ଟୋକନ୍‌ ବ୍ୟବସ୍ଥା ବନ୍ଦ ଦାବିରେ ସମ୍ବଲପୁରରେ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ; ରାଜପଥ ୫୩ ଅବରୋଧ

ସମ୍ବଲପୁର: ପୁଣି ଟୋକେନ୍‌ ବ୍ୟବସ୍ଥାକୁ ନେଇ କୃଷକ ଅଶାନ୍ତି। ଧାନମଣ୍ଡିରେ ବିକ୍ରି ଲାଗି ମିଳୁଥିବା ଟୋକନ ନ ଆସିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ। ଗତକାଲି ଧାନ ବିକ୍ରି ଲାଗି ଚାଷୀଙ୍କ ପାଖକୁ ଆଦୌ ଟୋକନ୍‌ ଆସିନାହିଁ ବୋଲି ଅଭିଯୋଗ କରିଛନ୍ତି ସମ୍ବଲପୁର ଜିଲ୍ଲାର କୃଷକ ସୁରକ୍ଷା ସଂଗଠକ। ଫଳରେ ଚାଷୀମାନେ ଆର୍‌ଏମ୍‌ସି ମଣ୍ଡିକୁ ଧାନ ଆଣି ମଧ୍ୟ ବିକ୍ରି କରିପାରି ନାହାନ୍ତି।

ଟୋକନ୍ ମିଳିବାରେ ଅବ୍ୟବସ୍ଥା  ପ୍ରତିବାଦରେ ଆଜି ଦିନ ୧୧ଟା ସମୟରେ ସମ୍ବଲପୁର ଜିଲ୍ଲାର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ରାସ୍ତାରୋକ କରାଯାଇଛି। ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ ଏବଂ କଟନି-ଛଟନି ବନ୍ଦ ଦାବିରେ ସମ୍ବଲପୁର ବରେହିପାଲିସ୍ଥିତ ଆର୍‌ଏମ୍‌ସି କାର୍ଯ୍ୟାଳୟ ସମ୍ମୁଖସ୍ଥ ଜାତୀୟ ରାଜପଥ ୫୩କୁ ଅବରୋଧ କରିଛନ୍ତି ଚାଷୀ। ଧାନ ବୋଝେଇ ଗାଡ଼ି ରାସ୍ତା ଉପରେ ରଖିବା ସହ ଚାଷୀମାନେ ରାସ୍ତା ଉପରେ ବସି ରହିଛନ୍ତି। ଫଳରେ ଯାତାୟତ ଠପ୍‌ ହୋଇଛି। ବରଗଡ଼-ସମ୍ବଲପୁର ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଠିଆ ହୋଇ ରହିଛି। ଗତକାଲି ଚାଷୀମାନେ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଧମକ ଦେଇଥିଲେ। ଚାଷୀମାନଙ୍କ ସୁବଧା ଲାଗି ଟୋକ୍‌ନ ବ୍ୟବସ୍ଥା ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ମଣ୍ଡି ଆରମ୍ଭ ହେବା ଠାରୁ ଅବ୍ୟବସ୍ଥା ଲାଗି ରହିଛି ବୋଲି ଧାରଣାରତ ଚାଷୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର