ନ୍ୟୁଜିଲାଣ୍ଡରେ ମୁଁ ଏବେ ସବୁଠୁ ଘୃଣ୍ୟ ପିତା: ଗେଡ୍ ଷ୍ଟୋକ୍ସ

ଖ୍ରୀଷ୍ଟଚର୍ଚ: ଗତ ରବିବାର ଲର୍ଡସରେ ଅନୁଷ୍ଠିତ ଆଇସିସି ବିଶ୍ବକପ୍‌ ଫାଇନାଲ୍ ପରଠାରୁ ସେହି ଅଭୁଲା ରାତିର ଚର୍ଚା ଚାରିଆଡେ ଲାଗି ରହିଛି। କିନ୍ତୁ ନ୍ୟୁଜିଲାଣ୍ଡ୍ ପାଇଁ ଏତେ ପାଖ ଏତେ ଦୂର ପାଲଟିଥିବା ବିଶ୍ବକପ୍‌ ମୁକୁଟ ଲାଗି ଜଣେ ନ୍ୟୁଜିଲାଣ୍ଡ୍ ଦାୟୀ ଥିବାରୁ ସମ୍ପୃକ୍ତ ପରିବାର ପାଇଁ ଏହା ମଧୁର ତିକ୍ତତାର ମିଶ୍ରିତ ଅନୁଭବ ଆଣିଛି। ଇଂଲଣ୍ଡକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ବେନ୍ ଷ୍ଟୋକ୍ସ ନ୍ୟୁଜିଲାଣ୍ଡର୍ ମୂଳ ଅଧିବାସୀ। ତାଙ୍କ ପରିବାର ଏବେ ମଧ୍ୟ ଖ୍ରୀଷ୍ଟଚର୍ଚରେ ରହୁଛନ୍ତି। ଫାଇନାଲରେ ୮୪* ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳି ମ୍ୟାଚ୍‌କୁ ଟାଇ କରିଥିବା ବେନ୍ ଷ୍ଟୋକ୍ସ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏବେ ତାଙ୍କ ପିତା ଜେଡ୍ କହିଛନ୍ତି ଲର୍ଡସ ଫାଇନାଲ୍ ପରଠାରୁ ମୁଁ ନ୍ୟୁଜିଲାଣ୍ଡ୍‌ର ‘ସବୁଠୁ ଘୃଣ୍ୟ ପିତା’ ପାଲଟିଯାଇଛି। ଖୁବ୍ ଶୀଘ୍ର ନାଇଟ୍ ଉପାଧି ପାଇବାକୁ ଯାଉଥିବା ବେନ୍ ଷ୍ଟୋକ୍ସଙ୍କ ପାଇଁ ପିତା ଗର୍ବିତ ହେବେ ନିଶ୍ଚିତ। କିନ୍ତୁ ନ୍ୟୁଜିଲାଣ୍ଡ୍ ବିଶ୍ବକପ୍‌ରୁ ବଞ୍ଚିତ ହେବା ଏବଂ ଅନ୍ୟପକ୍ଷରେ ନିଜ ପୁଅ ବିଶ୍ବ ବିଜେତା ହେବା ଦେଖିବା ତାଙ୍କ ପାଇଁ ଏକ ଜଟିଳ ମୁହୂର୍ତ ଭଳି ଥିଲା। କ୍ରିକେଟର ଏହା ସବୁଠୁ ଶ୍ରେଷ୍ଠ ମ୍ୟାଚ୍‌ ଥିଲା ବୋଲି ଗେଡ୍ କହିଥିଲେ। ନ୍ୟୁଜିଲାଣ୍ଡ୍ ପାଇଁ ଗେଡ୍ ଷ୍ଟୋକ୍ସ ରଗ୍‌ବି ଲିଗ୍‌ ଖେଳିଥିଲେ। ବେନ୍ ଷ୍ଟୋକ୍ସଙ୍କ ମାଆ କିନ୍ତୁ ଜଣେ ନିରପେକ୍ଷ ପ୍ରଶଂସକ ଭଳି ମତ ଦେଇଥିଲେ। କହିଥିଲେ ଫଳାଫଳକୁ ଅମୀମାଂସିତ ରଖାଯାଇଥିଲେ ଭଲ ହୋଇଥାନ୍ତା। ନ୍ୟୁଜିଲାଣ୍ଡ୍ ବିଶ୍ବକପ୍‌ରୁ ବଞ୍ଚିତ ହେବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ନିଜ ଜନ୍ମିତ ଦେଶ ବିପକ୍ଷରେ ବେନ୍ ଖେଳିଥିଲେ ମଧ୍ୟ ଖ୍ରୀଷ୍ଟଚର୍ଚ ପ୍ରଶଂସକମାନେ ଭାରି ସମର୍ଥନକାରୀ। ମାତ୍ର ଜଣେ ଦୁଇ ଜଣଙ୍କ ପାଇଁ ମୁଁ ଏବେ ଘୃଣ୍ୟ ପିତା ପାଲଟିଯାଇଛି। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ବେଳେ ବେନ୍ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବଲ୍ ବାଜି ଓଭର ଥ୍ରୋ ଚୌକା ହୋଇଥିବାରୁ ଷ୍ଟୋକ୍ସ ଏଥି ପାଇଁ ସାରା ଜୀବନ କେନ୍ ୱିଲିୟମସନଙ୍କଠାରୁ କ୍ଷମା ମାଗିନେବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ମ୍ୟାଚ୍‌ ଏବଂ ସୁପର୍ ଓଭର ଟାଇ ରହିବା ପରେ ବାଉଣ୍ଡରି ବ୍ୟବଧାନରେ ଇଂଲଣ୍ଡ ନିଜ ପ୍ରଥମ ବିଶ୍ବକପ୍‌ ସ୍ବପ୍ନ ସାକାର କରି ନେଇଥିଲା।

ସମ୍ବନ୍ଧିତ ଖବର