କୃଷକମାନଙ୍କୁ ପୁଣି ଦିଲ୍ଲୀରେ ଧସେଇ ପଶିବାକୁ ପଡ଼ିବ, ବ୍ୟାରିକେଟ ଭାଙ୍ଗିବାକୁ ପଡ଼ିବ : ରାକେଶ ଟିକାୟତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ୩ଟି କୃଷି ଆଇନକୁ ବିରୋଧ କରି କୃଷକମାନଙ୍କର ଆନ୍ଦୋଳନ ୧୦୦ ଅଧିକ ଦିନରେ ପହଂଚିଲାଣି । ଏହା ମଧ୍ୟରେ ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଏହାକୁ ନେଇ କୃଷକ ନେତା ତଥା ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ଆଜି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ସରକାରଙ୍କ କାନରେ କୃଷକମାନଙ୍କର ସ୍ବର ପହଂଚାଇବାକୁ ପଡିବ, ତେଣୁ ପୁଣି ଥରେ ଦିଲ୍ଲୀ ଭିତରକୁ କୃଷକମାନେ ଧସେଇ ପଶିବେ ଓ ବ୍ୟାରିକେଟ ଭାଙ୍ଗିବେ । ଏନେଇ ସେ ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, କୃଷକ ଆନ୍ଦୋଳନ ଭିତରେ କୃଷକ ନେତା ରାକେଶ ଟିକାୟତ ସାରା ଦେଶରେ ବୁଲି ବୁଲି କୃଷକ ମହାପଂଚାୟତ କରୁଛନ୍ତି । ତାଙ୍କ ସଭାରେ ବି ହଜାର ହଜାର କୃଷକ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଜୟପୁର ଠାରେ ଏକ କୃଷକ ମହାପଂଚାୟତକୁ ଉଦବୋଧନ ଦେଇ ଟିକାୟତ କହିଛନ୍ତି କି ସରକାର ଲୋକମାନଙ୍କୁ ଜାତି ଧର୍ମ ନାମରେ ବାଣ୍ଟି ଚାଲିଛନ୍ତି । ହେଲେ ଅନ୍ନଦାତାଙ୍କୁ ଭାଗ କରିବା ତାଙ୍କ କ୍ଷମତାର ବାହାରେ । ଆବଶ୍ୟକ ପଡିଲେ ସଂସଦ ଭିତରେ ଚାଷୀ ତା’ର ଉତ୍ପାଦ ବିକ୍ରି କରିବ ।

କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ଟିକାୟତ କହିଛନ୍ତି କି ସରକାର କହୁଛନ୍ତି କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ କେଉଁଠାରେ ବି ବିକି ପାରିବେ । ଆମେ ଜାଣିଛୁ କେବଳ ମଣ୍ଡିରେ ଏମଏସପି ମିଳିବ ମଣ୍ଡି ବାହାରେ କେବେ ବି ଏମଏସପି ମିଳିବ ନାହିଁ। ତେଣୁ ଆମେ ପ୍ରସ୍ତୁତ ହେଉଛୁ ସଂସଦ ଭିତରେ ଏମଏସପିରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ।

ସମାଗତ କୃଷକମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ କି ପୂରା ଦେଶରେ କୃଷକମାନଙ୍କର ଆନ୍ଦୋଳନ ଆରମ୍ଭ ହୋଇସାରିଛି । କୃଷକମାନେ ସେମାନଙ୍କ ହକ୍ ପାଇବାକୁ ହେଲେ ନିଜକୁ ଜାଗୃତ କରିବାକୁ ପଡିବ । ବିଶେଷ କରି ଯୁବ କୃଷକମାନଙ୍କ କାନ୍ଧରେ ଏହି ଆନ୍ଦୋଳନର ବଡ ଦାୟିତ୍ୱ ରହିଛି । ସେ କହିଥିଲେ କି ଦେଶରେ ଜୟ ଶ୍ରୀରାମ ଓ ଜୟ ଭୀମର ନାରା ଏକା ସାଙ୍ଗରେ ପଡିବା ଦରକାର, ଯେଉଁଥିରେ ଦେଶ ଆଗକୁ ବଢିବ । ନଚେତ ଏ ସରକାର ଦେଶକୁ ବରବାଦ୍ କରିଦେବ ।

ସମ୍ବନ୍ଧିତ ଖବର