେ ଜିମ୍‌ରୁ ଘରକୁ ଫେରୁଥିବା ବେଳେ ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କ ସ୍କୁଟିକୁ ଗୋଇଠା ମାରିଦେଇଥିଲେ। ଧରିତ୍ରୀ ସ୍କୁଟି ସହ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇ ଫେରାର୍‌ ହୋଇଯାଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ସେ ଅଭିଯୋଗ କରିଛନ୍ତି ଓ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।