ସମର୍‌ କ୍ୟାମ୍ପ୍‌ରେ ଶିକ୍ଷା ସହିତ ମସ୍ତି: ଖରାଛୁଟିରେ ମାମୁଘର ଯିବା, ଦର୍ଶନୀୟ ସ୍ଥାନ ବୁଲା ଏବେ ପୁରୁଣା କଥା

ଖଣ୍ଡଗିରି: ପୂର୍ବପିଢ଼ିରେ ପରୀକ୍ଷାରେ ପ୍ରଶ୍ନ ଆସୁଥିଲା- ‘ଖରାଛୁଟିକୁ କିପରି କାଟିଲ ସାଙ୍ଗ ନିକଟକୁ ପତ୍ର ଲେଖ’। ସେଥିରେ ସେ ପିଢ଼ିର ପିଲାଏ ମାମୁଘର ବୁଲା, ଗାଁକୁ ଯିବା, କିମ୍ବା କେଉଁ ଦର୍ଶନୀୟ ସ୍ଥାନକୁ ଯିବା କଥା ଲେଖୁଥିଲେ। ହେଲେ ସମୟ ବଦଳି ଗଲାଣି। ଖରାଦିନ ଆସିଲେ ରାଜଧାନୀର ପିଲାମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଉଛି ସମର କ୍ୟାମ୍ପ୍‌। ବର୍ଷସାରା ପାଠବୋଝରେ ଥକି ପଡ଼ିଥିବା କା‌ନ୍ଧ ଖରା ଆସିଲେ ସଳଖି ଉଠୁଛି। ସମର୍‌ କ୍ୟାମ୍ପରେ ପାଠରୁ ମୁକ୍ତି ପାଇ କୌତୁକିଆ କଥା ଶିଖିବାକୁ ମିଳୁଥିବାରୁ ପିଲାଏ ବି ଭାରି ଖୁସି। ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏମିତି କ୍ୟାମ୍ପ ଆୟୋଜିତ ହେଉଛି। ଅନେକ ସ୍କୁଲ୍ ମଧ୍ୟ ନିଜସ୍ବ ସମର୍‌ କ୍ୟାମ୍ପ ବା ଗ୍ରୀଷ୍ମକାଳୀନ ଶିବିରମାନ ଆରମ୍ଭ କଲେଣି।

 କଳିଙ୍ଗ ଷ୍ଟାଡିୟମରେ ମାଗଣା
ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାପାଇଁ ସମର କ୍ୟାମ୍ପ ଆୟୋଜନ କରାଯାଉଛି। ଫଳରେ ଖେଳରେ ରୁଚି ରଖୁଥିବା ପିଲାମାନଙ୍କ ପାଇଁ ଗ୍ରୀଷ୍ମାବକାଶ ସମୟରେ ସେମାନଙ୍କ ପସନ୍ଦର ଖେଳ ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣର ସୁଯୋଗ ସୃଷ୍ଟି କରାଯାଇଛି। ଏଥିରେ ୫ରୁ ୧୬ ବର୍ଷ ବୟସ ବର୍ଗର ବାଳିକା ବାଳକ ଭାଗନେଇ ପାରୁଛନ୍ତି। ଏବର୍ଷ ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଲ୍ଟି ସ୍ପୋର୍ଟ ସମର କ୍ୟାମ୍ପରେ ଆଥଲେଟିକ୍ସ, ଭାରୋତ୍ତୋଳନ, ଫୁଟବଲ, ବାସ୍କେଟବଲ, ବ୍ୟାଡ୍‌ମିଣ୍ଟନ, କବାଡି, ଜୁଡୋ, ଜିମ୍ନାଷ୍ଟିକ୍ସ ଓ ଭଲିବଲ ଆଦି ଖେଳର କ୍ୟାମ୍ପ ହେଉଛି। ଜଣେ ଖେଳାଳି କେବଳ ଗୋଟିଏ କ୍ରୀଡ଼ା ପାଇଁ ଉଦ୍ଦିଷ୍ଟ କ୍ୟାମ୍ପରେ ଯୋଗ ଦେଇପାରିବେ। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେଉଛି।

 ଏରୋବିକ୍‌ ଓ ଜୁମ୍ବା
ଓଜନରେ ସନ୍ତୁଳନ ରକ୍ଷା କରିବାଲାଗି ଏରୋବିକ୍‌ ଓ ଜୁମ୍ବା ଭଳି ଆଧୁନିକ ନୃତ୍ୟଶୈଳୀ ଅନେକ ପସନ୍ଦ କରୁଛନ୍ତି। ଏଣୁ ଖରାଛୁଟି ହେଉହେଉ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ କୌଣସି ଅନୁଷ୍ଠାନକୁ ଯାଇ ଏହି ନୃତ୍ୟ ଶିକ୍ଷା କରୁଛନ୍ତି। ଭିନ୍ନ ସ୍ବାଦର ଫ୍ରି’ ‌ଷ୍ଟାଇଲ୍‌, ଜୁମ୍ବା ଓ ଆକ୍ବା ଜୁମ୍ବା ଆଦି ନୃତ୍ୟଶୈଳୀ ପିଲାଙ୍କୁ ବିଭିନ୍ନ ଜୁମ୍ବା ସ୍କୁଲରେ ଶିକ୍ଷା ନେଉଥିବା ଦେଖିବାକୁ ମିଳୁଛି। ୫ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି। ପାଣି ଭିତରେ କରାଯାଉଥିବା ଆକ୍ବା ଜୁମ୍ବା ପ୍ରତି ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି।

 କରାଟେ ଓ ଆତ୍ମରକ୍ଷା କୌଶଳ ପାଇଁ ଉତ୍ସାହ ବେଶି
ରାଜଧାନୀର ପିଲାଙ୍କ ଭିତରେ କରାଟେ ଓ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରତି ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଝିଅଙ୍କର ଅଭିଭାବକମାନେ ସେଥିପାଇଁ ବେଶ୍‌ ଉତ୍ସାହିତ କରୁଛନ୍ତି। ୧୦ ରୁ ୧୨ ବର୍ଷ ବୟସରୁ ଊର୍ଧ୍ବ ବୟସ୍କ ପିଲା ଏହାକୁ ଶିଖୁଛନ୍ତି। କିଛି ମାଷ୍ଟର୍‌ ଟ୍ରେନର ଘରେ ଯାଇ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି।

 ଟେରାକୋଟା ଓ କାଦୁଅ କଳା
ରାଜଧାନୀର ପ୍ରତି ବିଦ୍ୟାଳୟରେ ସମର୍‌ କ୍ୟାମ୍ପରେ ଭିନ୍ନ ଭିନ୍ନ କଳା ଶିକ୍ଷା ଦିଆଯାଉଥିବା ବେଳେ ଓଡ଼ିଶାର ଟେରାକୋଟା ଓ କାଦୁଅ କଳା, ମୁଖା ତିଆରି ପ୍ରାୟ ସବୁ ବିଦ୍ୟାଳୟରେ ଶିଖା ଯାଉଛି। ପିଲାମାନେ କାନ୍‌ଭାସ୍‌, ପଟ୍ଟଚିତ୍ର ଚିତ୍ରକଳା ସହ ଟେ‌ରାକୋଟା, ପଟ୍ରି ଆଦି ମାଟିରେ ତିଆରିବା ଶିକ୍ଷା ପାଉଛନ୍ତି। ସେହିଭଳି ପିଲାମାନଙ୍କୁ କାଗଜ ଓ ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ସାମଗ୍ରୀ ତିଆରି ପ୍ରଣାଳୀ ଶିକ୍ଷା ଦିଆଯାଉଛି। ଜୀବନରେ କେବେ ମାଟି ଧରିବାର ସୁଯୋଗ ପାଉନଥିବା ସହରୀ ପିଲାଙ୍କର ଏଥିପ୍ରତି ନାହିଁ ନଥିବା ଆଗ୍ରହ।

 ଗମ୍ଭୀର ପ୍ରସଙ୍ଗରେ ଶିକ୍ଷା
ବର୍ଜ୍ୟବସ୍ତୁରୁ ଆର୍ଟ ଆଣ୍ଡ କ୍ରା‌ଫ୍ଟ, ନୃତ୍ୟ, କେଉଁ ଫଳ ଖାଇଲେ କ’ଣ ଲାଭ, ଘୋଡାଚଢ଼ା, ଜଙ୍କ୍‌ ଫୁଡ୍‌ର ଅପକାରିତ‌ା, ସନ୍ତରଣ, ବର୍ଷା ଡ୍ୟାନ୍ସ, ଜଙ୍ଗଲ ସଫାରି, ରାଇମ୍ସ ଶିଖିବା ଏଭଳି ଅଧିକାଂଶ ପ୍ଲେ ସ୍କୁଲ୍‌ରେ ସମର୍‌ କ୍ୟାମ୍ପ୍‌ରେ ଶିଖା ଯାଉଥିଲା। ହେଲେ ଏବେ ଫାୟାର୍‌ଲେସ୍‌ କୁକିଂ, ଘରେ ନିଆଁ ଲାଗିଲେ କ’ଣ କରିବା, ଗହଳିରେ ହଜିଗଲେ କ’ଣ କରିବା, ଭଲ ସ୍ପର୍ଶ ଖରାପ ସ୍ପର୍ଶ ଭଳି କଥା ସେଥିରେ ଶିକ୍ଷା ଦିଆଯାଉଛି। ବଚ୍‌ପନ କଳିଙ୍ଗବିହାରର ନିର୍ଦ୍ଦେଶକ ଆଚମନ ନନ୍ଦଙ୍କ କହିବା କଥା, ‘‘ଛୋଟପିଲାଙ୍କୁ ନୂଆକଥା ଶିଖାଇବାର ଏହା ଉତ୍କୃଷ୍ଠ ସମୟ। ତେଣୁ ‌ଖେଳରେ ଖେଳରେ ‌ଏ ସମସ୍ତ ଶିକ୍ଷା ଦିଆଯାଉଛି।’’

ସମ୍ବନ୍ଧିତ ଖବର