ଢେଙ୍କାନାଳ: ମହିଳାଙ୍କ ମାସିକ ଧର୍ମ ଏକ ସ୍ୱାଭାବିକ ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ଆମ ସମାଜ ଏହାକୁ ସ୍ୱାଭାବିକ ଭାବେ ଗ୍ରହଣ କରେନା। ମାସିକ ଋତୁସ୍ରାବ ବେଳାରେ ଅନେକ ସମୟରେ ବାଛ ବିଚାରର ଶିକାର ହୁଅନ୍ତି ମହିଳା। ଲୋକ ଲଜ୍ଜା ଭୟରେ ସାମାଜିକ ସହିତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ବି ଯୁଝି ହୁଅନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗୀତାଞ୍ଜଳି ମାରାଣ୍ଡି ଦିଲ୍ଲୀରେ କଡ଼ା ଯୁକ୍ତି ବାଢ଼ିଛନ୍ତି। ନିଜର ଅନୁଭୂତି ବାଣ୍ଟି ବିଚାରକଙ୍କ ମନକୁ ଜିଣିଛନ୍ତି। ଜାତୀୟ ସ୍ତରରେ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ୫ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଛନ୍ତି। ଏହି ଗୌରବ ନେଇ ଫେରିବା ପରେ ଆଜି ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ଗୀତାଞ୍ଜଳିଙ୍କୁ ସମ୍ବର୍ଧିତ କରିଛନ୍ତି। ୟୁଏନ୍ଏଫ୍ପିଏ ପକ୍ଷରୁ ଦିଲ୍ଲୀର ହୋଟେଲ୍ ଆଇଟିିସି ମୌର୍ଯ୍ୟଠାରେ ବିଦ୍ୟାଳୟରେ ବାଳିକାଙ୍କ ଅନୁପସ୍ଥିତି ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ ଲାଗି ଜିଲ୍ଲା ପ୍ରଶାସନ ଗଁଦିଆ ବ୍ଲକ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗୀତାଞ୍ଜଳିଙ୍କୁ ଚୟନ କରିଥିଲା। ସେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ।
ଗୀତା ଦେଶରେ ପ୍ରଥମ, ମହିଳାଙ୍କ ମାସିକ ଧର୍ମ ଶୀର୍ଷକ ତର୍କ
/sambad/media/post_attachments/wp-content/uploads/2018/05/Gitanjali-Marandi-1.jpg)