ଶିକ୍ଷକ ଛାଟରେ ଶିଶୁ ହୁଏ ମଣିଷ। ଏହି ଛାଟ ତା’କୁ ଶିକ୍ଷା, ସଂସ୍କାର, ସମ୍ମାନ ଓ ସଫଳତା ଦିଏ। କେବଳ ଭଲ ଛାତ୍ରଟିଏ ତିଆରି କରିବାରେ ନୁହେଁ, ବରଂ ଶିକ୍ଷକମାନେ ନେତୃତ୍ବ ପ୍ରଦାନ ଓ ରାଷ୍ଟ୍ର ନିର୍ମାଣରେ ମଧ୍ୟ ପରାକାଷ୍ଠା ପ୍ରଦର୍ଶନ କରିଥା’ନ୍ତି। ଯେବେ ଯେବେ ଶାସନ ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି ବା ସମାଜ ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛି, ସେବେ ସେବେ ଗୁରୁମାନେ ନିଜ ଉପସ୍ଥିତି ଓ ଯୋଗଦାନ ବଳରେ ସମାଜକୁ ସମ୍ଭାଳି ନେଇଛନ୍ତି। ଶିକ୍ଷାଦାନରୁ ସମାଜ ସଂସ୍କାର; ପୁଣି ରାଜନୀତିକୁ ମଧ୍ୟ ଶିକ୍ଷକମାନେ ଆସିଛନ୍ତି। ଏଥିସହ ଶାସନ ଦାୟିତ୍ବ ବି ସେମାନେ ଦକ୍ଷତାର ସହ ତୁଲାଇଛନ୍ତି। ନିଜ ଶାସନ କାଳରେ ବିକାଶ ଓ ନୀତିନିଷ୍ଠାର ଭିନ୍ନ ପରିଭାଷା ସୃଷ୍ଟି କରି ସମାଜକୁ ସଦ୍ମାର୍ଗ ଦେଖାଇଛନ୍ତି। ସ୍ବାଧୀନ ଭାରତରେ ଏଭଳି ଅନେକ ସଫଳ ମୁଖ୍ୟମନ୍ତ୍ରୀ ଦେଖାଯାଇଛନ୍ତି, ଯେଉଁମାନେ ଶିକ୍ଷକତାରୁ ଆସିଛନ୍ତି। ଏହି କ୍ରମରେ ମୁଲାୟମ୍ ସିଂହ ଯାଦବ, ରାଜନାଥ ସିଂହ, ମାୟାବତୀ, ଆନନ୍ଦୀବେନ୍ ପଟେଲ ଓ ପ୍ରେମସିଂହ ତମାଙ୍ଗ ଆସନ୍ତି। ପୂର୍ବରୁ ଏହି ଧାରାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ସାମିଲ୍ ହେଇଥିବା ବେଳେ ସଦ୍ୟ ସାମିଲ୍ ହୋଇଛନ୍ତି ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିକ୍ଷକତାରୁ ଆସି ଶାସନର ଶୀର୍ଷରେ ପହଞ୍ଚିଛନ୍ତି। ଶିକ୍ଷକରୁ ଶାସନମୁଖ୍ୟ ହୋଇଥିବା ଏମିତି କିଛି ବ୍ୟକ୍ତିତ୍ବଙ୍କୁ ନେଇ ଏଥରର ଉପସ୍ଥାପନା ।
ରାଜ୍ୟରେ କ୍ଷମତା କଡ଼ ଲେଉଟାଇ ସାରିଛି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟାରମ୍ଭ କରିଛନ୍ତି। ଏବେ ସାରା ରାଜ୍ୟରେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା...‘ଶୂନ୍ୟରୁ ଶହେ’ ବନିବାର ସେ ଶ୍ରେଷ୍ଠ ଉଦାହରଣ। କେନ୍ଦୁଝର ମାଟିର ଆଦିବାସୀ ପୁଅ ମୋହନ ଚରଣ ରାଇକଳା ଗ୍ରାମର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆନନ୍ଦପୁର ମହାବିଦ୍ୟାଳୟରୁ ସ୍ନାତକ ସମାପ୍ତି ପରେ ସେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ। ପରେ ସେ ରାଜନୀତିକୁ ଆସି ଗାଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା କରି ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କ ଏହି ସଫଳତା ଅତୀତରେ ଦେଶର ଅନ୍ୟ ରାଜ୍ୟରେ ଶିକ୍ଷକରୁ ଶାସକ ହୋଇଥିବା ବ୍ୟକ୍ତିତ୍ବଙ୍କ ସଂପର୍କରେ ଆଲୋଚନାକୁ ପ୍ରାସଙ୍ଗିକ କରିଛି।
ଆନନ୍ଦୀବେନ୍: ଶିକ୍ଷକତାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଗୁଜରାଟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍ ପଟେଲ ହେଉଛନ୍ତି ବିଧାୟକରୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀରୁ ରାଜ୍ୟପାଳ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦବି ଅଳଙ୍କୃତ କରିଥିବା ଦେଶର ଅନ୍ୟତମ ଟାଣୁଆ ନେତ୍ରୀ। ବର୍ତ୍ତମାନ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ଅଧିଷ୍ଠିତ। ନରେନ୍ଦ୍ର ମୋଦୀଙ୍କର ଏକ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବ ପରେ ଗୁଜରାଟ ଶାସନର ମଙ୍ଗ ଧରିଥିଲେ ଆନନ୍ଦୀବେନ୍। ଜଣେ ଦୁଃସାହସୀ ଓ ଟାଣୁଆ ନେତ୍ରୀ ଭାବେ ତାଙ୍କର ବେଶ୍ ସୁନାମ ରହିଛି। ସେ ଯେ କେତେ ଦୁଃସାହସୀ ତାହା ତାଙ୍କ ଶିକ୍ଷକ ଜୀବନରୁ ହିଁ ପ୍ରମାଣ ମିଳିଥିଲା। ଆର୍ଥିକ ଦୁରବସ୍ଥା ଯୋଗୁଁ ଆନନ୍ଦୀବେନ୍ ଦିନେ ଇଚ୍ଛା ନଥାଇ ବି ଶିକ୍ଷକତା ବୃତ୍ତି ଆପଣେଇ ଥିଲେ। ଏକ ଖବରକାଗଜର ବିଜ୍ଞାପନ ଦେଖି ଶିକ୍ଷକ ଚାକିରି ପାଇଁ ସାକ୍ଷାତ୍କାର ଦେବାକୁ ଯାଇଥିଲେ। ୧୯୬୭ରୁ ୭୦ ମସିହା ପର୍ଯ୍ୟନ୍ତ ଅହମଦାବାଦସ୍ଥିତ ମୋହିନିବା ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିବା ସହ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ସେ ବିଜ୍ଞାନ ଓ ଗଣିତ ପଢ଼ାଉଥିଲେ। ପରେ ଆନନ୍ଦୀବେନ୍ ସେହି ସ୍କୁଲର ପ୍ରିନ୍ସିପାଲ୍ ଭାବେ ପଦୋନ୍ନତି ପାଇଥିଲେ।
ଆନନ୍ଦୀବେନ୍ଙ୍କର ରାଜନୀତିରେ ପ୍ରବେଶ ମଧ୍ୟ ବେଶ୍ ରୋଚକ। ୧୯୮୭ ମସିହାର ଘଟଣା। ସ୍କୁଲ ପିଲାଙ୍କୁ ପିକ୍ନିକ୍ ନେଇ ଯାଇଥିବା ସମୟରେ ୨ ଜଣ ଛାତ୍ରୀ ସର୍ଦ୍ଦାର ସରୋବରରେ ଅଚାନକ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆନନ୍ଦୀବେନ୍ ପାଣି ଭିତରକୁ ଡେଇଁ ପଡ଼ିଥିଲେ ଓ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ଏହି ଦୁଃସାହସିକତା ପାଇଁ ତାଙ୍କୁ ସେହି ବର୍ଷ ହିଁ ‘ରାଷ୍ଟ୍ରପତି ସାହସିକତା ସମ୍ମାନ’ ପ୍ରଦାନ କରାଯାଇଥିଲା। ଆନନ୍ଦୀବେନ୍ଙ୍କ ଏହି ଦୁଃସାହସିକତା ବିଜେପିର ତୁଙ୍ଗ ନେତାଙ୍କୁ ପ୍ରଭାବିତ କରିଥିଲା ଓ ତାଙ୍କୁ ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଥିଲା। ଆନନ୍ଦୀବେନ୍ ଟିକେ କୁନ୍ଥ କୁନ୍ଥ ହୋଇଥିଲେ ବି ପରେ କେଶୁଭାଇ ପଟେଲ ଓ ନରେନ୍ଦ୍ର ମୋଦୀଙ୍କ କଥା ମାନି ବିଜେପିରେ ଯୋଗ ଦେଇଥିଲେ। ୧୯୮୭ ମସିହାରେ ହିଁ ତାଙ୍କୁ ଗୁଜରାଟ ପ୍ରଦେଶ ମହିଳା ମୋର୍ଚ୍ଚାର ସଭାପତି କରାଯାଇଥିଲା।
କ୍ରୀଡ଼ା ଶିକ୍ଷକରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ଅଧ୍ୟୁଷିତ ଝାରସୁଗୁଡ଼ା ଜିଲ୍ଲାର ଏକ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ କରି ହେମାନନ୍ଦ ବିଶ୍ବାଳ ରାଜନୀତିର ଶୀର୍ଷ ସୋପାନରେ ପହଞ୍ଚି ପାରିଥିଲେ। ସେ ୧୨ତମ ବ୍ୟକ୍ତି ଭାବେ ୧୯୮୯ ମସିହାରେ ପ୍ରଥମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏଥିସହ ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସ୍ବଳ୍ପ ଅବଧି ପାଇଁ ଦୁଇଥର (୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ ୧୯୯୯ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ ୨୦୦୦) ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ହେମାନନ୍ଦ ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ସାଂସଦ ଭାବେ ଲୋକଙ୍କ ସେବା କରିଥିଲେ। ଭୂୟାଁ ଜନଜାତି ବର୍ଗର ହେମାନନ୍ଦ ଓଡ଼ିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୩୯ ମସିହା ୧ ଡିସେମ୍ବରରେ ଜନ୍ମିତ ହେମାନନ୍ଦ କୁଚିଣ୍ଡା ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ସୁନ୍ଦରଗଡ଼ ମହାବିଦ୍ୟାଳୟରୁ ସେ ଆଇଏ ପାସ୍ କରିଥିଲେ। ଛାତ୍ର ଜୀବନରେ ଖେଳ ଓ ନାଟକ ଆଦି ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ଥିଲା। ପାଠପଢ଼ା ପରେ ସେ କିର୍ମିରା ସରକାରୀ ହାଇସ୍କୁଲ୍ରେ ଖେଳ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ନେତୃତ୍ବ ନେବାର ଦକ୍ଷତା ଥିବା ହେମାନନ୍ଦ ଶିକ୍ଷକତା ଛାଡ଼ି ରାଜନୀତିରେ ପାଦ ଥାପିଲେ। ୧୯୬୭ରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୦ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।
୧୯୭୪ରେ ପ୍ରଥମ ଥର ପାଇଁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଲଇକେରା ନିର୍ବାଚନମଣ୍ଡଳୀରୁ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୮୬ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୫ରୁ ୧୯୯୮ ମଧ୍ୟରେ ସେ କଂଗ୍ରେସ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦୨୨ ମସିହାରେ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଥିଲା।
୧୯୯୪ ମସିହାରେ ସେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ରାଜ୍ୟସଭାରୁ ଇସ୍ତଫା ଦେଇ ମଣ୍ଡଳ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ ଓ କେଶୁଭାଇ ପଟେଲଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଶିକ୍ଷାମନ୍ତ୍ରୀ ଭାବେ ସେ ବହୁ ସଫଳତା ପାଇଥିଲେ। ‘ଲୋକଦରବାର’ ମାଧ୍ୟମରେ ବିଦ୍ୟାଳୟ ଓ ଶିକ୍ଷା ସମ୍ପର୍କିତ ସମସ୍ୟାକୁ ସମାଧାନ କରିବା, ‘ଶାଳା ପ୍ରବେଶୋତ୍ସବ’ ମାଧ୍ୟମରେ ୧୦୦% ଉପସ୍ଥାନ ସୁନିଶ୍ଚିତ କରିବା, ୨୬ ହଜାର ଶିକ୍ଷକ ନିଯୁକ୍ତି, ଶିକ୍ଷକ ବଦଳି ଦୁର୍ନୀତିରେ ରୋକ୍ ଲଗାଇବା ଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ବିଦ୍ୟାଳୟ ସ୍ଥାପନ ଆଦି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ୨୦୧୨ ମସିହାରେ ଘାଟଲୋଦିୟା ବିଧାନସଭା ଆସନରୁ ୧ ଲକ୍ଷ ୭୫ ହଜାରରୁ ଅଧିକ ଭୋଟ୍ରେ ଜିତି ବିଧାନସଭାକୁ ଆସିଥିଲେ। ୨୦୧୪ ମେ’ ୨୨ରେ ସେ ଗୁଜରାଟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ୨୦୧୬ ଅଗଷ୍ଟ ୧ ତାରିଖରେ ସେ ୭୫ ବର୍ଷ ବୟସର ହୋଇଯାଇଥିବାରୁ ନିଜ ଆଡୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଇଥିଲେ। ଜଣେ ଶିକ୍ଷକ ଓ ଶାସକ ହିସାବରେ ସେ ନିଜ ରାଜ୍ୟବାସୀଙ୍କୁ ସାହସିକତା, ନିର୍ଭୀକତା ଓ ସମୟ ଆସିଲେ କ୍ଷମତା ଛାଡ଼ିବାର ଉଦାରତା ଶିଖାଇ ଯାଇଛନ୍ତି।
ଶିକ୍ଷୟିତ୍ରୀରୁ କୁଶଳ ଶାସିକା ମାୟାବତୀ
କୁଶଳ ଶାସିକା ଭାବେ ମାୟାବତୀଙ୍କ ନାମ ଉତ୍ତରପ୍ରଦେଶ ଇତିହାସରେ ସବୁବେଳେ ଉଚ୍ଚାରିତ ହେବ। ତଥ୍ୟ କହୁଛି, ଉତ୍ତରପ୍ରଦେଶରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ଅପେକ୍ଷା ତାଙ୍କ ଶାସନ କାଳରେ ଦୁଷ୍କର୍ମ, ସାଂପ୍ରଦାୟିକ ଦଙ୍ଗା ଓ ଦୁର୍ନୀତି ଭଳି ସଙ୍ଗୀନ୍ ଅପରାଧର ସଂଖ୍ୟା କମ୍ ଥିଲା। ନିଜ ଦଳ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ସାଂସଦ ଉମାକାନ୍ତ ଯାଦବ ଜମି ଦୁର୍ନୀତିରେ ସାମିଲ ଥିବାରୁ ୨୦୦୭ ମସିହାରେ ନିଜେ ମାୟାବତୀ ତାଙ୍କୁ ଗିରଫ କରିବାର ହୁକୁମ ଦେଇଥିଲେ। ୨୦୧୦ ମସିହାରେ ଅଯୋଧ୍ୟା ବିବାଦର ଶୁଣାଣି ସମୟରେ ସେ ଆଇନଶୃଙ୍ଖଳାକୁ ଏତେ ଦକ୍ଷତାର ସହ ପରିଚାଳନା କରିଥିଲେ ଯେ ସେ ସମୟରେ ଉତ୍ତରପ୍ରଦେଶରେ ଦଙ୍ଗା ବଦଳରେ ଶାନ୍ତି ଦେଖିବାକୁ ମିଳିଥିଲା। ଏହି ସୁଦକ୍ଷା ନେତ୍ରୀ ବି ନିଜ ପ୍ରାରମ୍ଭିକ ଜୀବନରେ ଜଣେ ଶିକ୍ଷୟିତ୍ରୀ ଥିଲେ। ମାୟାବତୀ ୧୯୫୬ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାପା ପ୍ରଭୁ ଦାସ ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର ବାଦଲପୁରର ପୋଷ୍ଟ୍ ଅଫିସ୍ରେ କାର୍ଯ୍ୟ କରୁଥିଲେ। ତିନି ଭାଇ ନାମୀଦାମୀ ଘରୋଇ ସ୍କୁଲରେ ଶିକ୍ଷାଲାଭ କରିଥିବା ବେଳେ ମାୟାବତୀ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କାଳିନ୍ଦୀ କଲେଜରୁ ସ୍ନାତକ ପଢ଼ା ସାରିଥିଲେ ଏବଂ ତା’ପରେ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ଗାଜିଆବାଦସ୍ଥିତ ମିରଟ ବିଶ୍ବବିଦ୍ୟାଳୟର ଭିଏମ୍ଏଲ୍ଜି କଲେଜରୁ ୧୯୭୬ ମସିହାରେ ବିଏଡ୍ ପାଠ ଶେଷ କରିଥିଲେ। ପରେ ସେ ଦିଲ୍ଲୀସ୍ଥିତ ଇନ୍ଦରପୁରୀ ଜେଜେ କଲୋନି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏଥିସହ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।
୧୯୭୭ ମସିହାରେ ବହୁଜନ ସମାଜ ନେତା କାଂସୀ ରାମ ଶିକ୍ଷୟିତ୍ରୀ ମାୟାବତୀଙ୍କ ଘରକୁ ବୁଲି ଆସିଥିବା ସମୟରେ ଉଭୟଙ୍କର ପ୍ରଥମ ସାକ୍ଷାତ୍ ହୋଇଥିଲା। ମାୟାବତୀଙ୍କ ସୁସ୍ପଷ୍ଟ କଥା ଓ ବିଚାରଧାରା କାଂସୀ ରାମଙ୍କୁ ପ୍ରଭାବିତ କରିଥିଲା। ମାୟାବତୀଙ୍କ ଜୀବନୀରେ ଲେଖାଯାଇଛି, ‘ସେଦିନ କାଂସୀ ରାମ ମାୟାବତୀଙ୍କୁ କହିଥିଲେ: ତୁମେ ଆଇଏଏସ୍ ପାଇଁ ପ୍ରସ୍ତୁତ ହେଉଛ। ମୁଁ ତୁମକୁ ଏଭଳି ଏକ ବିରାଟ ନେତ୍ରୀରେ ପରିବର୍ତ୍ତିତ କରିବି ଯେ ଜଣେ ନୁହେଁ, ତୁମ ନିର୍ଦ୍ଦେଶ ପାଇଁ ଆଇଏଏସ୍ଙ୍କ ଏକ ଲମ୍ବା ଧାଡ଼ି ଲାଗିବ।’ ଏହାପରେ କାଂସୀ ରାମଙ୍କ ପ୍ରେରଣାରେ ଶିକ୍ଷକତା ଛାଡ଼ି ମାୟାବତୀ ରାଜନୀତିକୁ ଆସିଥିଲେ। ୧୯୮୪ ମସିହାରେ ବହୁଜନ ସମାଜ ପାର୍ଟି ଗଠନ ହୋଇଥିଲା। ମାୟାବତୀ ୧୯୮୯ ମସିହାରେ ପ୍ରଥମେ ସଂସଦକୁ ନିର୍ବାଚିତ ହୋଇଥିଲେ। ବିଜେପି ସମର୍ଥନରେ ମାୟାବତୀ ପ୍ରଥମ ଥର ପାଇଁ ୧୯୯୫ ଜୁନ୍ ୩ରୁ ଅକ୍ଟୋବର ୧୮ଯାଏ ୪ ମାସ ୧୫ ଦିନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଦ୍ବିତୀୟ ଥର ୧୯୯୭ ମାର୍ଚ୨୧ରୁ ସେପ୍ଟେମ୍ବର ୨୧, ତୃତୀୟ ଥର ୨୦୦୨ ମେ’ ୩ରୁ ୨୦୦୩ ଅଗଷ୍ଟ ୨୯ ଓ ଶେଷଥର ପାଇଁ ୨୦୦୭ ମେ’ରୁ ୨୦୧୨ ମସିହା ମାର୍ଚ ୧୫ଯାଏ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଶିକ୍ଷକରୁ ଅଧ୍ୟାପକ, ପରେ ମୁଖ୍ୟମନ୍ତ୍ରୀ
ଉତ୍ତର ପ୍ରଦେଶରେ ନେତାଜୀ ନାମରେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ମଧ୍ୟ ଶିକ୍ଷକତାରୁ ରାଜନୀତିକୁ ଆସି ଢେର୍ ସଫଳତା ପାଇଥିଲେ। ୧୯୩୯ ନଭେମ୍ବର ୨୨ରେ ଏକ କୃଷକ ପରିବାରରେ ମା’ ମୂର୍ତ୍ତି ଦେବୀ ଓ ପିତା ସୁଘର ସିଂହଙ୍କ କୋଳମଣ୍ଡନ କରିଥିଲେ ମୁଲାୟମ୍ ସିଂହ ଯାଦବ। ମୁଲାୟମ୍ ଆଗ୍ରା ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୬୩ ମସିହାରେ ସେ ଜଣେ ସ୍କୁଲ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେ ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାସ୍ଥିତ କରହଲ୍ ଜୈନ ଇଣ୍ଟର୍-କଲେଜରେ ଶିକ୍ଷକ ଥିଲେ। ୧୯୭୪ ମସିହାରେ ସେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ଶିକ୍ଷକରୁ ଅଧ୍ୟାପକ ହୋଇଥିଲେ।
ବାପା ସୁଘର ସିଂହ, ପୁଅ ମୁଲାୟମ୍ଙ୍କୁ ଜଣେ ପହେଲମାନ୍ ବା କୁସ୍ତିଯୋଦ୍ଧା କରିବାକୁ ଚାହୁଥିଲେ। ପହେଲମାନୀ କରୁଥିବା ସମୟରେ ମୁଲାୟମ୍ ମୈନପୁରୀ ଜିଲ୍ଲାରେ ଆୟୋଜିତ ଏକ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଠାରେ ମୁଲାୟମ୍ଙ୍କ କୁସ୍ତି କଳାକୌଶଳରେ ପ୍ରଭାବିତ ହୋଇଥିଲେ ତତ୍କାଳୀନ ଯଶୱନ୍ତନଗର ବିଧାୟକ ନଥୁସିଂହ ଚୌଧୁରୀ। ପରେ ନଥୁସିଂହ ହିଁ ହୋଇଥିଲେ ମୁଲାୟମ୍ଙ୍କ ରାଜନୈତିକ ଗୁରୁ। ନତ୍ଥୁସିଂହଙ୍କ ପାରମ୍ପରିକ ବିଧାନସଭା ଆସନ ଯଶୱନ୍ତନଗରରୁ ସେ ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିଲେ। ସକ୍ରିୟ ରାଜନୀତିରେ ପାଦ ଦେବା ପରେ ସେ ଶିକ୍ଷକତା ଛାଡ଼ି ଦେଇଥିଲେ। ୧୯୮୯ ମସିହାରେ ପ୍ରଥମ ଥର ପାଇଁ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏହା ପୂର୍ଣ୍ଣକାଳୀନ ନଥିଲା। ବିଭିନ୍ନ ରାଜନୈତିକ କାରଣରୁ ୧୯୯୧ ଜୁନ୍ ୩ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ହଟିଥିଲେ। ଦ୍ବିତୀୟ ଥର ପାଇଁ ସେ ୧୯୯୩ ଡିସେମ୍ବର ୫ରୁ ୧୯୯୫ ଜୁନ୍ ୩ଯାଏ ଓ ପରେ ତୃତୀୟ ଥର ପାଇଁ ସେ ୨୦୦୩ ଅଗଷ୍ଟ ୨୯ରୁ ୨୦୦୭ ମେ’ ୧୩ଯାଏ ଏହି ପଦରେ ଅଧିଷ୍ଠିତ ହୋଇଥିଲେ। ବହୁ ଦିନର ଅସୁସ୍ଥତା ପରେ ୨୦୨୨ ଅକ୍ଟୋବର ୧୦ ତାରିଖରେ ମୁଲାୟମ୍ଙ୍କ ଦେହାନ୍ତ ହୋଇଥିଲା। ‘ଶିକ୍ଷାରୁ ରକ୍ଷା’ଯାଏ ରାଜନାଥ
ଆଜି ଦେଶ ସୁରକ୍ଷାର ଗୁରୁଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ। ଦିନ ଥିଲା ପଦାର୍ଥବିଜ୍ଞାନର କଠିନରୁ କଠିନ ସଂଜ୍ଞାକୁ ସରଳ ଭାବେ ବୁଝାଇବା ଓ ପଢ଼ାଇବାର ଦାୟିତ୍ବରେ ସେ ଥିଲେ। ଜଣେ ପଦାର୍ଥବିଜ୍ଞାନ ଅଧ୍ୟାପକରୁ ମୁଖ୍ୟମନ୍ତ୍ରୀ ଏବଂ ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପର୍ଯ୍ୟନ୍ତ ରାଜନାଥ ସିଂହଙ୍କ ଯାତ୍ରା ଯେତିକି ସଂଘର୍ଷପୂର୍ଣ୍ଣ ସେତିକି ପ୍ରେରଣାଦାୟୀ ମଧ୍ୟ। ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲା ଭବୌରା ଗାଁର ଏକ ଚାଷୀ ପରିବାରରେ ରାଜନାଥଙ୍କ ଜନ୍ମ। ଗାଁର ଏକ ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିଥିବା ରାଜନାଥ ବଡ଼ ହୋଇ ଗୋରଖପୁର ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଉତ୍ତରପ୍ରଦେଶ ମିର୍ଜାପୁରସ୍ଥିତ କେ. ବି. ପିଜି କଲେଜରେ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରିଥିଲେ।
ପିଲାଦିନୁ ଆର୍ଏସ୍ଏସ୍ ବିଚାରଧାରାରେ ପ୍ରଭାବିତ ରାଜନାଥ ୧୯୬୪ ମସିହାରୁ ହିଁ ଆର୍ଏସ୍ଏସ୍ରେ ଯୋଗ ଦେଇ ସାରିଥିଲେ। ପରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ସହ ସେ ଅଧ୍ୟାପନାରୁ ଅବ୍ୟାହତି ନେଇଥିଲେ। ୧୯୭୭ ମସିହାରେ ମିର୍ଜାପୁରରୁ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ୧୯୯୧ ମସିହାରେ ବିଜେପି ଉତ୍ତରପ୍ରଦେଶରେ ନିଜ ପ୍ରଥମ ସରକାର ଗଢ଼ିବା ସହ ରାଜନାଥ ହୋଇଥିଲେ ଶିକ୍ଷାମନ୍ତ୍ରୀ। ଶିକ୍ଷାମନ୍ତ୍ରିତ୍ବ କାଳରେ ସେ ପିଲାମାନଙ୍କ କପି ସମସ୍ୟାକୁ ନେଇ ‘ଆଣ୍ଟି-କପିଂ ଆକ୍ଟ୍ ୧୯୯୨’ ଆଣିଥିଲେ। ଏଥିସହ ପାଠ୍ୟକ୍ରମରେ ବୈଦିକ ଗଣିତକୁ ସାମିଲ କରି ଚର୍ଚ୍ଚାକୁ ଆସିଥିଲେ। ୨୦୦୦ ଅକ୍ଟୋବର ୨୮ରୁ ୨୦୦୨ ମାର୍ଚ ୮ ତାରିଖଯାଏ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।
ସରକାରୀ ଶିକ୍ଷକରୁ କ୍ରାନ୍ତିକାରୀ ମୁଖ୍ୟମନ୍ତ୍ରୀ ତମାଙ୍ଗ
ଭାରତୀୟ ରାଜନୈତିକ ଇତିହାସର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ପଲିଂଙ୍କୁ ହରାଇ ୨୦୧୯ରେ ସିକିମ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ ପ୍ରେମସିଂହ ତମାଙ୍ଗ। ସେ ରାଜନୀତିରେ ପ୍ରବେଶ କରି ନିଜ ଦଳ ଗଢ଼ିବା ପୂର୍ବରୁ ଜଣେ ଶିକ୍ଷକ ଥିଲେ। ୧୯୬୮ ଫେବ୍ରୁଆରି ୫ ତାରିଖରେ ଜନ୍ମିତ ତମାଙ୍ଗ ଦାର୍ଜିଲିଂ ସରକାରୀ କଲେଜରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସ୍ନାତକ ଶେଷ ହେବା ପରେ ଏକ ସରକାରୀ ସ୍କୁଲରେ ସେ ଶିକ୍ଷକ ଭାବେ ଚାକିରି କରିଥିଲେ। ୧୯୯୩ ମସିହାଯାଏ ସରକାରୀ ଶିକ୍ଷକ ଭାବେ କାମ କରିବା ପରେ ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପରେ ଅଧିକ ସଂପୃକ୍ତ ହେବା ପାଇଁ ଚାକିରିରୁ ଇସ୍ତଫା ଦେଇଥିଲେ। ୧୯୯୩ରେ ସେ ସିକିମ୍ ଡେମୋକ୍ରାଟିକ୍ ଫଣ୍ଟ୍ (ଏସ୍ଡିଏଫ୍) ସହ ମିଶି ୧୯୯୪ ମସିହାରେ ପଶ୍ଚିମ ସିକିମ୍ର ସୋରେଙ୍ଗ-ଚାକୁଙ୍ଗ୍ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୧୩ ମସିହାରେ ସେ ଏସ୍ଡିଏଫ୍ ଛାଡ଼ି ନିଜ ଦଳ ‘ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା’ ଗଠନ କରିଥିଲେ। ନିଜ ଦକ୍ଷତା ବଳରେ ସଂଗଠନ କରି ଶେଷରେ ସେ ପବନ ଚାମ୍ପଲିଂଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ।