ନୂଆଦିଲ୍ଲୀ,: ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରେ ଆଜି ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ‌ହୋଇଛନ୍ତି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖାର ଏନ୍‌କାଉଣ୍ଟର ପରେ ସେମାନେ ଗିରଫ ହୋଇଛନ୍ତି। ସେମାନଙ୍କର ଖଲିସ୍ତାନ ଏବଂ ଆଇଏସ୍‌ଆଇ ସହ ସମ୍ପୃକ୍ତି ଥିବା କୁହାଯାଉଛି। ଗଣମା‌ଧ୍ୟମରେ ସୂଚନା ଦେଇ ସ୍ବତନ୍ତ୍ର ଶାଖା ଡିସିପି ପ୍ରମୋଦ କୁଶୱାହା କହିଛନ୍ତି, ଏଥିରେ ୨ ଗୋଷ୍ଠୀ ରହିଛନ୍ତି। ଗୋଟିଏ ଗୋଷ୍ଠୀ କାଶ୍ମୀରର ଏବଂ ଅନ୍ୟ ଏକ ଗୋଷ୍ଠୀ ହେଉଛନ୍ତି ପଂଜାବ ଗ୍ୟାଙ୍ଗଷ୍ଟାର୍‌। ପଂଜାବ ଗ୍ୟାଙ୍ଗଷ୍ଟାର୍‌ ବିଭିନ୍ନ ହତ୍ୟା ମାମଲାରେ ସମ୍ପୃକ୍ତ ଥିବାବେଳେ କାଶ୍ମୀର ଗ୍ୟାଙ୍ଗ୍‌ଷ୍ଟାର୍‌ ନିଶାଦ୍ରବ୍ୟ ବିକ୍ରି ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କାର୍ଯ୍ୟରେ ଲିପ୍ତ ଥିଲେ। ଉକ୍ତ ୨ଟି ଗ୍ୟାଙ୍ଗ୍‌ ସହ ଆଇଏସ୍‌ଆଇର ସମର୍ଥନ ରହିଛି। ଦିଲ୍ଲୀ ପୁଲିସର ଦାବି ଅନୁଯାୟୀ ଗିରଫ ହୋଇଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ସୌର୍ଯ୍ୟ ଚକ୍ର ପୁରସ୍କାର ପାଇଥିବା ବଲବିନ୍ଦର ସିଂହଙ୍କ ହତ୍ୟାକାଣ୍ଡରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ତେବେ ଆଜି ଗିରଫ ଆତଙ୍କବାଦୀଙ୍କଠାରୁ ଜବତ ହୋଇଥିବା ଅସ୍ତ୍ର ସହ ବଲବିନ୍ଦରଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ମିଶିଯାଉଛି । ଆତଙ୍କବାଦୀଙ୍କଠାରୁ ୩ଟି ପିସ୍ତଲ୍‌, ୨ କିଲୋ ହେରୋଇନ୍‌, ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଏହି ମାମଲାର କୌଣସି ସମ୍ପୃକ୍ତି ନାହିଁ ବୋଲି ପୁଲିସ କହିଛି।