ନୂଆଦିଲ୍ଲୀ : ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରିବା ନେଇ ସମସ୍ତ ଆଇନଗତ ପ୍ରକିୟା ଶେଷ ହୋଇସାରିଥିବା ବେଳେ ଏବେ ପ୍ରତ୍ୟାର୍ପଣକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି | ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ହେଲେ ଆଉ ଏକ ଆଇନଗତ ପ୍ରତିବନ୍ଧକର ସମାଧାନ କରିବାକୁ ହେବ | ଯେ ପର୍ଯ୍ୟନ୍ତ ଏହି ଆଇନଗତ ପ୍ରତିବନ୍ଧକର ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ମାଲ୍ୟା ଭାରତ ଫେରି ପାରିବ ନାହିଁ | ତେବେ ସେହି ଆଇନଗତ ପ୍ରତିବନ୍ଧକଟି କ'ଣ ସେ ବିଷୟରେ ଜଣାଇବା ପାଇଁ ମନା କରିଦେଇଛି ବ୍ରିଟିଶ ହାଇ କମିସନ |
ବ୍ରିଟିଶ ହାଇକମିସନର ମୁଖପାତ୍ର କହିଛନ୍ତି, "ଗତ ମାସରେ ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ ହୋଇଥିଲା | ତଥାପି ଆହୁରି ଏକ ଆଇନଗତ ସମସ୍ୟା ରହିଛି ଯାହା ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପୂର୍ବରୁ ସମାଧାନ ହେବା ଆବଶ୍ୟକ। ବ୍ରିଟେନର ନିୟମ ଅନୁଯାୟୀ, ଏହାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତ୍ୟାର୍ପଣ ହୋଇପାରିବ ନାହିଁ। ଏହି ପ୍ରସଙ୍ଗଟି ଗୋପନୀୟ ଅଟେ ଏବଂ ଆମେ ସବିଶେଷ ତଥ୍ୟ ଦେଇ ପାରିବୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ କେତେ ସମୟ ଲାଗିବ ତାହା କହିବା ଅସମ୍ଭବ। କିନ୍ତୁ ଆମେ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ।
ସୂଚନାଯୋଗ୍ୟ ଯେ ପୂର୍ବତନ ସାଂସଦ ତଥା କିଙ୍ଗଫିସର କମ୍ପାନିର ମୁଖ୍ୟ ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଜଡ଼ିତ ହେବା ପରେ ୨୦୧୬ ମାର୍ଚ୍ଚରେ ଭାରତ ଛାଡ଼ି ବ୍ରିଟେନ ପଳାଇଥିଲେ। ସେ ୧୭ଟି ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲେ। ତେବେ ଗତ ମେ ୧୪ରେ ବ୍ରିଟେନ ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟାର୍ପଣ ବିରୋଧୀ ଆବେଦନକୁ ଖାରଜ କରିବା ପରେ ମାଲ୍ୟାଙ୍କୁ ୨୮ ଦିନ ଭିତରେ ଭାରତକୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଭାରତରେ ମାଲ୍ୟାଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍ରେ ରଖିବା ପାଇଁ ଯୋଜନା କରାଯାଇଛି। ପୂର୍ବରୁ ଜେଲ୍ରେ ବ୍ୟବସ୍ଥା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ବ୍ରିଟେନ୍ ଅଦାଲତରେ ଉପସ୍ଥାପନ କରାଯାଇଥିଲା।