ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସେବା ଏବଂ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ଶିବିର ଅତି ଗୁରୁତ୍ବପୂର୍ଣ୍ଣ। କିନ୍ତୁ କରୋନା ଲକ୍ଡାଉନ୍ ଯୋଗୁଁ ରକ୍ତଦାନ ଶିବିରକୁ ଶକ୍ତ ଝଟ୍କା ଲାଗିଛି। ଧୀରେଧୀରେ ରକ୍ତ ଯୋଗାଣ ହ୍ରାସ ପାଇବାରୁ ବିଭିନ୍ନ ରାଜ୍ୟ ସରକାର ଏବଂ ହସ୍ପିଟାଲ୍ଗୁଡ଼ିକ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସୋସିଆଲ ମିଡିଆର ବ୍ୟବହାର କରିଛନ୍ତି ଏବଂ ସୋସିଆଲ ମିଡିଆ ଦ୍ବାରା ଲୋକମାନଙ୍କୁ ରକ୍ତଦାନ ପାଇଁ ସଚେତନ କରାଯାଉଛି। ଏନ୍ବିଟିସି (ନ୍ୟାସନାଲ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାଉନସିଲ୍) ତଥା ଜାତୀୟ ରକ୍ତଦାନ ପରିଷଦ ତଥ୍ୟ ଅନୁଯାୟୀ ଫେବ୍ରୁଆରିରେ ଦେଶରେ ୪୭୪ ରକ୍ତଦାନ ଶିବିର ହୋଇଥିବାବେଳେ ମାର୍ଚ୍ଚରେ ଏହା ୩୬୯କୁ ଖସି ଆସିଛି। ଏପ୍ରିଲରେ ଏହା ପୁଣିଥରେ ୧୪୮କୁ ଖସି ଆସିଛି। ସେହିପରି ଫେବ୍ରୁଆରିରେ ମୋଟ୍ ୩୮ ଜହାର ୯୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଏପ୍ରିଲ୍ରେ ଏହା ୨୨ ହଜାର ୮୬୫ କୁ ଖସି ଆସିଲା। ପୂର୍ବ ମାସ ତୁଳନାରେ ଏପ୍ରିଲ୍ରେ ପ୍ରାୟ ୪୦ ପ୍ରତିଶତ କମ୍ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା। ତେବେ ରକ୍ତ ଅଭାବ ଏକ ବଡ଼ ସଙ୍କଟ। ଲକ୍ଡାଉନ୍ ଆରମ୍ଭରେ ଲୋକମାନେ ବ୍ଲଡ୍ବ୍ୟାଙ୍କ୍ ଆସିପାରିଲେନି। ସେହିପରି ସାମାଜିକ ଦୂରତା ନିୟମ ପାଇଁ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରିବା କଷ୍ଟଦାୟକ ହୋଇପଡ଼ିଲା। ତେଣୁ ଏହି ସମୟରେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
ମଧ୍ୟପ୍ରଦେଶରେ ଏସ୍ବିଟିସି (ରାଜ୍ୟ ରକ୍ତଦାନ ପରିଷଦ) ଉପ ନିର୍ଦ୍ଦେଶକ ରୁବି ଖାନ୍ କହିଛନ୍ତି, ଫେସବୁକ୍ ଏହି ସମସ୍ୟାର ଅଧା ସମାଧାନ କରିଦେଇଛି। ଏପ୍ରିଲ ମାସଠାରୁ ଏଯାବତ୍ ରାଜ୍ୟ ବ୍ଲଡ୍ ବ୍ୟାଙ୍କ୍ ଯେଉଁ ରକ୍ତ ସଂଗ୍ରହ କରିଛନ୍ତି ସେଥିମଧ୍ୟରୁ ୭୦ ପ୍ରତିଶତ ରକ୍ତ ଦାତା କେବଳ ସୋସିଆଲ ମିଡିଆରୁ ରକ୍ତର ଆବଶ୍ୟକତା ସମ୍ପର୍କରେ ଜାଣି ହସ୍ପିଟାଲ୍ରେ ଯାଇ ରକ୍ତଦାନ କରିଛନ୍ତି। ରାଜ୍ୟରେ ଥିବା ୬୦ ବ୍ଲଡ୍ ବ୍ୟାଙ୍କ୍ରୁ ପ୍ରାୟ ୩୫ଟି ବ୍ୟାଙ୍କ୍ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଫେସବୁକ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଫେସବୁକ୍ ଅନୁଯାୟୀ ପ୍ରାୟ ୪୫ ନିୟୁତ ଭାରତୀୟ ରକ୍ତଦାନ ପାଇଁ ଏହାର ପ୍ଲାଟଫର୍ମରେ ସ୍ବାକ୍ଷର କରିଛନ୍ତି। ତେବେ ୨୦୧୭ରୁ ଫେସବୁକ୍ ଏନେଇ ସଚେତନ କରାଇଥିଲେ ମଧ୍ୟ କୋଭିଡ୍-୧୯ ମହାମାରୀ ସମୟରେ ରକ୍ତଦାନ ପ୍ରକ୍ରିୟାରେ ବାଧା ଉପୁଜିଛି। ପ୍ରାୟ ୧୮ଟି ରାଜ୍ୟରୁ ୬୫୦ଟି ବ୍ଲଡ୍ବ୍ୟାଙ୍କ୍ ଫେସବୁକ୍ର ବ୍ୟବହାର କରି ରକ୍ତ ସଂଗ୍ରହ କରିବାପାଇଁ ତାଲିମ ଦିଆଯାଇଛି। ଫେସବୁକ୍ ରକ୍ତଦାନ କ୍ଷେତ୍ରରେ ଏକ ବଡ଼ ଭୂମିକା ନିର୍ବାହ କରିଛି।