ଜୟପୁର : ଶେଷରେ ରାଜ୍ୟସରକାର ଜୟପୁରବାସୀ, ଜନପ୍ରତିନିଧି, ରାଜନୈତିକ ନେତା, ସଂଗଠନ ଆଦିର ଦାବିକୁ ମାନିଛନ୍ତି। ଗତ କିଛି ଦିନ ହେବ ସିଟି ସ୍କାନ ମେସିନ୍ ଏବଂ ଅଧିକା ଶଯ୍ୟା ପାଇଁ ଦାବି ଜୋର ଧରିଥିଲା। ଏହାକୁ ପୁରଣ କରିବାକୁ ଯାଇ ଜୟପୁରରେ ଥିବା ଘରୋଇ ‘ଗ୍ଲୋକାଲ ହସ୍ପିଟାଲ’କୁ କୋଭିଡ୍ ହସ୍ପିଟାଲଭାବେ କାର୍ୟ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି କରି ନିର୍ଦେଶ ଦେଇଛନ୍ତି ରାଜ୍ୟସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ) ପ୍ରଦୀପ କୁମାର ମହାପାତ୍ର। ଏହା ପୂର୍ବରୁ ରାଜ୍ୟସରକାରଙ୍କୁ ଏକ ପ୍ରସ୍ତାବ ଗତ ୧୮ତାରିଖ ଦିନ ଜିଲ୍ଲାପାଳ ଆବଦାଲ ଏମ୍ ଆଖତର ଦେଇଥିଲେ। ଏହାକୁ ରାଜ୍ୟସରକାର ଅନୁମୋଦନ କରିବା ସହ ତୁରନ୍ତ କାର୍ୟ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଛନ୍ତି।
ଦିନକୁ ଦିନ ଜିଲ୍ଲାରେ ମହାମାରୀ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ୨ଶହରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଖାସ୍ କରି ଜୟପୁର ଉପଖଣ୍ଡରେ ସଂକ୍ରମିତ ଅଧିକା। ଏସବୁକୁ ଦୃଷ୍ଟିରେ ଗ୍ଲୋକାଲ ହସ୍ପିଟାଲର ୨୪ଟି ଆଇସିୟୁ ଶଯ୍ୟା, ୩ଟି ଭେଣ୍ଟିଲେଟର, ୫୦ଟି କେନ୍ଦ୍ରୀୟ ଓକ୍ସିଜେନ୍ ରହିତ ଶଯ୍ୟା, ୨୬ଟି ସାଧାରଣ ଶଯ୍ୟା ଓକ୍ସିଜେନ୍ ସିଲଣ୍ଡର ସହ, ଆବଶ୍ୟକ ବେଳେ ସିଟି ସ୍କାନ, ଲାବରଟରୀ, ଡିଜିଟାଲ ଏକ୍ସରେ, ଡାୟଲସିସ୍, ଏବଂ ଅସ୍ତ୍ରପ୍ରଚାରରୁମର ଅନୁସଙ୍ଗିକ ଭିତ୍ତିଭୂମିକୁ ନେଇ କୋଭିଡ୍ ହସ୍ପିଟାଲ ଭାବେ ବ୍ୟବହାର କରାଯିବାକୁ ନିର୍ଦେଶ ଦେଇଛନ୍ତି। ରୋଗୀଙ୍କ ପାଇଁ ଏହି ହସ୍ପିଟାଲର ଆଇସିୟୁ, ଭେଣ୍ଟିଲେଟର, ସାଧାରଣ ଶଯ୍ୟା, ଅସ୍ତ୍ରପ୍ରଚାରରୁମ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବାକୁ ନିର୍ଦେଶ ଦେଇଛନ୍ତି। ତୁରନ୍ତ ଏହାକୁ କାର୍ୟ୍ୟକ୍ଷମ କରାଇବାକୁ ଜିଲ୍ଲାପାଳଙ୍କ ସହ ସିଡିଏମଓ କୋରାପୁଟ ଏବଂ ରାଜ୍ୟସରକାରଙ୍କ ଅନ୍ୟାନ୍ୟ ବିଭାଗକୁ ବି ଅବଗତ କରାଯାଇଛି। ତେବେ ଏହି ଚିଠି ସଂପର୍କରେ ଜାଣିବା ପରେ ସହର ବାସୀ ସ୍ବାଗତ କରିଛନ୍ତି। ଏଥି ପୂର୍ବରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବି ଏହି ପ୍ରସ୍ତାବ ଦେଇ ରାଜ୍ୟସରକାର ଓ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଦେଇଥିଲେ।ସେଭଳି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବରିଷ୍ଠ ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ, ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ଯୁବ ସମାଜସେବୀ ଦେବେନ୍ଦ୍ର ଅଧିକାରୀ , କାଳୀଚରଣ ଦେବ ଶର୍ମା, ସୁବାସ ସାହୁ, କାର୍ତ୍ତିକ ରାଉତ, ମିହିର କର୍କରା, ମାନବାଧିକାର କର୍ମୀ ଅନୁପ ପାତ୍ର, ସତୀଶ ନନ୍ଦ ପ୍ରମୁଖ ବି ବିଭିନ୍ନ ସ୍ତରରେ ଦାବି ଉପସ୍ଥାପନ କରିବା ସହ ରାଜ୍ୟସରକାରଙ୍କୁ ଟୁଇଟ୍ କରି ଅବଗତ କରିଥିଲେ। ଦଳମତ ନିର୍ବିଶେଷରେ ବିଭିନ୍ନ ସ୍ତରରେ ଦାବି ଉଠିବା ପରେ ଏହା ପୁରଣ ହୋଇ ପାରିଛି। ତେବେ ଏହାକୁ ତୁରନ୍ତ କାର୍ୟ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।