ଫେସବୁକ୍‌ ସିଓଓ ବି ହୋଇଥିଲେ ଯୌନ ନିର୍ଯାତନାର ଶିକାର

ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଭଉଣୀ ରାଣ୍ଡି ଜୁକରବର୍ଗଙ୍କ ତରଫରୁ ଫ୍ଲାଇଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ ପରେ ଆଉ ଏକ ସମାନ ଘଟଣା ସାମନାକୁ ଆସିଛି । ଏହି ଅଭିଯୋଗ କରିଛନ୍ତି ଫେସବୁକର ସିଓଓ ସେରିଲ୍‌ ସାଣ୍ଡବର୍ଗ । ସେ ବି ଦିନେ ଯୌନ ନିର୍ଯାତନାର ସାମନା କରିଥିଲେ ବୋଲି କହିଛନ୍ତି ।

ନିଜର ଏକ ଫେସବୁକ ପୋଷ୍ଟରେ ସେ କହିଛନ୍ତି ଯେ କେତେକ ବିବାହିତ ବ୍ୟକ୍ତି କ୍ୟାରିୟର ପରାମର୍ଶ ଦେବା ବାହାନାରେ ଏହି ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ । ସେମାନେ ବିଳମ୍ବିତ ରାତିରେ ଏକୁଟିଆ ଏସବୁ ପରାମର୍ଶ ଦେବାକୁ ପ୍ରସ୍ତାବ ଦେଇଥିଲେ ବୋଲି ସେରିଲ୍‌ । କିନ୍ତୁ ଏଥିଲାଗି ସେ ମନା କରିବା ସତ୍ତ୍ୱେ ଜଣେ ବ୍ୟକ୍ତି ରାତିରେ ତାଙ୍କ ହୋଟେଲ ରୁମ ପାଖକୁ ଆସି ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲା । ବାଧ୍ୟ ହୋଇ ତାଙ୍କୁ ହୋଟେଲ ନିରାପତ୍ତା କର୍ମଚାରୀଙ୍କୁ ଡାକିବାକୁ ପଡିଥିଲା । ତେବେ ସୌଭାଗ୍ୟବଶତଃ ତାଙ୍କର କୌଣସି ବସ୍‌ ଏପରି ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି । ପୁଣି ଧୀରେ ଧୀରେ ସିନିୟର ହେବା ପରେ ଏସବୁ ଘଟଣା ଆଉ ସେତେଟା ଘଟୁନାହିଁ ବୋଲି ସେ କହିଛନ୍ତି ।

ଆଜିକାଲି ଅଧିକାଂଶ ଅଫିସରେ ଏପରି ଘଟଣା ବେଶ୍‌ ସାଧାରଣ ହୋଇପଡିଥିବା ସତ୍ତ୍ୱେ ଅନେକ ସଂସ୍ଥାରେ ଏଥିଲାଗି କୌଣସି ସ୍ପଷ୍ଟ ନୀତି ନଥିବା ସେ କହିଛନ୍ତି ।

ଗତ ସପ୍ତାହରେ ମାର୍କ ଜୁକରବର୍ଗଙ୍କ ଭଉଣୀ ରାଣ୍ଡି ଅଭିଯୋଗ କରିଥିଲେ ଯେ ଆଲାସ୍କା ଏୟାର ଗ୍ରୁପରେ ଫ୍ଲାଇଟ୍‌ରେ ଜଣେ ଯାତ୍ରୀ ତାଙ୍କ ପ୍ରତି ବାରମ୍ବାର ଅଶାଳୀନ ବ୍ୟବହାର କରିଥିଲେ । ସେ ଏ ସଂପର୍କରେ ଫ୍ଲାଇଟ୍‌ର କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ବରଂ ଉକ୍ତ ଯାତ୍ରୀଙ୍କୁ ମଦ ପରିବେଷଣ କରିଚାଲିଥିଲେ ।

ସମ୍ବନ୍ଧିତ ଖବର