ଭୁବନେଶ୍ବର : ରାଜ୍ୟର ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡୀଳରେ ଆଜି ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ୨୦୨୩ ମସିହା ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି।
ଜାନୁଆରି ୧, ୨୦୨୩କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରି ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୩୦ଟି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସବୁ ବୁଥ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ରେ ୨୦୨୩ ମସିହାର ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଯୋଗୁ ସେଠାରେ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ସେଠାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ନଭେମ୍ବର ୯, ୨୦୨୨ରେ ୧୪୬ଟି ନିର୍ବାଚନ ମଣ୍ଡଳୀରେ ଚିଠା ଫଟୋ ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା, ଆପତ୍ତି, ଭୋଟର ତାଲିକାରୁ ନାମ ବାଦ୍ ଦେବା, ତ୍ରୁଟି ସଂଶୋଧନ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନାମ ସ୍ଥାନାନ୍ତରଣ ପାଇଁ ଡିସେମ୍ବର ୮ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଇଥିଲା। ଏଥିରେ ୫,୯୪,୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବାକୁ ଅନୁମୋଦନ କରାଯାଇଛି। ତାଲିକାରୁ ନାମ ବାଦ୍ ଦେବା ପାଇଁ ୩,୨୪,୨୩୧ଟି ଦରଖାସ୍ତ ଆସିଥିବାବେଳେ ୩,୨୦,୫୦୬ଜଣଙ୍କ ନାମ ବାଦ୍ ଦିଆଯାଇଛି। ତ୍ରୁଟି ସଂଶୋଧନ ଓ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ୨,୧୪,୦୦୦ ଦରଖାସ୍ତକୁ ଅନୁମୋଦନ କରାଯାଇଛି। ଏହାପରେ ୨୦୨୩ ମସିହା ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି। ସେଥିରୁ ୧,୬୪,୯୬,୧୫୩ଜଣ ପୁରୁଷ, ୧,୫୮,୪୯,୯୬୬ ଜଣ ମହିଳା, ୩,୨୨୨ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏହାସହ ୧୭ବର୍ଷରୁ ଅଧିକ ୭୮,୨୬୦ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି। ପରବର୍ତ୍ତୀ ଯୋଗ୍ୟତା ସୂଚକ ତାରିଖରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ। ଏହାସହ ୨୦୨୩ ମସିହାର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁପାତ ୯୫୯ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି। ସେହିପରି ଚିଠା ଭୋଟର ତାଲିକାରେ ୪୯୮୯୭ଜଣ ସର୍ଭିସ୍ ଭୋଟର ଥିବାବେଳେ ଚୂଡ଼ାନ୍ତ ଭୋଟର ତାଲିକାରେ ଏହା ୪୯୮୯୭କୁ ବୃଦ୍ଧି ପାଇଛି।
ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରଙ୍କର ଫଟୋ ଭୋଟର ପରିଚୟପତ୍ର ସ୍ପିଡ୍ ପୋଷ୍ଟରେ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।