ଭାବୀ ସମୁଦି, ଶ୍ବଶୁର-ଜ୍ବାଇଁ ଭେଟ : କୋର୍ଟରେ ଆଖି ଛଳଛଳ, ଜେଲ୍‌ରେ ମୁରୁକି ହସିଲେ

କେମିତି ଅଛ ବୋଲି ପରସ୍ପରକୁ ପଚାରିଲେ

ଭୁବନେଶ୍ୱର : ତିନିଦିନିଆ ରିମାଣ୍ଡ ଶେଷ ପରେ ଆଜି ପାଠକ ବାପା-ପୁଅଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସର ଏସ୍‌ଆଇଟି। ଦିନ ଦିନ ଧରି ଆକାଶରେ ଘୂରି ବୁଲିବା, ତାଜ୍ ପ୍ୟାଲେସ୍‌ ଭଳି ହୋଟଲରେ ଅୟସ କରି ଜୀବନ ବିତାଉଥିବା ବାପା-ପୁଅଙ୍କୁ ପୁଣି ଜେଲ୍ ଯିବାକୁ ପଡ଼ିବ ବୋଲି ଶୁଣିବା ପରେ ଆଖି ଛଳଛଳ ହୋଇଯାଇଥିଲା। ଭିଜିଲାନ୍ସର ମାରାଥନ୍ ଜେରାରେ ମୁହଁ ଶୁଖି ଯାଇଥିଲା। ଆଉ ଆଗ ଭଳି ମୁହଁ ଫୁଟାଣି ନଥିଲା। ଏମିତି ଆଉ ଜେଲରେ କେତେ ଦିନ କାଟିବାକୁ ପଡ଼ିବ ବୋଲି ଦୁହେଁ ଦୁହିଁଙ୍କ ମୁହଁଙ୍କୁ ଚାହିଁ ଗୁଣୁଗୁଣ ହେବା ଛଡ଼ା ଆଉ ବାଟ କିଛି ନ ଥିଲା। ଏମିତି କେବେ ଘଟିବ ବୋଲି ସେମାନେ ସ୍ବପ୍ନ‌ରେ ସୁଦ୍ଧା ଭାବି ନଥିଲେ। ରିମାଣ୍ଡ ଶେଷ ହେବା ପରେ ବାପା-ପୁଅଙ୍କୁ ଜେଲ୍ ଫେରିବାକୁ ପଡ଼ିଥିଲା। ନିୟମ ଅନୁସାରେ, ଉଭୟ ୯ ଏବଂ ୧୧ ନମ୍ବର ଓ୍ୱାର୍ଡ ସଂଗରୋଧ କେନ୍ଦ୍ରରେ ରହିଥିଲେ। ସନ୍ଧ୍ୟାରେ ଖାଦ୍ୟ ଦିଆଯିବା ପୂର୍ବରୁ ଅଲଗା ଭାବେ ସଂଗରୋଧ ଵାର୍ଡର କଏଦୀମାନଙ୍କ ସହ ଧାଡ଼ିରେ ଛିଡ଼ା ହୋଇଥିଲେ। ୧୪ ନମ୍ବର ସଂଗରୋଧ ଓ୍ୱାର୍ଡରେ ରହୁଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଧାଡ଼ିରେ ଛିଡ଼ା ହୋଇଥିଲେ।

ମନେ ମନେ ଖୋଜି ହେଉଥିବା ଅଭୟକାନ୍ତ ଓ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଯାଇଥିଲା। ଦୁଇ ଭାବୀ ମୁଦି ଭେଟ ହେବା ପରେ କିଛି ସମୟ ପାଇଁ ପରସ୍ପରକୁ ଅନାଇଥିଲେ। ଏମିତି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଯେମିତି ସେମାନେ ପ୍ରଥମଥର ପାଇଁ ଦେଖା ହୋଇଛନ୍ତି। କିନ୍ତୁ କିଛି ସମୟ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଉଭୟ ଉଭୟଙ୍କୁ ଚାହିଁ କେମିତି ଅଛ ବୋଲି ପଚାରି ମୁରୁକି ହସିଥିଲେ। ସେହିପରି ଭାବୀ ଜ୍ବାଇଁ ଆକାଶ ପାଠକ ସହ ମଧ୍ୟ ପ୍ରଦୀପଙ୍କର ଭେଟ ହୋଇଥିଲା। ଚାକିରି ନାଁରେ ଠକେଇ ଘଟଣାକୁ ନେଇ ପରସ୍ପର ଭିତରେ କଥା କଟାକଟି ହୋଇଥିଲା। ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହୋଇଥିଲେ। ସେହିପରି ବିବାହ କଥା ମଧ୍ୟ ସେମାନଙ୍କ ଭିତରେ ପଡ଼ିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କେବଳ ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ଆଉ କିଛି ବାଟ ନ ଥିଲା।

ରୁଟିରେ କଟିଲା ରାତି, ଆଜି ପାଟିରେ ବାଜିବ ଆମିଷ
ତାରକା ହୋଟେଲ ଖାଦ୍ୟ ଖାଉଥିବା ପାଠକ ବାପା-ପୁଅଙ୍କର ଜେଲ ଖାଦ୍ୟରେ ପାଟି ଆମ୍ବିଳା ହୋଇଯାଇଥିଲା। ଖାଦ୍ୟ ରୁଚୁ ନ ଥିଲେ ମଧ୍ୟ ଖାଇବାକୁ ବାଧ୍ୟ ହେଉଥିଲେ। କିନ୍ତୁ ତିନି ଦିନ ହେଲା ଭିଜିଲାନ୍ସ ରିମାଣ୍ଡରେ ଥିବା ବେଳେ ହୋଟେଲ ଖାଦ୍ୟରେ କାମ ଚଳି ଯାଉଥିଲା। କିଛି ନ ହେଲେ ନାହିଁ ବାପା-ପୁଅ କିଛି ମାତ୍ରାରେ ଖୁସି ହୋଇଯାଉଥିଲେ। କିନ୍ତୁ ରିମାଣ୍ଡ ଶେଷ ହେବା ପରେ ଆଜି ଜେଲକୁ ଫେରିବାକୁ ପଡ଼ିଛି। ଅନ୍ୟ କଏଦୀଙ୍କ ଭଳି ଉଭୟଙ୍କୁ ରୁଟି, ତରକାରି ଦିଆଯାଇଥିଲା। ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମାନ ଖାଦ୍ୟ ଖାଇଥିଲେ। ରୁଟିରେ ହିଁ ରାତି କଟାଇଛନ୍ତି। ଆସନ୍ତାକାଲି ରବିବାର ଥିବାରୁ ଆମିଷ ହେବ ବୋଲି ଜଣାପଡ଼ିଛି।

ଜେଲ୍ ଭିତରେ ସମୁଦି ଚର୍ଚ୍ଚା
ଝାରପଡ଼ା ଜେଲ୍ ଭିତରେ ଏବେ ହାଇ ପ୍ରୋଫାଇଲ କଏଦୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଉ ମାତ୍ର କିଛି ଦିନ ପରେ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତଗଣ୍ଠି ପଡ଼ିଥା’ନ୍ତା। କିନ୍ତୁ ଏହା ପୂର୍ବରୁ ହାତକଡ଼ି ପିନ୍ଧାଇଥିଲା ଭିଜିଲାନ୍ସ। କୋଟି କୋଟି ଟଙ୍କା ବଜେଟ୍‌ର ବିବାହ ଯୋଜନା ଫସର ଫାଟିଗଲା। ଜେଲରେ ଦୁଇ ଭାବୀ ସମୁଦିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ଜେଲ୍ ଭିତରେ ହାଇ-ପ୍ରୋଫାଇଲ ବାହାଘର କର ବୋଲି କଏଦୀମାନେ ଥଟ୍ଟାରେ କହୁଛନ୍ତି। ଭାବୀ ଜ୍ବାଇଁ ବି ଜେଲରେ ଥିବାରୁ ଆଉ କିଛି ଅସୁବିଧା ନାହିଁ ବୋଲି ଆଲୋଚନା ଜୋର୍ ଧରିଛି।

‘ଗୋଟିଏ ଲାଉର ମଞ୍ଜି’
ଅଭୟକାନ୍ତ, ଆକାଶ ଓ ପ୍ରଦୀପ ପାଣିଗ୍ରାହୀ; କେହି କାହାକୁ କମ୍ ନୁହନ୍ତି। ତିନି ଜଣ ସିଣ୍ଡିକେଟ୍ ତିଆରି କରି ଚାକିରି ନାଁରେ ଠକେଇ କରିଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି। ଆକାଶଙ୍କ ପିଏ ଡେଭିଡ୍ ପିଟର୍‌ ଜେରାରେ ଗୁମର ଖୋଲିଛନ୍ତି। କିନ୍ତୁ ଜେଲ୍ ଭିତରେ ଗୋଟିଏ ଚର୍ଚ୍ଚା ଏବେ ସବୁ କଏଦୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କେହି କାହାକୁ କମ୍ ନୁହନ୍ତି, ସମସ୍ତେ ଗୋଟିଏ ଲାଉର ମଞ୍ଜି ବୋଲି କଏଦୀ ଟୁପୁରୁଟାପୁରୁ ହେଉଛନ୍ତି। ମିଳିମିଶି ଠକେଇ କରିବା ସହ କୋଟି କୋଟି ଟଙ୍କା ଖାଇଛନ୍ତି, ବିମାନରେ ବୁଲିଛନ୍ତି ଆଉ ତାରକା ହୋଟେଲରେ ଖର୍ଚ୍ଚ କରିଛନ୍ତି ବୋଲି କଏଦୀ ମଧ୍ୟ ଖବର ପାଇ ସାରିଲେଣି।

‘ଆମର କିଛି ଦୋଷ ନାହିଁ, ପ୍ରମାଣ ଦେବୁ’
ଆମର କିଛି ଦୋଷ ନାହିଁ, କୋର୍ଟ ଓ ଗଣମାଧ୍ୟମକୁ ଗଦା ଗଦା ପ୍ରମାଣ ଦେବୁ ବୋଲି କହିଛନ୍ତି ପାଠକ ବାପା-ପୁଅ। ଆଜି କୋର୍ଟଚାଲାଣ ବେଳେ ଗଣମାଧ୍ୟମ ଆଗରେ କହିଛନ୍ତି, ଆମ ବିରୋଧରେ ଷଡ଼୍‌ଯନ୍ତ୍ର କରାଯାଇଛି। ଆକାଶ କହିଛନ୍ତି, ମୁଁ ଟାଟା ମୋଟର୍ସରେ ଚାକିରି କରିଥିଲେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ଏହାକୁ ଫାଙ୍କୁଛନ୍ତି। ଆଗକୁ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଆକାଶ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି ବୋଲି କମ୍ପାନି ପକ୍ଷରୁ କମିସନରେଟ ପୁଲିସ୍‌କୁ ଜଣାଇ ଦିଆଯାଇଛି।


www.thepriest.in

ଦିନକ ପରେ ଘାଣ୍ଟିବ ଇଡି
ବିପୁଳ କଳାଧନ କାରବାର ଅଭିଯୋଗରେ ଗିରଫ ହୋଇଥିବା ଆଇଏଏଫଏସ୍‌ ଅଫିସର୍‌ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ବିରୋଧରେ ତଦନ୍ତ ଆରମ୍ଭ କରି ଦେଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ମାସ ମଧ୍ୟରେ ଅଢ଼େଇ କୋଟି ଟଙ୍କା କାରବାର ନେଇ ଇଡି ତନାଘନା ଚଳାଇଛି। କିଛି ବ୍ୟାଙ୍କ ଅଧିକାରୀଙ୍କୁ ନୋଟିସ୍ ମଧ୍ୟ କରାଯାଇଛି। ଆସନ୍ତା ୭ ତାରିଖରୁ ଏହାର ଜୋରଦାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ସହ ସମ୍ପର୍କୀୟ, ସହଯୋଗୀଙ୍କୁ ନୋଟିସ୍ କରାଯିବ। ଅଭୟକାନ୍ତଙ୍କ ଦରମା କେତେ? ସେହି ଦରମା କେଉଁ ବାଟରେ ଖର୍ଚ୍ଚ ହୋଇଛି? କେବଳ ଚାକିରି ନା ଆୟର ସୂତ୍ର ଆଉ କ’ଣ ଥିଲା? ପୁଅ ଆକାଶ କେମିତି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ? କେତେ ଜାଗାରେ ଠକେଇ କରିଛନ୍ତି? ତାଙ୍କର ଆଉ କିଏ ସହଯୋଗୀ ରହିଛି? ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର