୫ ମତ୍ସ୍ୟ ଅଧିକାରୀ ସମ୍ବର୍ଦ୍ଧିତ: ଯୋଜନାର ଉଦ୍ଦିଷ୍ଟ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମତ୍ସ୍ୟଚାଷୀଙ୍କ କଲ୍ୟାଣ ଓ ମତ୍ସ୍ୟଚାଷର ବିକାଶ ନିମନ୍ତେ ଯୋଜନାର ଉଦ୍ଦିଷ୍ଟ ସମସ୍ତ ବଜେଟ୍‌ ବରାଦକୁ ଧାର୍ଯ୍ୟ ସମୟ ମଧ୍ୟରେ ଓ ଠିକ ଭାବରେ ଖର୍ଚ୍ଚ ପାଇଁ ନିର୍ଦେଶ ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ୨୦୨୪ ସୁଦ୍ଧା ରାଜ୍ୟକୁ ମାଛ ଜାଆଁଳ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ସଅଳ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ ଘରୋଇ ହାଚେରିମାନଙ୍କୁ ସହାୟତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ୨୦୨୩-୨୪ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ମାଛ ଜାଆଁଳ ଉତ୍ପାଦନ, ମାଛ ଜାଆଁଳ ଉତ୍ପାଦନକାରୀଙ୍କୁ ଇନ୍‌ପୁଟ ସହାୟତା, ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ନିମନ୍ତେ ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ ସମେତ କ୍ଷାରଜଳ ଓ ସାମୁଦ୍ରିକ ମାଛଚାଷ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ୨୦୨୨-୨୩ ଆର୍ଥିକ ବର୍ଷରେ ମତ୍ସ୍ୟଚାଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପାଞ୍ଚଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ (ମେରାଇନ୍‌)ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର