ବାତ୍ୟା ପରବର୍ତ୍ତୀ ବର୍ଷାରେ ବେହାଲ ମୟୂରଭଞ୍ଜ, ନଦୀରେ ପାଣି ବଢ଼ି ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ

୧୭୫୫ ଘର କ୍ଷତିଗ୍ରସ୍ତ ସୂଚନା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଦେଇ ବାତ୍ୟା ୟାସ ଝାରଖଣ୍ଡକୁ ଗତି କରିବା ସମୟରେ ମୟୂରଭଞ୍ଜର ଶେଷ ସୀମା ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ଥିବାର ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲାର  ଯଶିପୁର, କୁସୁମୀ, ଶୁକୃଳି ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି । ପାଣି ଖର ସ୍ରୋତା ହେବା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତ ମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ଟି ନଦୀର ଜଳ ସ୍ତର ବଢ଼ି ପାଣି ମାଡି ଯାଇଛି । ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ଖିଚିଂ- ଚଢ଼େଇଭୋଳକୁ ଯାଉଥିବା ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।  ସେହିପରି ଖଇରିଭଣ୍ଡନ ନଦୀର ଜଳ ସ୍ତର ବଢ଼ି ଅନେକ ଚାଷ ଜମିରେ ପାଣି ମାଡି ଚାଷ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେଇ ଯାଇଛି । ସେଠାରେ ନୂତନ ପୋଲ ନିର୍ମାଣ ଚାଲିଥିବା ବେଳେ କର୍ମଚାରୀ ମାନେ ନଦୀ ପାଖରେ ରହୁଥିଲେ । ହଠାତ ନଦୀ ବଢ଼ି ଆସିବାରୁ ସେମାନଙ୍କୁ ଏକ ସ୍କୁଲ ଘରକୁ ଆଣି ଥଇଥାନ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶୁକ୍ରୁଳି ଓ ତିରିଂ ଅଞ୍ଚଳରେ ବର୍ଷା ଲାଗି ରହିଥିବାର ଖବର ମିଳିଛି । ସେହିପରି ଚଢେଇଭୋଳ ନିକଟରେ ବୈତରଣୀ ନଦୀ ଉଗ୍ର ରୂପ ଧାରଣ କରିବା ସହ ତୁର୍ମୁଙ୍ଗା ଠାରେ ରାସ୍ତା ଉପରେ ୫ ଫୁଟର ପାଣି ଚାଲି ଥିବାରୁ କେନ୍ଦୁଝର ଓ କରଞ୍ଜିଆ ଯଶିପୁର ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ସେହିପରି ଭୀମକୁଣ୍ଡ ଠାରେ ମଧ୍ୟ ବୈତରଣୀ ନଦୀର ଉଗ୍ର ରୂପ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଆଜି ପାଗରେ କିଚ୍ୱିଟା ପରିବର୍ତ୍ତନ ଆସିଛି । ଶୁନଶାନ ପାଗ ମେଘୁଆ ଥିଲେ ମଧ୍ୟ ବର୍ଷା ହେଉନାହିଁ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଗତକାଲି ପୂର୍ବାହ୍ନରେ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ଶିମିଳିପାଳ ଭିତରେ ଥିବା ଗୁଡୁଗୁଡିଆ, ଟିକରପଡା ଆଦି ସ୍ଥାନରେ ରାସ୍ତା ଓ ପୋଲ ଧୋଇ ଯାଇଥିବାର ଜଣା ଯଇଛି । ତେବେ ରାତିରେ କମ ପରିମାଣର ବର୍ଷା ହୋଇଥିବାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ କରାଯାଇ ଥିବା ବେଳେ, ବୁଢାବଳଙ୍ଗ ନଦୀର ଜଳସ୍ତର ଅଧିକ ବଢିବାର ଆଶଙ୍କା କରାଯାଉଥିଲେ ମଧ୍ୟ ଜଳସ୍ତର କମ ରହିଛି । ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ସ୍ଥିର ଥିବା ବେଳେ ଏବେ ବନ୍ୟା ପରିସ୍ଥିତି ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ସଠିକ କ୍ଷୟ କ୍ଷତିର ଆକଳନ ଚାଲିଥିବା ବେଳେ, ଏବେ ଉଦ୍ଧାର ଓ ରାସ୍ତା ମରାମତି ଓ ବିଦ୍ୟୁତ ମରାମତି କାମ ଯୁଦ୍ଧ୍ୟକାଳୀନ ଭିତ୍ତିରେ ଚାଲିଛି । ତେବେ ଆଜି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରାଯାଇ ରିପର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ, ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ସହିତ ମୋଟ ୨୬ଟି ବ୍ଲକ ସହିତ ବାରିପଦା ଓ ରାଇରଙ୍ଗପୁର ମୁନିଷିପାଲଟି ଏବଂ କରଂଜିଆ ଓ ଉଦଳା ବିଜ୍ଞାପିତ ଅଂଚଳ ପରିଷଦରେ ମୋଟ ୫ଟି ପକ୍କା ଘର, ୬ଟି ଆଂଶିକ ପକ୍କା ଘର , ୩୬ ଟି ପାର୍ସିଆଲି ପକ୍କାଘର ଏବଂ ୧୮୦ ଟି ଚାଳଘର , ୨୮ଟି କଚ୍ଚା ଘର, ୭୮ଟି ସେଭାରେଲ କଚ୍ଚା ଘର, ୧୨୬୩ଟି ପାର୍ସିଆଲି କଚ୍ଚା ଘର, ୧୫୯ ଟି ଗୁହାଳ ଭାଙ୍ଗିଥିବା ବେଳେ, ୫ଲକ୍ଷ ରୁ ଉର୍ଦ୍ଧ ଲୋକ ବାତ୍ୟାରେ ପ୍ରଭାବିତ ହୋଇ ଥିବାର ଜଣା ଯାଇଛି । ସେହିପରି ଜିଲ୍ଲାରେ ସର୍ବମୋଟ ଛୋଟ ବଡ ମିଶି ୮୦ଟି ପଶୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ବିଦ୍ୟୁତ ଖୁଣ୍ଟି ମଧ୍ୟ ନଷ୍ଟ ହୋଇଛି । ବହୁ ରବି ଫସଲ ମଧ୍ୟ ନଷ୍ଟ ହୋଇ ଥିବାର ଜଣା ଯାଇଛି । ତେବେ ବାସ୍ତବ କ୍ଷୟକ୍ଷତିର ରିପର୍ଟ ପ୍ରସ୍ତୁତି ଚାଲିଥିବାର ଜଣା ଯାଇଛି ।
ସମ୍ବନ୍ଧିତ ଖବର