କଟକ: ପରମ୍ପରା ଆଗରେ ହାର୍‌ ମାନିଲା କଟକଣା। ସରକାରଙ୍କ କଟକଣା ସତ୍ତ୍ବେ ଆଜି କାଠ‌ଯୋଡ଼ି ଓ ମହାନଦୀର ଅଧିକାଂଶ ଘାଟରେ ଲାଗିଥିଲା ଗହଳି। କେବଳ ବାଲିଯାତ୍ରା ପଡ଼ିଆ ନିକଟ ଗଡ଼ଗଡ଼ିଆ ଘାଟରେ ପୁଲିସ ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ଲୋକେ ବାଧ୍ୟହୋଇ କଟକଣା ମାନିଥିବା ବେଳେ ମହାନଦୀ ଓ କାଠଯୋଡ଼ିର ଅନ୍ୟ ସବୁଠ‌ାରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସବୁଠାରେ ଶୁଭିଥିଲା ଆ-କା-ମା‌-ବୈ...ର ସ୍ବର। ଆଉ, ଚାଲିଥିଲା କାର୍ତ୍ତିକପୂର୍ଣ୍ଣିମାର ପ‌ାରମ୍ପରିକ ଡଙ୍ଗାଭସା କାର୍ଯ୍ୟକ୍ରମ।

Advertisment

କରୋନା ସଂକ୍ରମଣ ଭୟ ଥିବାରୁ ପ୍ରଶାସନ ପକ୍ଷରୁ ଚଳିତବର୍ଷ ଡଙ୍ଗାଭସା ଉପରେ ଅଙ୍କୁଶ ଲଗାଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀ କିମ୍ବା କାଠଯୋଡ଼ିର କୌଣସି ଘାଟ ବା ତୁଠରେ ଡଙ୍ଗା ଭସାଯିବ ନାହିଁ କି ଜନଗହଳି ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ କଟକବାସୀଙ୍କ ପାରମ୍ପରିକ ବୋଇତବନ୍ଦାଣ ସ୍ଥଳ ମହାନଦୀର ଗଡ଼ଗଡ଼ିଆ ଘାଟରେ ପୁଲିସ ପହରାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ହେଲେ ପ୍ରଶାସନଠୁ ଅଧିକ ଚତୁର କଟକିଆ ଆଜି ପୁଲିସକୁ ଚକ୍‌ମା ଦେଇ ମହାନଦୀର ଯୋବ୍ରା, ଶିଖରପୁର, ଚହଟା, ତୁଳସୀପୁର ଘାଟ ସମେତ କାଠଯୋଡ଼ିର ସିଡିଏ, ଗଣେଶଘାଟ, ଦେବୀଗଡ଼ା, ରାଜାବଗିଚା, ଖାନନଗର, ଘାଟକୂଳ ଆଦି ସ୍ଥାନରେ ଗହଳି ମଧ୍ୟରେ ଡଙ୍ଗା ଭସାଇଥିଲେ। ଖାଲି ସେତିକି ନୁହେଁ, ଭ‌ୋର ସମୟରୁ ସକାଳ ୯ଟା/୧୦ଟା ପର୍ଯ୍ୟନ୍ତ ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।