ନୂଆଦିଲ୍ଲୀ: ଲୋକଙ୍କୁ କରୋନା ଟିକା ଦେବା ପାଇଁ ଡାକ୍ତରଖାନାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୂଚୀକୁ ଅବଲମ୍ବନ କରିବାକୁ ପଡ଼ିବ ନାହିଁ। ଡାକ୍ତରଖାନାଗୁଡ଼ିକ ନିଜ ସୁବିଧା ଅନୁସାରେ ଲୋକଙ୍କୁ ଟିକା ଦେଇ ପାରିବେ। ୨୪ଘଣ୍ଟା ମଧ୍ୟରେ ଡାକ୍ତରଖାନାଗୁଡ଼ିକ ଲୋକଙ୍କୁ ନିଜ ହିସାବରେ ଟିକା ଦେଇପାରିବେ ଏବଂ ସାଧାରଣ ଲୋକ ନିଜ ସୁବିଧା ଅନୁସାରେ ଯାଇ କରୋନା ଟିକା ନେଇ ପାରିବେ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
ତାଙ୍କ କହିବା ମୁତାବକ, ଟିକାକରଣର ଗତି ବଢ଼ାଇବାକୁ ସରକାର ସମୟ ସୀମା ହଟାଇ ଦେଇଛନ୍ତି। ଲୋକମାନେ ସେମାନଙ୍କ ସୁବିଧା ଅନୁଯାୟୀ ୨୪x୭ ଟିକା ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକଙ୍କ ଉଭୟ ସମୟ ଏବଂ ସ୍ୱାସ୍ଥ୍ୟର ମୂଲ୍ୟ ବୁଝନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଏବେଠାରୁ କୋୱିନ ପୋର୍ଟାଲରେ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବାର ବ୍ୟବସ୍ଥାକୁ ହଟାଇଦିଆଯାଇଛି। ଡାକ୍ତରଖାନାଗୁଡ଼ିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକା ଦେଇପାରିବେ। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମଧ୍ୟ ସେମାନେ ଚାହିଁଲେ ଟିକା ଦେଇପାରିବେ। ଏହା ସହ ସକାଳ ୯ଟା ଅପେକ୍ଷା ସକାଳ ୮ଟାରୁ ଟିକାକରଣ ଆରମ୍ଭ କରିପାରିବେ। କାର୍ଯ୍ୟସୂଚୀ ଏବଂ କ୍ଷମତା ପାଇଁ ସେମାନଙ୍କୁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ କରିବାକୁ ପଡିବ।
/sambad/media/post_attachments/3b09cb979aef4c3eba3991f1da3e4ef1e9932ffec818870346f5b065f36479ef.jpg)
ତେବେ ଟିକାକରଣ ଗତି ବଢ଼ାଇବା ସହ ଭିଡ଼ କମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନେବାର ବ୍ୟବସ୍ଥା ରହୁଥିବାରୁ ଟିକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ୨୪x୭ ବ୍ୟବସ୍ଥା ଦ୍ବାରା ଟିକାକରଣ ଗତି ବଢ଼ିବା ସହ ଭିଡ଼ କମ ରହିବ।