ମୁମ୍ବାଇ: ଦେବେନ୍ଦ୍ର ଫଡ଼ନବିସ, ରାଜ୍ୟ ୟୁନିଟ୍ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗାନ୍ତିଓ୍ଵର ଏବଂ ଆଶିଷ ଶେଲାର୍ ସମେତ ବିଜେପିର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରୀଙ୍କୁ ଭେଟିଛନ୍ତି।
ମୁମ୍ବାଇର ପୂର୍ବତନ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ ପରମବୀର ସିଂହ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଉଠାଇଥିବା ଆର୍ଥିକ ଦୁର୍ନୀତି ବିବାଦ ଜଟିଳ ହେଉଥିବା ବେଳେ ବିଜେପିର ପ୍ରତିନିଧି ଦଳ ରାଜ୍ୟ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ଏକ ସ୍ମାରକପତ୍ର ଦେଇଛନ୍ତି। ଏହା ବ୍ୟତିରେକେ, ମହାରାଷ୍ଟ୍ରର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ରିପୋର୍ଟ ପଠାଇବାକୁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।
ସାକ୍ଷାତ୍ କରିବା ପରେ, ଫଡ଼ନବିସ କହିଛନ୍ତି ଯେ, ଅର୍ଥ ଆଦାୟ ଏବଂ ବଦଳି ର୍ୟାକେଟ୍ ସଂକ୍ରାନ୍ତରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା ଉଚିତ। ସମଗ୍ର ରାଜନୈତିକ ସଙ୍କଟ ସଂକ୍ରାନ୍ତର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିରବତା ବଜାୟ ରଖିଛନ୍ତି।
ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଗତ ଅଭିଯୋଗ କାରଣରୁ ବିଜେପି ତିନି-ଦଳ ଶାସିତ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’କୁ (ଏମ୍ଭିଏ) ସମାଲୋଚନା କରିବା ସହ ଦେଶମୁଖଙ୍କ ଇସ୍ତଫା ଦାବି କରିଛି।