ପରିବା ଚାଷରୁ ଚାଷୀ ବିମୁଖ, ବିଲରେ ଟମାଟୋ ୪୦, ବଜାରରେ ଶହେ

କାମରେ ଲାଗୁନି ଇ-ନାମ୍‌, ପ୍ରତିବର୍ଷ କମୁଛି ଉତ୍ପାଦନ ହାର

ବରଗଡ଼: କିଛି ବର୍ଷ ହେଲା ଜିଲ୍ଲାରେ ପରିବା ଚାଷୀଙ୍କ ସଂକଟ ବଢ଼ି ଯାଇଛି। ଅସ୍ବାଭାବିକ ପାଣିପାଗ, ଅସ୍ଥିର ଚାଷ, ବଜାର ବ୍ୟବସ୍ଥାର ଅଭାବ ଏବଂ ବିଶେଷକରି ଶୀତଳଭଣ୍ଡାର ନଥିବାରୁ ପରିବା ଚାଷୀ ଚାଷରୁ ଦୂରେଇ ଯାଉଛନ୍ତି। ଜିଲ୍ଲାରେ ଅଳ୍ପ ପନିପରିବା ଉତ୍ପାଦନ ହେଉଛି। ଫଳରେ ପରିବା ଦର ଢେର ବୃଦ୍ଧି ପାଉଛି। ଯାହାର ଉଦାହରଣ ପାଇକମାଳ ଓ ଝାରବନ୍ଧର ବଜାର ସହ ବରଗଡ଼ର ବଜାର ସହ ତୁଳନା କଲେ ଜଣାପଡ଼ୁଛି। ରବିବାର ଝାରବନ୍ଧ ଏବଂ ପାଇକମାଳ ବଜାରରେ ବାଇଗଣ କିଲୋ ୧୦ ଟଙ୍କା, ଭେଣ୍ଡି ୮ ଟଙ୍କା, ଝୁଲେର୍‌ (ଝୁଡ଼ଙ୍ଗ) ୨୦ ଟଙ୍କା, ଟମାଟୋ ୩୦-୪୦ ଟଙ୍କା, ବନ୍ଧାକୋବି ୧୮ ଏବଂ ଫୁଲକୋବି ୩୫ ଟଙ୍କା ରହିଥିଲା।  ଏଥର ଟମାଟୋ ବମ୍ପର ଉତ୍ପାଦନ ହୋଇଛି। କିନ୍ତୁ ସହରର ବଜାରରେ ଟମାଟୋ ସ୍ଥାନୀୟ ଅଂଚଳରୁ ଆସୁନାହିଁ। ଯଦ୍ବାରା ବରଗଡ଼ରେ ଦେଶୀ ଟମାଟୋ କିଲୋ ଶହେ ଟଙ୍କାରେ ବିକ୍ରି ହେଉଛି। ଝାରବନ୍ଧ ଏବଂ ପାଇକମାଳ ଇଲାକାରେ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ବିଲରେ ହିଁ ଟମାଟୋ ଛାଡ଼ି ଦେଇଛନ୍ତି। ତାକୁ ଗାଈଗୋରୁ ଖାଉଛନ୍ତି।

ଅଥଚ ଟମାଟୋ ପାଇଁ ବରଗଡ଼ ସହରରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ଅସ୍ଥିରତା ପାଇଁ ଚାଷୀମାନେ ଗୁଡ଼ାଏ କାରଣକୁ ଦାୟୀ କରିଛନ୍ତି। ପ୍ରଥମ ହେଲା ଉତ୍ପାଦନରେ ସ୍ଥିରତା ନାହିଁ। ବନ୍ୟପ୍ରାଣୀ ପରିବା ନଷ୍ଟ କଲେ ଚା‌ଷୀଙ୍କୁ ସରକାରୀ ସହାୟତା ମିଳୁନାହିଁ। ବରଗଡ଼ ଭଳି କୃ‌ଷିପ୍ରବଣ ଇଲାକାରେ ସରକାରୀ ମଣ୍ଡି ନାହିଁ। ଚାଷୀଙ୍କୁ ଖର୍ଚ୍ଚ ତୁଳନାରେ କମ୍‌ ଟଙ୍କା ମିଳୁଥିବାରୁ ସେମାନେ ପରିବା ଚାଷରୁ ଦୂରେଇ ଯାଉଛନ୍ତି। ସୂଚନା ମୁତାବକ, ଓଡ଼ିଶାର ୧୨ ପ୍ରତିଶତ ପରିବା ବରଗଡ଼ରୁ ଉତ୍ପାଦନ ହେଉଥିଲେ ହେଁ ଏଠାରେ ସରକାରୀ ମଣ୍ଡି କିଂବା ଶୀତଳଭଣ୍ଡାର ନାହିଁ। ୨୦୧୨-୧୩ ଆର୍ଥିକ ବର୍ଷରେ  ବରଗଡ଼ରେ ଶୀତଳଭଣ୍ତାର ସ୍ଥାପନ କରିବାକୁ ପ୍ରସ୍ତାବ ହୋଇଥିଲା। ବର୍ଷ ବର୍ଷ ଗଡ଼ି ଗଲାଣି, ହେଲେ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ଫାଇଲ ଚାଷ ମଧ୍ୟରେ ଶୀତଳଭଣ୍ଡାର ଯୋଜନା ହଜିବାକୁ ଲାଗିଲାଣି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମସି) ନିଜସ୍ବ ପାଣ୍ଠିରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ପୂର୍ବରୁ ରାଜ୍ୟ କୃଷି ବିପଣନ ପରିଷଦକୁ ପ୍ରସ୍ତାବ ଦେଇଛି।

ଏଥିପାଇଁ ଡିପିଆର୍ ପଠାଇବାକୁ ମଧ୍ୟ ପରିଷଦକୁ ଅନୁରୋଧ କରାଯାଇଛି। କିନ୍ତୁ ସେଠାରୁ ନିର୍ମାଣ ପାଇଁ କିଛି ଅନୁମତି ଆସିନାହିଁ। ପରିବା ଚାଷୀଙ୍କୁ ଉଚିତ୍‌ ମୂଲ୍ୟ ଯୋଗାଇବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ଇ-ନାମ୍‌ ବ୍ୟବସ୍ଥା ରହିଛି। କିନ୍ତୁ ଦୂରଦୂରାନ୍ତରରେ ଥିବା ଚାଷୀ ଏନେଇ କିଛି ସୂଚନା ପାଉନାହାନ୍ତି। ଫଳରେ ସେମାନେ ବାରମ୍ବାର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ପରିବା ଚାଷରୁ ଓହରି ଯାଉଛନ୍ତି। ସରକାରୀ ପରିସଂଖ୍ୟାନ ଅନୁସାରେ, ଗତଥର ୩୨,୫୩୬ ହେକ୍ଟର ଜମିରେ ପରିବା ଚାଷ ହୋଇଥିଲା। ଏଥର ଏହା ଖସି ୨୮,୬୮୨ ହେକ୍ଟରରେ ପହଞ୍ଚିଛି। ରବି ଋତୁରେ ପାଖାପାଖି ୪ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବା ଚାଷ କରିବାକୁ ସରକାରୀ ଭାବେ ଧାର୍ଯ୍ୟ କରାଯାଇଥାଏ। ଏହାଠାରୁ ବେଶି ପରିବା ଚାଷ ହେଉଛି। କିନ୍ତୁ ବଜାର ବ୍ୟବସ୍ଥା ବାଟବଣା ଥିବାରୁ ଚାଷୀ ଆଉ ପରିବା ଚାଷ କରିବାକୁ କୁଣ୍ଠାବୋଧ କରୁଛି।

ସମ୍ବନ୍ଧିତ ଖବର