ପ୍ରତିଶ୍ରୁତି ହେଲା ପାଣିର ଗାର : ବର୍ଷାରେ ଭିଜିଗଲା ଚାଷୀଙ୍କ ଧାନ

ବଲାଙ୍ଗୀର : ଚାଷୀଙ୍କୁ ପ୍ରଥମେ ଟୋକନ ଟେନସନ। ଆଉ ଏବେ ଚାଷୀଙ୍କୁ ଦାଉ ସାଧିଛି ଅଦିନିଆ ବର୍ଷା। ଗୁରୁବାର ଅଦିନିଆ ବର୍ଷାରେ ବିଭିନ୍ନ ଧାନ ମଣ୍ଡିରେ ପଡ଼ି ରହିଥିବା ଚାଷୀଙ୍କ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଛି। ସାରା ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଦୃଶ୍ୟ। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବି କୌଣସି କାମ କରିନି।

ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଥିଲା। କେଉଁଠି ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ ତ ଆଉ କେଉଁଠି ଚାଷୀ ରାଜରାସ୍ତାରେ ଚକା ଜାମ କରିଥିଲେ। ବିଗତ ଜିଲ୍ଲା ପରିଷଦ ବୈଠକରେ ବି ଜନପ୍ରତିନିଧି ଜୋରଦାର ହୋହଲ୍ଲା କରିଥିଲେ। ରାଜ୍ୟ ରାଜଧାନୀରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ସେଠାରେ ବି ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହୋହଲ୍ଲା। ସରକାର ସବୁ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ବଲାଙ୍ଗୀର ଜିଲ୍ଲାରେ ହୋଇଛି।

ପ୍ରଥମେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ଦେଇଥିଲେ ପ୍ରତିଶ୍ରୁତି। ଟୋକନ ଆସିବ ଓ ଚାଷୀଙ୍କ ଧାନ ଉଠିବ। ହେଲେ ତାହା ଉଠିଲା ନାହିଁ। ନିକଟରେ ସଜସଜ ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତାପିଲ ପେକ୍ସରେ ଚାଷୀ ଧାନ ମଣ୍ଡିରେ ବିକ୍ରି ନହେବାରୁ ପେକ୍ସ କର୍ମଚାରୀଙ୍କୁ ତାଲା ମାରିଥିଲେ। ବୁଝାଇବାକୁ ଯାଇଥିବା ଏସିଏସଓ, ଥାନାଧିକାରୀଙ୍କୁ ବି ତାଲା ଦେଇଥିଲେ। ଉପଜିଲ୍ଲାପାଳ ଯାଇ ପ୍ରତିଶ୍ରୁତି ଦେଇଥିଲେ ଚାଷୀଙ୍କ ଧାନ କିଣାଯିବ। ତଥାପି ତାହା କିଣାଗଲା ନାହିଁ। ଆଉ ଗୁରୁବାର ବର୍ଷା ପୁଣି ଏକ ବଡ଼ ଚାଷୀ ଆନ୍ଦୋଳନର ଡାକରା ଦେଇଛି। ବଲାଙ୍ଗୀର ଜିଲ୍ଲା ଛତାପିପଲ, କପାଣି, କେନ୍ଦୁମୁଣ୍ଡି ଆଦି ମଣ୍ଡିରେ ପଡ଼ି ରହିଥିବା ଧାନ ବର୍ଷାରେ ଭିଜିବା କରାଣରୁ ଚାଷୀ ଅସନ୍ତୋଷ ତେଜିଛି। ପ୍ରାୟ ୫୦ରୁ ଅଧିକ ମଣ୍ଡିରେ ଚାଷୀଙ୍କ ଧାନ ବର୍ଷାରେ ଭିଜିଛି। ଖବର ନେବାରୁ ଜଣାଯାଇଛି ଯେ, ଚାଷୀମାନେ ବହୁବାର ଧାନ ଉଠାଇବାକୁ ଦାବି କରିଥିଲେ। ବର୍ଷା ହେବା ପାଣିପାଗ ବିଭାଗ କହିବା ପରେ କିଛି ଚାଷୀ ପାଳ ଆଣି ନିଜ ଧାନକୁ ଢାଙ୍କିଥିଲେ। ଗରିବ ଚାଷୀମାନେ ପାଳ ବି ଢାଙ୍କି ପାରିନଥିଲେ। ମୋଟାମୋଟି ଜିଲ୍ଲା ସାରା ଚାଷୀଙ୍କ ଧାନ ବର୍ଷାରେ ଭିଜିଛି।

ସମ୍ବନ୍ଧିତ ଖବର