କଣିହାଁ: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସକାଳ ୬ଟା ଠାରୁ ୧୦ଟା ପର୍ଯ୍ୟନ୍ତ ଏନଟିପିସି ଏମଜିଆର ନିକଟସ୍ଥ ଆମ୍ବପାଳ ଗାଁ ଲେବୁଲ କ୍ରସିଂଠାରେ ରେଳ ରୋକ ଆନ୍ଦୋଳନ ଜାରି ରହିଛି । ଫଳରେ ତାଳଚେର କୋଇଲା ଖଣିରୁ ଏନଟିପିସି ପ୍ଲାଣ୍ଟକୁ ରେଳ ଯୋଗେ କୋଇଲା ଚାଲାଣ ବ୍ୟାହତ ହୋଇଛି।
ସେହିପରି କମିଟିର ସଦସ୍ୟମାନେ କଣିହାଁ କୋଇଲା ଖଣି ସମ୍ମୁଖରେ ବସି ଆନ୍ଦୋଳନ ଜାରି ରଖିଥିବା ଯୋଗୁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ବିଜେଡି ମିଡିଆ ସେଲର ସଂଯୋଜକ ନିର୍ମଳ ସାହୁ, ସରପଞ୍ଚ ଦୁଃଶାସନ ସାହୁ, ସରପଞ୍ଚ ବାବୁଲା ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ଧଳ, ପୂର୍ବତନ ସରପଞ୍ଚ ସୁନୀଲ ପ୍ରଧାନ, ନିଶାକର ବିଶ୍ୱାଳ, ନିଶାକର ପ୍ରଧାନ, କୀର୍ତ୍ତନ ସାହୁ, ରଞ୍ଜନ ସାହୁ, ତପନ ପ୍ରଧାନ, ବୃନ୍ଦାବନ ସାହୁ ସମେତ ସାଂସଦ ମହେଶ ସାହୁଙ୍କ ସମର୍ଥକମାନେ।
ଏପଟେ ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ପାଲଲହଡ଼ାରେ ମଧ୍ୟ କ୍ରିୟାନୁଷ୍ଠାନ ପାଖରୁ ୧୪୯ ନମ୍ବର ଜାତୀୟ ରାଜପଥରେ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି। ଥର୍ମାଲ ପାୱାର ପ୍ଲାଣ୍ଟକୁ ପୁନର୍ବାର ଚାଲୁ କରିବା ଦାବିରେ ପାଲଲହଡ଼ା ଉପକଣ୍ଠ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ କମିଟିର ଆବାହକ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ ସକାଳ ୬ ରୁ ଦିନ ୧୦ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ଅର୍ଥନୈତିକ ଅବରୋଧ କରାଯାଇଥିଲା l ତାଳଚେରରୁ କେନ୍ଦୁଝର ଯାଉଥିବା କୋଇଲା ପରିବହନ ଟ୍ରକ ଏବଂ କେନ୍ଦୁଝରରୁ ସାରା ଓଡ଼ିଶାକୁ ଯାଉଥିବା ଲୁହା ଗୁଣ୍ଡି ବୋଝେଇ ଟ୍ରକ ଶହ ଶହ ଟ୍ରକ ଜାତୀୟ ରାଜପଥରେ ଅଟକି ରହିଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/f8d38410-f6a5-4761-9c00-940f081e9aca.jpg)