ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଥିବା ଏକ ସପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୩ଟା ପାଖାପାଖି ସମୟରେ ଘଟିଥିବା ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍‌ରେ ନିଆଁ ଲାଗି ଯାଇଥିଲା। ତେବେ କିପରି ସପିଂ ମଲରେ ନିଆଁ ଲାଗିଥିଲା ତାହା ଏଯାଏ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ୩ଟି ଅଗ୍ନିଶମ ବାହିନୀ ଗାଡ଼ିରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ଏହାପରେ ଆଉ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିବା ଜଣାଯାଇଛି।

ରିପୋର୍ଟ ପ୍ରସ୍ତୁତ ହେବା ଯାଏ ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା କୁହାଯାଇଛି। ଏହି ନିଆଁ କିପରି ଅନ୍ୟ ପାଖ ଅଞ୍ଚଳକୁ ନ ବ୍ୟାପିବ, ସେଥିପ୍ରତି ଅଗ୍ନିଶମ ବାହିନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ କେତେ ପରିମାଣର ସାମଗ୍ରୀ ଓ ଆସବାପତ୍ର ନଷ୍ଟ ହୋଇଛି ତାହା ଜଣାପଡ଼ିନାହିଁ।