ଶ୍ରୀମନ୍ଦିର ପ୍ରବେଶ ବେଳେ ଆଉ ଦେଖାଇବାକୁ ପଡ଼ିବ ନାହିଁ ‌କୋଭିଡ୍ ରିପୋର୍ଟ; ଜାଣନ୍ତୁ ଜଗା ଦର୍ଶନ ଲାଗି ଆଉ କେଉଁ ନୀତିନିୟମ ରହିଛି

ସମସ୍ତ ଶ୍ରଦ୍ଧାଳୁଙ୍କୁ ମିଳିଲା ଶ୍ରୀମନ୍ଦିରରେ ପ୍ରବେଶ ସୌଭାଗ୍ୟ

ପୁରୀ: ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମିଳିଲା କାଳିଆ ଦର୍ଶନର ସୌଭାଗ୍ୟ । ଦୀର୍ଘ ୯ ମାସ ପରେ ଆଜିଠାରୁ ଶ୍ରୀମନ୍ଦିରରେ ସମସ୍ତ ଭକ୍ତ ପୂର୍ବଭଳି ମହାପ୍ରଭୁଙ୍କ ଦର୍ଶନ କରିବାର ଅନୁମତି ପାଇଛନ୍ତି । ଆଜିଠାରୁ ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ତେବେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକଠାରୁ ବାରିକେଡ୍ କରାଯାଇଛି । ପରିବେଶକୁ କୋଭିଡ୍ ସଂକ୍ରମଣମୁକ୍ତ ରଖିବା ପାଇଁ ସିଂହଦ୍ୱାରରେ ଥର୍ମାଲ୍ ସ୍କାନିଂ ସହ ସାନିଟାଇଜର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଦର୍ଶନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ 

୧- ଏଣିକି ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବନାହିଁ ।

୨- କିନ୍ତୁ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

୩- ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ ଗାଇଡ୍ ଲାଇନ ପାଳନ କରିବା ବାଧ୍ୟତାମୂଳକ ।

୪- ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦ ହଜାର ଭକ୍ତ ଦର୍ଶନ କରିପାରିବେ ।

୫- ସପ୍ତାହକୁ ଗୋଟିଏ ଦିନ, ରବିବାର ଦର୍ଶନ ବନ୍ଦ ରହିବ ।

୬- ପ୍ରତିଦିନ ଭୋର୍ ୫ଟା ୪୫ ମିନିଟ୍ ସୁଦ୍ଧା ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ ।

୭- ସକାଳ ୬ଟାରୁ ୭ଟା ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି ।

୮- ପୁରୀ ସହରବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ ।

୯- ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

୧୦- ଏହି ସମୟରେ ବିନା ପରିଚୟପତ୍ରରେ ଶ୍ରଦ୍ଧାଳୁ ପ୍ରହାପ୍ରଭୁଙ୍କ ଦର୍ଶନ କରିପାରିବେ ।

୧୧- ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି ।

୧୨- ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି ।

୧୩-  ଆନନ୍ଦ ବଜାର କଟକଣା ବଳବତ୍ତର ରହିଛି । ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣି ଶ୍ରୀମନ୍ଦିର ବାହାରେ ସେବନ କରିପାରିବେ ।

ସମ୍ବନ୍ଧିତ ଖବର